ନୂଆଦିଲ୍ଲୀ: ରାସ୍ତାରେ ଏବେ ଧାଁ ଧପଡ଼ କରୁଛି ଇଲେକ୍ଟ୍ରିକ୍ ଥ୍ରୀ-ହୁଇଲର୍। ଯୁଆଡ଼େ ଚାହିଁଲେ ସିଆଡ଼େ କେବଳ ବ୍ୟାଟେରୀ ଚାଳିତ ଅଟୋ। କେନ୍ଦ୍ର ସରକାରଙ୍କ ‘PM e-Drive’ ସ୍କିମର ଯାଦୁ ଏମିତି ଚାଲିଲା ଯେ, ନିର୍ଦ୍ଧାରିତ ସମୟ ପୂର୍ବରୁ ହିଁ ଲୋକେ ଧାଡ଼ି ବାନ୍ଧି ଇ-ଅଟୋ କିଣି ପକାଇଲେ। କିନ୍ତୁ ଏବେ ଏହି ଗାଡ଼ି କିଣିବାକୁ ପ୍ଲାନ କରୁଥିବା ଲୋକଙ୍କ ପାଇଁ ଏକ ବଡ଼ ଖବର ଆସିଛି। କେନ୍ଦ୍ର ସରକାର ଇଲେକ୍ଟ୍ରିକ୍ ଥ୍ରୀ-ହୁଇଲର୍ ଉପରୁ ସବସିଡି ସମ୍ପୂର୍ଣ୍ଣ ଭାବେ ହଟାଇ ଦେଇଛନ୍ତି।
ସରକାରୀ ରିପୋର୍ଟ ଅନୁସାରେ, ଇ-ଅଟୋ ବଜାରରେ ଏବେ 32 % ପେନିଟ୍ରେସନ ହୋଇସାରିଛି। ସରକାରଙ୍କ ଟାର୍ଗେଟ ଥିଲା 20 ରୁ 30 % ଭିତରେ, ଯାହାକୁ ଏହି ସେଗମେଣ୍ଟ ବହୁତ ଜଲଦି ଅତିକ୍ରମ କରିଦେଇଛି। ପାଖାପାଖି 2,90,000 ରୁ ଅଧିକ L5 କାଟେଗୋରୀର ୟୁନିଟକୁ ସରକାର ସପୋର୍ଟ ଦେଇସାରିଛନ୍ତି। ଯେହେତୁ ଟାର୍ଗେଟ ଫୁଲ୍ ହୋଇଗଲା, ତେଣୁ ସରକାର ଆଉ ଅଧିକ ଟଙ୍କା ଖର୍ଚ୍ଚ କରିବାକୁ ମନା କରିଦେଇଛନ୍ତି।
ଏହି ସ୍କିମ୍ ପାଇଁ ପାଖାପାଖି 857 କୋଟି ଟଙ୍କାର ଫଣ୍ଡ ରଖାଯାଇଥିଲା। କିନ୍ତୁ ଡେଡଲାଇନ୍ ସରିବାକୁ ଆହୁରି 3 ମାସ ବାକି ଥିବାବେଳେ ସବୁ ଟଙ୍କା ଶେଷ ହୋଇଯାଇଛି। ଡିସେମ୍ବର 26, 2025 ପରେ ରେଜିଷ୍ଟ୍ରେସନ ହେଉଥିବା ଗାଡ଼ିକୁ ଆଉ କୌଣସି ଇନସେଣ୍ଟିଭ୍ ମିଳିବ ନାହିଁ। ଏବେ କେବଳ ଷ୍ଟେଟ୍ ଗଭର୍ଣ୍ଣମେଣ୍ଟ ଯାହା ସପୋର୍ଟ ଦେବେ ସେତିକି ହିଁ ଭରସା।
ତେବେ ଇଲେକ୍ଟ୍ରିକ୍ ଟୁ-ହୁଇଲର୍ ବା ସ୍କୁଟି ମାଲିକଙ୍କ ପାଇଁ ଖୁସି ଖବର। ଦୁଇ ଚକିଆ ଗାଡ଼ି କ୍ଷେତ୍ରରେ ପେନିଟ୍ରେସନ ମାତ୍ର 7.5 % ରହିଛି, ଯାହା ଟାର୍ଗେଟ ଠାରୁ ବହୁତ କମ୍। ତେଣୁ ସ୍କୁଟର ଏବଂ ବାଇକ୍ ପାଇଁ ସବସିଡି ଜାରି ରହିବ। ପାଖାପାଖି 18.3 ଲକ୍ଷ ଗାଡ଼ି ବିକ୍ରି ହୋଇଥିବା ବେଳେ ଏବେ ବି 25 ଲକ୍ଷ ଟାର୍ଗେଟ ପୂରା ହେବାକୁ ବାକି ଅଛି। 2025-26 ଆର୍ଥିକ ବର୍ଷରେ ମଧ୍ୟ ଏହା ଜାରି ରହିବାର ସମ୍ଭାବନା ଅଛି।
ସୂଚନାଯୋଗ୍ୟ ଯେ, 2025 ମସିହାରେ ମୋଟ 7,50,000 ରୁ ଅଧିକ ଇଲେକ୍ଟ୍ରିକ୍ ଥ୍ରୀ-ହୁଇଲର୍ ବିକ୍ରି ହୋଇଛି, ଯାହା ସମୁଦାୟ ଅଟୋ ବିକ୍ରିର 60 % ରୁ ଅଧିକ। ଦିଲ୍ଲୀ ଭଳି କିଛି ସହର ଏବେ ନିଜ ସ୍ତରରେ ନୂଆ ଅଫର୍ ଦେବାକୁ ଚେଷ୍ଟା କରୁଛନ୍ତି, କିନ୍ତୁ କେନ୍ଦ୍ରରୁ ମିଳୁଥିବା ମୋଟା ଅଙ୍କର ରିହାତି ଏବେ ଇତିହାସ ହୋଇଯାଇଛି।




