ଭୁବନେଶ୍ୱର: କ୍ରିକେଟ୍ ପଡ଼ିଆର ଲଢେଇ ଏବେ କୂଟନୈତିକ ସ୍ତରକୁ ଚାଲିଆସିଛି। ଗୋଟିଏ ପଟେ ଆଇପିଏଲ୍ 2026 ର ରୋମାଞ୍ଚ ପାଇଁ ବିଶ୍ୱବ୍ୟାପୀ ଫ୍ୟାନ୍ସ ଅପେକ୍ଷା କରିଥିବା ବେଳେ ଅନ୍ୟପଟେ ଏକ ବଡ଼ ଧରଣର ବିବାଦ ମୁଣ୍ଡ ଟେକିଛି। କୋଲକାତା ନାଇଟ୍ ରାଇଡର୍ସ (KKR) ଟିମ୍ରୁ ବାଂଲାଦେଶୀ ଷ୍ଟାର୍ ବୋଲର ମୁସ୍ତାଫିଜୁର ରେହମାନଙ୍କୁ ହଠାତ୍ ବାହାର କରାଯିବା ଘଟଣା ଏବେ ଉଗ୍ର ରୂପ ଧାରଣ କରିଛି। ଏହାର କଡ଼ା ପ୍ରତିବାଦ ସ୍ୱରୂପ ବାଂଲାଦେଶର ଅନ୍ତରୀଣ ସରକାର ଏକ ଚରମ ନିଷ୍ପତ୍ତି ନେଇଛନ୍ତି। ସମଗ୍ର ବାଂଲାଦେଶରେ ଆଇପିଏଲ୍ର ସମସ୍ତ ଟେଲିକାଷ୍ଟ (ପ୍ରସାରଣ), ପ୍ରମୋସନ୍ ଏବଂ ବିଜ୍ଞାପନ ଉପରେ ଅନିର୍ଦ୍ଦିଷ୍ଟ କାଳ ପାଇଁ ପ୍ରତିବନ୍ଧକ ଲଗାଯାଇଛି।
ପୂରା ଘଟଣାଟି ଏମିତି- ଭାରତୀୟ କ୍ରିକେଟ୍ କଣ୍ଟ୍ରୋଲ୍ ବୋର୍ଡ (BCCI) ହଠାତ୍ KKR ଫ୍ରାଞ୍ଚାଇଜିକୁ ନିର୍ଦ୍ଦେଶ ଦେଇଥିଲା ଯେ, ଦ୍ରୁତ ବୋଲର ମୁସ୍ତାଫିଜୁରଙ୍କୁ ତୁରନ୍ତ ଟିମ୍ରୁ ରିଲିଜ୍ କରାଯାଉ। ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଚଳିତ ବର୍ଷ ନିଲାମରେ KKR ତାଙ୍କୁ 9.20 କୋଟି ଟଙ୍କାର ଏକ ବଡ଼ ଅଙ୍କ ଦେଇ ନିଜ ଦଳରେ ସାମିଲ କରିଥିଲା ଏବଂ ସେ ଏଥର ଆଇପିଏଲ୍ରେ ଏକମାତ୍ର ବାଂଲାଦେଶୀ ଖେଳାଳି ଥିଲେ।
BCCI ର ଏହି ନିଷ୍ପତ୍ତିକୁ ବାଂଲାଦେଶ ସରକାର ତୀବ୍ର ନିନ୍ଦା କରିଛନ୍ତି। ବାଂଲାଦେଶର ସୂଚନା ଓ ପ୍ରସାରଣ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି ଯେ, BCCI ବିନା କୌଣସି “ଯୁକ୍ତିଯୁକ୍ତ କାରଣ”ରେ ଏଭଳି ଏକତରଫା ପଦକ୍ଷେପ ନେଇଛି, ଯାହାକି ସେମାନଙ୍କ ଦେଶ ଓ ଖେଳାଳିଙ୍କ ପାଇଁ ଘୋର ଅପମାନଜନକ। ଦେଶରେ ବଢୁଥିବା ଜନ ଆକ୍ରୋଶକୁ ଦୃଷ୍ଟିରେ ରଖି ଜନସ୍ୱାର୍ଥରେ ତୁରନ୍ତ ଆଇପିଏଲ୍ ପ୍ରସାରଣ ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି।
