ନୂଆଦିଲ୍ଲୀ: ଚାରିଆଡ଼େ ଭୟର ବାତାବରଣ। ଆମେରିକା ସେନାର ଆକ୍ସନ୍ ପରେ ଥରୁଛି ଭେନେଜୁଏଲା। ରାଷ୍ଟ୍ରପତି ନିକୋଲାସ୍ ମାଦୁରୋ ଗିରଫ ହେବା ପରେ ପରିସ୍ଥିତି ପୁରାପୁରି ଅନିଶ୍ଚିତତା ଭିତରେ। କିଏ କେତେବେଳେ କୁଆଡେ ଯିବ, କାହାର ସୁରକ୍ଷା କେତେ, ତାହା କେହି ଜାଣନ୍ତି ନାହିଁ। ଠିକ୍ ଏମିତି ଏକ ହାଇ-ଟେନସନ୍ ସମୟରେ ଭାରତ ତରଫରୁ ଆସିଛି ଏକ ବଡ଼ ବୟାନ। ବୈଦେଶିକ ମନ୍ତ୍ରୀ ଏସ୍. ଜୟଶଙ୍କର ସିଧାସଳଖ କହିଛନ୍ତି, ଭେନେଜୁଏଲାର ସାଧାରଣ ଜନତାଙ୍କ ସୁରକ୍ଷା ହିଁ ଏବେ ଭାରତ ପାଇଁ ସବୁଠାରୁ ବଡ଼ ଚିନ୍ତାର ବିଷୟ।
‘ଫାଇଟିଂ ବନ୍ଦ କର, ଆଲୋଚନା କର’ ଲକ୍ସମବର୍ଗରେ ଏକ କାର୍ଯ୍ୟକ୍ରମରେ ଯୋଗଦେଇ ବୈଦେଶିକ ମନ୍ତ୍ରୀ ଜୟଶଙ୍କର ଏହି ଘଟଣା ଉପରେ ଗଭୀର ଚିନ୍ତା ପ୍ରକଟ କରିଛନ୍ତି। ସେ ସ୍ପଷ୍ଟ ଭାବରେ କହିଛନ୍ତି ଯେ, ଏବେ ସମୟ ଆସିଛି ସମସ୍ତ ପକ୍ଷ ଏକାଠି ବସି କଥା ହେବାର। ‘‘ଆମେ ପରିସ୍ଥିତି ଉପରେ ନଜର ରଖିଛୁ। କିନ୍ତୁ ସବୁଠାରୁ ଜରୁରୀ ହେଉଛି ସେଠାକାର ଲୋକଙ୍କ ସେଫ୍ଟି। ରାଜନୀତି ଯାହା ବି ହେଉ, ସାଧାରଣ ଲୋକେ ଯେମିତି ସୁରକ୍ଷିତ ରୁହନ୍ତି, ସେଥିପାଇଁ ଡାଇଲଗ୍ ବା ଆଲୋଚନା ନିହାତି ଦରକାର,’’ ବୋଲି ଜୟଶଙ୍କର କହିଛନ୍ତି।
ଭାରତ-ଭେନେଜୁଏଲା ସମ୍ପର୍କ ଉପରେ ନଜର ଜୟଶଙ୍କର ଆହୁରି ମଧ୍ୟ ମନେ ପକାଇ ଦେଇଛନ୍ତି ଯେ ଭେନେଜୁଏଲା ସହିତ ଭାରତର ବହୁ ପୁରୁଣା ଓ ଭଲ ସମ୍ପର୍କ ରହିଛି। ତେଣୁ ସେଠାକାର ଘଟଣାବଳୀ ଭାରତକୁ ବିଚଳିତ କରିବା ସ୍ୱାଭାବିକ। ‘‘ଆମେ ଚାହୁଁଛୁ ଘଟଣା ଯେଉଁ ଆଡକୁ ବି ଯାଉ, ଲୋକମାନେ ଯେମିତି ଭଲରେ ବାହାରି ଆସନ୍ତି,’’ ଏହା ହେଉଛି ଭାରତର ଆଭିମୁଖ୍ୟ।
ଇଣ୍ଡିଆନ୍ କମ୍ୟୁନିଟି ପାଇଁ ଆଲର୍ଟ ଅନ୍ୟପଟେ, ବୈଦେଶିକ ମନ୍ତ୍ରାଳୟ (MEA) ମଧ୍ୟ ସ୍ଥିତି ଉପରେ କଡ଼ା ନଜର ରଖିଛି। ଭେନେଜୁଏଲାରେ ଥିବା ଭାରତୀୟମାନଙ୍କ ସୁରକ୍ଷା ପାଇଁ କାରାକାସ୍ରେ ଥିବା ଭାରତୀୟ ଏମ୍ବାସୀ ଲଗାତାର ସମ୍ପର୍କରେ ରହିଛି। ଭାରତୀୟ ନାଗରିକମାନଙ୍କୁ ଏବେ ଭେନେଜୁଏଲା ଟ୍ରାଭେଲ୍ ନକରିବାକୁ ପରାମର୍ଶ ଦିଆଯାଇଛି। ଯଦି କେହି ସେଠାରେ ଅଛନ୍ତି, ତେବେ ସେମାନଙ୍କୁ ସତର୍କ ରହିବାକୁ ଏବଂ ଏମ୍ବାସୀ ସହ ଯୋଗାଯୋଗରେ ରହିବାକୁ କୁହାଯାଇଛି।
ଆମେରିକାର ଏହି ‘ମିଲିଟାରୀ ଅପରେସନ୍’ ପରେ ପୁରା ବିଶ୍ୱର ନଜର ଏବେ ଭେନେଜୁଏଲା ଉପରେ। କିନ୍ତୁ ଭାରତ ନିଜର ଆଭିମୁଖ୍ୟ ସ୍ପଷ୍ଟ କରିଦେଇଛି— ଯୁଦ୍ଧ ନୁହେଁ, ଶାନ୍ତି ଓ ଆଲୋଚନା ହିଁ ଏକମାତ୍ର ରାସ୍ତା।


