ନୂଆଦିଲ୍ଲୀ: ଫୋନ୍ ରିଙ୍ଗ୍ ହେଉଛି… ସ୍କ୍ରିନ୍ ଉପରେ ଚମକୁଛି ଏକ ଅଜଣା ନମ୍ବର। ମନରେ ଛନକା, ଉଠାଇବି ନା କାଟିଦେବି? କାଳେ କେଉଁ ସ୍କାମର୍ ଥିବ! ଏମିତି ଦ୍ୱନ୍ଦ୍ୱରେ ଆପଣ ପ୍ରାୟ ପ୍ରତିଦିନ ପଡୁଥିବେ। ଏଥିପାଇଁ ହୁଏତ ଆପଣଙ୍କ ଫୋନ୍ରେ ‘Truecaller’ ଆପ୍ ଥିବ, କିନ୍ତୁ ଏବେ ସରକାର ଏମିତି ଏକ ନୂଆ ସିଷ୍ଟମ ଆଣିଛନ୍ତି ଯାହା ଆପଣଙ୍କ ଚିନ୍ତା ଦୂର କରିଦେବ। ମୋବାଇଲ୍ ଦୁନିଆରେ ଏବେ ଆସିଯାଇଛି ସରକାରଙ୍କ ନୂଆ ଅସ୍ତ୍ର ‘CNAP’ (Calling Name Presentation)।
କଥାଟା ଟିକେ ବୁଝିନିଅନ୍ତୁ। ଏବେ ଯାଏଁ ଆମେ Truecaller ଉପରେ ଭରସା କରୁଥିଲେ। କିନ୍ତୁ Truecaller କିପରି କାମ କରେ? ଯଦି କେହି ଆପଣଙ୍କ ନମ୍ବରକୁ “ପପୁ ଦୋକାନୀ” ବୋଲି ସେଭ୍ କରିଥାଏ, ତେବେ ଅନ୍ୟମାନଙ୍କୁ ବି ସେୟା ଦେଖାଏ। ମାନେ ଏହା ‘କ୍ରାଉଡ୍ ସୋର୍ସଡ୍’ ଡାଟା ଉପରେ ଚାଲେ, ଯାହା ସବୁବେଳେ ସତ ନୁହେଁ। କିନ୍ତୁ ସରକାରଙ୍କ ନୂଆ CNAP ସିଷ୍ଟମ ପୁରା ଅଲଗା।
TRAI (ଟ୍ରାଇ) ର ନୂଆ ନିୟମ ଅନୁସାରେ, ଏଣିକି କେହି କଲ୍ କଲେ ତାଙ୍କର ‘ଅସଲ ନାଁ’ ଆପଣଙ୍କ ସ୍କ୍ରିନ୍ରେ ଆସିବ। ଏହି ନାଁ ସେୟା ହେବ, ଯାହା ସେ ସିମ୍ କାର୍ଡ କିଣିବା ବେଳେ KYC ଡକ୍ୟୁମେଣ୍ଟରେ (ଯେମିତିକି ଆଧାର କାର୍ଡ) ଦେଇଥିବେ। ତେଣୁ କୌଣସି ଠକ ଆଉ ମିଛ ନାଁ କହି ଆପଣଙ୍କୁ ବୋକା ବନାଇ ପାରିବେ ନାହିଁ।
ଏହି ସେବା ପାଇଁ ଆପଣଙ୍କୁ କୌଣସି ଆପ୍ ଡାଉନଲୋଡ୍ କରିବାକୁ ପଡିବ ନାହିଁ କି ଇଣ୍ଟରନେଟ୍ ଦରକାର ନାହିଁ। Jio, Airtel ଏବଂ VI ଭଳି ଟେଲିକମ୍ କମ୍ପାନୀମାନେ ନିଜ ନେଟୱାର୍କ ଜରିଆରେ ଏହି ସୁବିଧା ଯୋଗାଇ ଦେବେ। ବର୍ତ୍ତମାନ ଏହା କିଛି ରାଜ୍ୟରେ ଟ୍ରାଏଲ୍ ବେସିସ୍ରେ ଚାଲିଛି ଏବଂ ଖୁବଶୀଘ୍ର ପୁରା ଭାରତରେ ଲାଗୁ ହେବ। ତେବେ ଟେକ୍ ଏକ୍ସପର୍ଟମାନଙ୍କ ମତରେ, ଏହା ଲାଗୁ ହେଲେ ଫ୍ରଡ୍ କଲ୍ ଏବଂ ସ୍ପାମ୍ ରୋକିବାରେ ବହୁତ ବଡ଼ ସାହାଯ୍ୟ ମିଳିବ।




