ନୂଆଦିଲ୍ଲୀ: ଏଲନ୍ ମସ୍କ ତ ସବୁବେଳେ ଚର୍ଚ୍ଚାରେ ଥାଆନ୍ତି। କେତେବେଳେ ନୂଆ ଫିଚର ପାଇଁ ତ କେତେବେଳେ ନିଜର ଅଜବ ବୟାନ ପାଇଁ। ହେଲେ ଏଥର ତାଙ୍କ ପାଇଁ ଖବର ଜମାରୁ ଭଲ ନାହିଁ। ଭାରତ ସରକାର ଏବେ ମସ୍କଙ୍କ କମ୍ପାନୀ X (ପୂର୍ବର Twitter) ଉପରେ ଲାଲ୍ ଆଖି ଦେଖାଇଛନ୍ତି। କାରଣ ହେଲା ତାଙ୍କ ପ୍ଲାଟଫର୍ମରେ ଥିବା AI ଚାଟ୍ବଟ୍ ‘Grok’ ର କାରନାମା, ଯାହା ଏବେ ସୀମା ପାର୍ କରିଯାଇଛି।
କେନ୍ଦ୍ର ଆଇଟି ମନ୍ତ୍ରାଳୟ (IT Ministry) ତରଫରୁ X କୁ ଏକ କଡ଼ା ନୋଟିସ୍ ପଠାଯାଇଛି। ଅଭିଯୋଗ ହୋଇଛି ଯେ, X ର AI ଟୁଲ୍ ‘Grok’ ବ୍ୟବହାର କରି ଲୋକମାନେ ଅଶ୍ଳୀଳ ଏବଂ ଆପତ୍ତିଜନକ (Sexually Explicit) ଫଟୋ ତିଆରି କରୁଛନ୍ତି। ଖାଲି ସେତିକି ନୁହେଁ, ଏହିସବୁ ଫଟୋ ପ୍ଲାଟଫର୍ମରେ ଖୁଲମ୍ଖୁଲା ଭାଇରାଲ ହେଉଛି। ଏହା ଭାରତୀୟ ଆଇନ ବିରୋଧୀ ବୋଲି ସରକାର ସ୍ପଷ୍ଟ କରିଛନ୍ତି।
ରିପୋର୍ଟ ଅନୁସାରେ, ସରକାର X କୁ ସଫା ସଫା ଶୁଣାଇ ଦେଇଛନ୍ତି ଯେ, ଏଭଳି କଣ୍ଟେଣ୍ଟକୁ ତୁରନ୍ତ ରୋକାଯାଉ। ଆଇଟି ମନ୍ତ୍ରାଳୟ କହିଛି, କୌଣସି ବି ପରିସ୍ଥିତିରେ ଏଭଳି ଅଶ୍ଳୀଳ ଫଟୋ କିମ୍ବା ଡିପ୍ଫେକ୍ (Deepfake) କୁ ବରଦାସ୍ତ କରାଯିବ ନାହିଁ। ଯଦି କମ୍ପାନୀ ଏହା ଉପରେ ଲଗାମ୍ ନ ଲଗାଏ, ତେବେ ଆଇନ ଅନୁସାରେ କଡ଼ା ଆକ୍ସନ ନିଆଯିବ।
ସୂଚନାଯୋଗ୍ୟ ଯେ, ମସ୍କଙ୍କ AI ‘Grok’ ଉପରେ ପୂର୍ବରୁ ମଧ୍ୟ ଅନେକ ଅଭିଯୋଗ ଆସିଥିଲା। ଅନ୍ୟ AI ମଡେଲ୍ ଗୁଡ଼ିକ ଯେଉଁଠି ସେଫ୍ଟି ଫିଚର ଲଗାଇଥାନ୍ତି, ସେଠାରେ Grok ଟିକେ ଅଧିକ ‘ଫ୍ରି’ ବୋଲି କୁହାଯାଏ। କିନ୍ତୁ ଏବେ ଭାରତ ସରକାରଙ୍କ ଏହି ନୋଟିସ୍ ପରେ ମସ୍କ କଣ ପଦକ୍ଷେପ ନେଉଛନ୍ତି, ତାହା ଦେଖିବା ବାକି ରହିଲା।