ତେବେ ମୁସ୍ତାଫିଜୁରଙ୍କୁ ବାଦ୍ ଦେବା ପଛରେ କ୍ରିକେଟ୍ ନୁହେଁ, ବରଂ ଗମ୍ଭୀର ରାଜନୈତିକ କାରଣ ରହିଥିବା ଚର୍ଚ୍ଚା ହେଉଛି। ମିଳିଥିବା ରିପୋର୍ଟ ଅନୁସାରେ, ବାଂଲାଦେଶରେ ସାମ୍ପ୍ରତିକ ରାଜନୈତିକ ଅସ୍ଥିରତା ଏବଂ ବିଶେଷକରି ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ହେଉଥିବା ହିଂସା ଖବରକୁ ନେଇ ଭାରତରେ ତୀବ୍ର ପ୍ରତିକ୍ରିୟା ପ୍ରକାଶ ପାଇଥିଲା। ମୁସ୍ତାଫିଜୁର ଭାରତ ଆସି ଆଇପିଏଲ୍ ଖେଳିବାକୁ ନେଇ ମଧ୍ୟ ବିଭିନ୍ନ ମହଲରେ ବିରୋଧ ପ୍ରଦର୍ଶନ ହୋଇଥିଲା। ଏହିସବୁ “ସାମ୍ପ୍ରତିକ ଘଟଣାବଳୀ”କୁ ଦୃଷ୍ଟିରେ ରଖି ସୁରକ୍ଷା ଏବଂ ଅନ୍ୟାନ୍ୟ କାରଣରୁ BCCI ଏଭଳି କଡ଼ା ଆଭିମୁଖ୍ୟ ଗ୍ରହଣ କରିଥିବା କୁହାଯାଉଛି।
ଏହି ବିବାଦ ଏବେ କେବଳ ଆଇପିଏଲ୍ ଭିତରେ ସୀମିତ ନରହି ଭାରତ ଏବଂ ବାଂଲାଦେଶ କ୍ରିକେଟ୍ ସମ୍ପର୍କରେ ଫାଟ ସୃଷ୍ଟି କରିଛି। ବାଂଲାଦେଶ କ୍ରିକେଟ୍ ଅଧିକାରୀମାନେ ଏହି ଘଟଣାରେ ଏତେ କ୍ଷୁବ୍ଧ ଯେ, ସେମାନେ ଅନ୍ତର୍ଜାତୀୟ କ୍ରିକେଟ୍ ପରିଷଦ (ICC) ର ହସ୍ତକ୍ଷେପ ଲୋଡ଼ିଛନ୍ତି। ଭବିଷ୍ୟତରେ ଭାରତରେ ହେବାକୁ ଥିବା T20 ବିଶ୍ୱକପ୍ ସମୟରେ ବାଂଲାଦେଶର ମ୍ୟାଚ୍ଗୁଡ଼ିକୁ ଭାରତ ବାହାରେ ଅନ୍ୟ କୌଣସି ନିରପେକ୍ଷ ସ୍ଥାନକୁ ସ୍ଥାନାନ୍ତର କରିବାକୁ ସେମାନେ ଦାବି କରୁଛନ୍ତି। ନିଜ ଖେଳାଳିଙ୍କ ଅପମାନକୁ ସେମାନେ କୌଣସି ମତେ ବରଦାସ୍ତ କରିବେ ନାହିଁ ବୋଲି ସ୍ପଷ୍ଟ କରିଛନ୍ତି।
ଆସନ୍ତା ମାର୍ଚ୍ଚ 26, 2026 ରୁ ଆଇପିଏଲ୍ ମହାକୁମ୍ଭ ଆରମ୍ଭ ହେବାକୁ ଯାଉଛି। କିନ୍ତୁ ସରକାରଙ୍କ ଏହି ନିଷ୍ପତ୍ତି ପରେ ବାଂଲାଦେଶର କ୍ରିକେଟ୍ ପ୍ରେମୀମାନେ ହତାଶ ହୋଇଛନ୍ତି, କାରଣ ସେମାନେ ଏଥର ଟିଭି ପରଦାରେ ଆଇପିଏଲ୍ ଦେଖିବାରୁ ବଞ୍ଚିତ ହେବେ। ବର୍ତ୍ତମାନ ସୁଦ୍ଧା BCCI କିମ୍ବା ଆଇପିଏଲ୍ ଗଭର୍ଣ୍ଣିଂ କାଉନସିଲ୍ ପକ୍ଷରୁ ବାଂଲାଦେଶର ଏହି ବ୍ୟାନ୍ ଉପରେ କୌଣସି ଅଫିସିଆଲ୍ ପ୍ରତିକ୍ରିୟା ମିଳିପାରି ନାହିଁ।




