କୋଣାର୍କ: ସୂର୍ଯ୍ୟ ମନ୍ଦିର କୋଣାର୍କର ସେହି ରହସ୍ୟଘେରା ‘ଜଗମୋହନ’। ଯେଉଁଠି ପ୍ରାୟ 121 ବର୍ଷ ଧରି ବାଲି ଭର୍ତ୍ତି ହୋଇ ରହିଛି। ସେହି ବାଲି କଢ଼ାଯିବ କି ନାହିଁ, ଆଉ ବାଲି କାଢ଼ିଲେ ମନ୍ଦିର ଭୁସୁଡ଼ି ପଡ଼ିବ କି? ଏମିତି ଅନେକ ପ୍ରଶ୍ନ ଓ ଭୟ ଭିତରେ ଏବେ ଏକ ବଡ଼ ଖବର ସାମ୍ନାକୁ ଆସିଛି। କୋଣାର୍କରୁ ବାଲି କାଢ଼ିବା ପାଇଁ ବାଟ ସାଫ୍ ହୋଇଛି। IIT ମାଡ୍ରାସ ଏନେଇ ସବୁଜ ସଙ୍କେତ ଦେଇଛି।
କଣ କହୁଛି IIT ରିପୋର୍ଟ? ବିଶ୍ୱପ୍ରସିଦ୍ଧ କୋଣାର୍କ ମନ୍ଦିରର ସୁରକ୍ଷାକୁ ନେଇ IIT ମାଡ୍ରାସର ଏକ୍ସପର୍ଟ ଟିମ୍ ଅନୁଧ୍ୟାନ କରୁଥିଲେ। ସେମାନେ ଏବେ ସ୍ପଷ୍ଟ କରିଛନ୍ତି ଯେ, ଜଗମୋହନ ଭିତରୁ ବାଲି କଢ଼ାଗଲେ ମନ୍ଦିରର ଢାଞ୍ଚା ବା Structure ପ୍ରତି କୌଣସି ବିପଦ ନାହିଁ। ଏହି ରିପୋର୍ଟ ଆସିବା ପରେ ASI (ଆର୍କିଓଲୋଜିକାଲ ସର୍ଭେ ଅଫ୍ ଇଣ୍ଡିଆ) ଏବେ ବାଲି କାଢ଼ିବା ପାଇଁ ପ୍ରସ୍ତୁତି ଜୋରଦାର କରିଛି। ମନ୍ଦିରର ପଶ୍ଚିମ ପାଖ କାନ୍ଥରେ Drilling କରାଯାଇ ବାଲିର ସ୍ଥିତି ପରଖା ଯାଇଥିଲା। ସମସ୍ତ ବୈଷୟିକ କାର୍ଯ୍ୟ ଶେଷ ହୋଇଥିବା ବେଳେ ଖୁବଶୀଘ୍ର ମନ୍ଦିର ଭିତରୁ ବାଲି ବାହାର କରିବା ପ୍ରକ୍ରିୟା ଆରମ୍ଭ ହେବ।
1903ରୁ ବନ୍ଦ ଅଛି କବାଟ ସୂଚନାଯୋଗ୍ୟ ଯେ, ମନ୍ଦିରକୁ ସୁରକ୍ଷିତ ରଖିବା ପାଇଁ 1903 ମସିହାରେ ବ୍ରିଟିଶ ସରକାର ଜଗମୋହନ ଭିତରେ ବାଲି ଭର୍ତ୍ତି କରି ଚାରିପଟୁ କବାଟ ବନ୍ଦ କରିଦେଇଥିଲେ। ସେବେଠାରୁ ଏହା ଏକ ରହସ୍ୟ ହୋଇ ରହିଥିଲା। ଏବେ ପ୍ରାୟ 121 ବର୍ଷ ପରେ ପୁଣିଥରେ ଜଗମୋହନ ଭିତରର ଦୃଶ୍ୟ ଦେଖିବାକୁ ମିଳିବ। ଏହି ବାଲି କଢ଼ାଯିବା ପରେ କୋଣାର୍କ ମନ୍ଦିରର ଅନେକ ଅଜଣା କଥା ସାମ୍ନାକୁ ଆସିବ ବୋଲି ଆଶା କରାଯାଉଛି।
ଏହି ଭିଡିଓଟିରେ କୋଣାର୍କ ସୂର୍ଯ୍ୟ ମନ୍ଦିରର ଜଗମୋହନ ଭିତରୁ ବାଲି କାଢିବା ପାଇଁ ହୋଇଥିବା ଯୋଜନା ଏବଂ ଏହାର ଐତିହାସିକ ଗୁରୁତ୍ୱ ବିଷୟରେ ସବିଶେଷ ଆଲୋଚନା କରାଯାଇଛି।




