ବଟାଲା: ସେଇ ବ୍ୟସ୍ତବହୁଳ ଇଲାକା। ସବୁଦିନ ଭଳି ଲୋକଙ୍କ ଗହଳି ଚହଳି ଥିଲା। କିନ୍ତୁ ହଠାତ୍ ଥରିଉଠିଲା ପୁରା ଏରିଆ। ଗୋଟିଏ ପରେ ଗୋଟିଏ ଗୁଳିର ଶବ୍ଦରେ ଲୋକେ ଜୀବନ ବିକଳରେ ଏପଟ ସେପଟ ଦୌଡ଼ିବାକୁ ଲାଗିଲେ। କିଛି ସମୟ ପାଇଁ ସବୁ ସ୍ତବ୍ଧ ହୋଇଗଲା। ପଞ୍ଜାବର ବଟାଲା ସହରରେ ଆଜି ଦିନ ଦ୍ୱିପ୍ରହରରେ ଘଟିଛି ଏକ ଭୟଙ୍କର ଗୁଳିକାଣ୍ଡ, ଯେଉଁଠି ଦୁର୍ବୃତ୍ତଙ୍କ ଆଖିବୁଜା ଗୁଳିମାଡ଼ରେ 2 ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ଜଣେ ଗୁରୁତର ହୋଇଛନ୍ତି।
ଖବର ଅନୁସାରେ, ବଟାଲାର ଏକ ଜନଗହଳିପୂର୍ଣ୍ଣ ସ୍ଥାନରେ ଏହି ଫାୟାରିଂ ହୋଇଛି। ଅଜଣା ବନ୍ଧୁକଧାରୀମାନେ ହଠାତ୍ ଆସି ଗୁଳି ଚଳାଇବା ଆରମ୍ଭ କରିଦେଇଥିଲେ। ଗୁଳିମାଡ଼ ଏତେ ଭୟଙ୍କର ଥିଲା ଯେ 2 ଜଣଙ୍କର ସେହି ସ୍ପଟରେ ହିଁ ମୃତ୍ୟୁ ହୋଇଯାଇଥିଲା। ଅନ୍ୟ ଜଣେ ବ୍ୟକ୍ତିଙ୍କୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରାଯାଇ ତୁରନ୍ତ ପାଖ ହସ୍ପିଟାଲକୁ ନିଆଯାଇଛି। ଡାକ୍ତରଙ୍କ କହିବା ଅନୁସାରେ ତାଙ୍କ କଣ୍ଡିସନ ଏବେ ଖୁବ୍ କ୍ରିଟିକାଲ ରହିଛି।
ଘଟଣା ପରେ ସ୍ଥାନୀୟ ଅଞ୍ଚଳରେ କୋକୁଆ ଭୟ ଖେଳିଯାଇଛି। ଖବର ପାଇ ପୁଲିସ୍ ଟିମ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି। ପୁରା ଏରିଆକୁ ଏବେ ସିଲ୍ କରିଦିଆଯାଇଛି। ପୁଲିସ୍ ଆଖପାଖ ଦୋକାନରେ ଲାଗିଥିବା ସିସିଟିଭି ଫୁଟେଜ୍ ଚେକ୍ କରୁଛି। ତେବେ ଏହି ଆଟାକ ପଛରେ ପୁରୁଣା ଶତ୍ରୁତା ରହିଛି ନା ଆଉ କିଛି କାରଣ, ସେ ନେଇ ପୁଲିସ୍ କିଛି ସ୍ପଷ୍ଟ କରିନାହିଁ। ଦୁର୍ବୃତ୍ତଙ୍କୁ ଧରିବା ପାଇଁ ବିଭିନ୍ନ ସ୍ଥାନରେ ଚଢ଼ାଉ ଜାରି ରହିଛି।




