ମୁମ୍ବାଇ: ମନେ ଅଛି ସେ ଦୃଶ୍ୟ? ଗୋଟିଏ ଦିନ ପାଇଁ ମୁଖ୍ୟମନ୍ତ୍ରୀ (CM) ବନି ପୁରା ସିଷ୍ଟମକୁ ହଲାଇ ଦେଇଥିଲେ ଶିବାଜୀ ରାଓ ଗାଏକ୍ୱାଡ୍ । ପରଦା ଉପରେ ସେ ଯେତେବେଳେ ଦୁର୍ନୀତି ବିରୋଧରେ ଆକ୍ସନ ନେଉଥିଲେ, ହଲ୍ ଭିତରେ ତାଳି ମାଡ଼ ହେଉଥିଲା । ଆଜି ବି ସେ ଫିଲ୍ମ ଟିଭିରେ ଦେଖିଲେ ଲୋମ ଟାଙ୍କୁରି ଉଠେ । ତେବେ ଦର୍ଶକଙ୍କ ପାଇଁ ଏବେ ଏକ ବଡ଼ ଖୁସି ଖବର । ପୁଣି ଥରେ ପରଦାକୁ ଫେରୁଛନ୍ତି ‘ରିଅଲ୍ ହିରୋ’ । ଅନିଲ କପୁର ନିଜେ ଏହି ସୂଚନା ଦେଇଛନ୍ତି ଯେ ସେ ‘ନାୟକ’ର ସିକ୍ୱେଲ୍ (Sequel) ପାଇଁ ପ୍ରସ୍ତୁତି ଆରମ୍ଭ କରିଦେଇଛନ୍ତି ।
ରିପୋର୍ଟ ଅନୁସାରେ, ବଲିଉଡର ଏହି ଚିରସବୁଜ ଅଭିନେତା ‘ନାୟକ’ ଫିଲ୍ମର ରାଇଟସ୍ (Rights) କିଣି ନେଇଛନ୍ତି । ଏହା ପୂର୍ବରୁ ଫିଲ୍ମର ରାଇଟସ୍ ପ୍ରଯୋଜକ ଦୀପକ ମୁକୁଟଙ୍କ ପାଖରେ ଥିଲା । ଦୀପକ ଏହି ରାଇଟସ୍ ପ୍ରାୟ 10 ବର୍ଷ ତଳେ ମୂଳ ପ୍ରଯୋଜକ ଏ.ଏମ୍ ରତ୍ନମ୍ଙ୍କ ଠାରୁ କିଣିଥିଲେ । କିନ୍ତୁ ଏବେ ଅନିଲ କପୁର ନିଜେ ଏହାର ମାଲିକାନା ନେଇଛନ୍ତି ଏବଂ ଖୁବଶୀଘ୍ର ‘ନାୟକ-2’ ନିର୍ମାଣ କରିବାକୁ ଯାଉଛନ୍ତି ।
2001 ମସିହାରେ ରିଲିଜ୍ ହୋଇଥିବା ‘ନାୟକ’ ବକ୍ସ ଅଫିସ୍ରେ ସେତେଟା କମାଲ୍ କରିନଥିଲେ ମଧ୍ୟ ପରେ ଏହା ଏକ କଲ୍ଟ କ୍ଲାସିକ୍ (Cult Classic) ପାଲଟି ଯାଇଥିଲା । ଅନିଲ କପୁରଙ୍କ ସହ ଅମରିଶ ପୁରୀଙ୍କ ଦମଦାର୍ ଅଭିନୟ ଏବଂ ରାଣୀ ମୁଖାର୍ଜୀଙ୍କ ରୋମାନ୍ସ ଦର୍ଶକଙ୍କୁ ବାନ୍ଧି ରଖିଥିଲା ।
ଏକ ସାକ୍ଷାତକାରରେ ଅନିଲ କପୁର କହିଛନ୍ତି ଯେ, “ନାୟକ ମୋ ହୃଦୟର ଖୁବ୍ ନିକଟତର । ଏହାର ପାର୍ଟ-2 ପାଇଁ କାହାଣୀରେ ଦମଦାର୍ ପୋଟେନସିଆଲ୍ ଅଛି ।” ନିକଟରେ FICCI Frames 2025 ଇଭେଣ୍ଟରେ ମଧ୍ୟ ଅନିଲ କପୁର ମଜାଳିଆ ଢଙ୍ଗରେ କହିଥିଲେ ଯେ ‘ନାୟକ-2’ ପାଇଁ ବର୍ତ୍ତମାନ ସମୟ ସବୁଠୁ ବେଷ୍ଟ । ତେବେ ଫିଲ୍ମର ସୁଟିଂ କେବେ ଆରମ୍ଭ ହେବ, ସେ ନେଇ ଅଫିସିଆଲ୍ ଘୋଷଣା ବାକି ଅଛି ।




