ଭୁବନେଶ୍ୱର: ମାର୍କେଟ୍ ଖୋଲୁ ଖୋଲୁ ହାହାକାର। ଚାରିଆଡ଼େ ଖାଲି ଗୋଟିଏ ଚର୍ଚ୍ଚା- “ସରିଗଲା, ସବୁ ବୁଡ଼ିଗଲା”। ଇନଭେଷ୍ଟରମାନଙ୍କ ମଧ୍ୟରେ ଖେଳିଯାଇଥିଲା ଭୟର ବାତାବରଣ। କିଏ ମୁଣ୍ଡରେ ହାତ ଦେଇ ବସିଥିଲା ତ ଆଉ କିଏ ନିଜର ପୋର୍ଟଫୋଲିଓ ଦେଖି ଦୀର୍ଘଶ୍ୱାସ ପକାଉଥିଲା। କାରଣ ଗୋଟିଏ- ସରକାରଙ୍କ ‘ଟ୍ୟାକ୍ସ ବୋମା’ ! ବଜାରର ସବୁଠୁ ବଡ଼ ଖେଳାଳି କୁହାଯାଉଥିବା ITCର ଅବସ୍ଥା ଦେଖି ସମସ୍ତେ ତାଜୁବ୍।
ଘଟଣାଟି ହେଉଛି, ଗୁରୁବାର ଦିନ ସରକାର ତମାଖୁ ଜାତୀୟ ଦ୍ରବ୍ୟ ବା ଟୋବାକୋ ପ୍ରଡକ୍ଟ ଉପରେ ଟ୍ୟାକ୍ସ ବଢ଼ାଇବାକୁ ଘୋଷଣା କରିବା ମାତ୍ରେ ଷ୍ଟକ୍ ମାର୍କେଟ୍ରେ ଭୂକମ୍ପ ଆସିଯାଇଛି। ଦେଶର ସବୁଠୁ ବଡ଼ ସିଗାରେଟ୍ କମ୍ପାନି ITCର ସେୟାର୍ ପ୍ରାୟ 10% ତଳକୁ ଖସିଯାଇଛି। ଗତ 6 ବର୍ଷ ଭିତରେ ଗୋଟିଏ ଦିନରେ ITCର ଏଭଳି ପତନ କେବେ ଦେଖିବାକୁ ମିଳିନଥିଲା। କେବଳ ITC ନୁହେଁ, Godfrey Phillips ଭଳି ଅନ୍ୟ କମ୍ପାନିର ସେୟାର୍ ମଧ୍ୟ 17% ପର୍ଯ୍ୟନ୍ତ କ୍ରାସ୍ କରିଛି।
ରିପୋର୍ଟ ଅନୁସାରେ, ଆସନ୍ତା ଫେବୃଆରୀ 1 ତାରିଖରୁ ସିଗାରେଟ୍ ଉପରେ ଏକ୍ସାଇଜ୍ ଡ୍ୟୁଟି ବଢ଼ିବାକୁ ଯାଉଛି। ଏହା ସହିତ 40% ଜିଏସ୍ଟି (GST) ମଧ୍ୟ ଲାଗୁ ହେବ। ଏହି ଖବର ଆସିବା ପରେ ଇନଭେଷ୍ଟରମାନେ ଭୟଭୀତ ହୋଇ ସେୟାର୍ ବିକିବା ଆରମ୍ଭ କରିଦେଇଥିଲେ। ଗୋଟିଏ ଝଟ୍କାରେ ITCର ମାର୍କେଟ୍ କ୍ୟାପ୍ରୁ ପ୍ରାୟ 50,000 କୋଟି ଟଙ୍କା ଧୂଆଁ ହୋଇଯାଇଛି।
ଏକ୍ସପର୍ଟମାନଙ୍କ କହିବା କଥା, ଏହି ନୂଆ ଟ୍ୟାକ୍ସ ନିୟମ ଯୋଗୁଁ କମ୍ପାନି ଉପରେ ବଡ଼ ପ୍ରେସର ପଡ଼ିବ। ନିଜର ମାର୍ଜିନ୍ ବଞ୍ଚାଇବା ପାଇଁ କମ୍ପାନିକୁ ସିଗାରେଟ୍ର ପ୍ରାଇସ୍ ବଢ଼ାଇବାକୁ ପଡ଼ିପାରେ। ଯଦି ଏମିତି ହୁଏ, ତେବେ ଗୋଟିଏ ସିଗାରେଟ୍ ପିଛା ଦର 2 ରୁ 3 ଟଙ୍କା ପର୍ଯ୍ୟନ୍ତ ବଢ଼ିପାରେ। ଏହା ସିଧାସଳଖ ଗ୍ରାହକଙ୍କ ପକେଟ୍କୁ କାଟିବ।
ବର୍ତ୍ତମାନ ସ୍ଥିତି ବେଶ୍ ଗମ୍ଭୀର ରହିଛି। ଗୋଟିଏ ପଟେ ସରକାରଙ୍କ କଡ଼ା ନିୟମ ଏବଂ ଅନ୍ୟ ପଟେ ମାର୍କେଟ୍ର ଏହି କ୍ରାସ୍। ଆଗକୁ ସିଗାରେଟ୍ କମ୍ପାନିଗୁଡ଼ିକ କିଭଳି ଏହି ପରିସ୍ଥିତିର ମୁକାବିଲା କରୁଛନ୍ତି, ତାହା ଦେଖିବା ବାକି ରହିଲା। କିନ୍ତୁ ଏତିକି ନିଶ୍ଚିତ ଯେ, ଧୂମପାନ କରୁଥିବା ଲୋକଙ୍କ ପାଇଁ ଆଗାମୀ ଦିନ ମହଙ୍ଗା ସାବ୍ୟସ୍ତ ହେବାକୁ ଯାଉଛି।




