ନୂଆଦିଲ୍ଲୀ: ସୁନା କଥା ଛାଡ଼ନ୍ତୁ, ଏବେ ରୁପା ପଛରେ ପଡ଼ିଛି ପୁରା ଦେଶ। ଦର ଯେତିକି ବଢୁଛି, ଚାହିଦା ସେତିକି ଉପରକୁ ଯାଉଛି। ଗତ 1 ବର୍ଷ ଭିତରେ ରୁପା ଦର ପାଖାପାଖି 3 ଗୁଣ ବଢିଗଲାଣି, କିନ୍ତୁ ଭାରତୀୟଙ୍କ ରୁପା ପ୍ରୀତି କମିବାର ନାଁ ନେଉନି। ପରିସ୍ଥିତି ଏମିତି ଯେ, ଦୁନିଆରେ ଯେତିକି ବି ରୁପା କାରବାର ହେଉଛି, ତା’ର ଏକ ବଡ଼ ଭାଗ ଏବେ କେବଳ ଭାରତକୁ ଆସୁଛି। କିନ୍ତୁ ଏହି ଚମକ ପଛରେ ଲୁଚି ରହିଛି ଏକ ବଡ଼ ବିପଦର ସଙ୍କେତ।
ଦାମ୍ 2.43 ଲକ୍ଷ ପାର୍, ତଥାପି ବଜାର ଗରମ 2025 ବର୍ଷ ଆରମ୍ଭରେ ରୁପା କେଜି ପିଛା 80,000 ରୁ 85,000 ଟଙ୍କା ଥିଲା। ହେଲେ 2026 ଆରମ୍ଭ ବେଳକୁ ଏହା 2.43 ଲକ୍ଷ ଟଙ୍କା ଟପି ସାରିଛି। ଏତେ ଅଧିକ ଦାମ୍ ସତ୍ତ୍ୱେ 2025 ମସିହାରେ ଭାରତ ପାଖାପାଖି 9.2 ବିଲିୟନ ଡଲାରର ରୁପା ଆମଦାନୀ (Import) କରିଛି, ଯାହା 2024 ତୁଳନାରେ 44% ଅଧିକ। ଅକ୍ଟୋବର ମାସରେ ତ ସବୁ ରେକର୍ଡ ଭାଙ୍ଗି ଯାଇଥିଲା। କେବଳ ସେହି ଗୋଟିଏ ମାସରେ 2.7 ବିଲିୟନ ଡଲାରର ରୁପା ବିଦେଶରୁ ମଗାଯାଇଥିଲା।
ଚୀନ୍ ଖେଳୁଛି ‘ମାଇଣ୍ଡ ଗେମ୍’ ରିପୋର୍ଟ ଅନୁସାରେ, ଭାରତ ଏବେ ବିଶ୍ୱର ସବୁଠୁ ବଡ଼ ‘ରିଫାଇଣ୍ଡ ସିଲଭର’ (Refined Silver) ଆମଦାନୀକାରୀ ଦେଶ। ଦୁନିଆର ମୋଟ ଆମଦାନୀର 21.4% କେବଳ ଭାରତ କରୁଛି। କିନ୍ତୁ ସମସ୍ୟା ହେଉଛି, ଭାରତ କେବଳ ଫିନିସିଂ ହୋଇଥିବା ରୁପା ବାର୍ (Bars) ଓ ରଡ୍ (Rods) ମଗାଉଛି। ଅନ୍ୟପଟେ ଚୀନ୍ ବହୁତ ଚାଲାକ୍। ସେ କଞ୍ଚା ମାଲ୍ ମଗାଇ ନିଜ ଦେଶରେ ପ୍ରୋସେସିଂ କରୁଛି ଏବଂ ଦୁନିଆକୁ ରପ୍ତାନି (Export) କରୁଛି। ଜାନୁଆରୀ 1, 2026 ରୁ ଚୀନ୍ ନୂଆ ନିୟମ ଲାଗୁ କରିଛି, ଯେଉଁଥିରେ ରୁପା ରପ୍ତାନି ପାଇଁ ଲାଇସେନ୍ସ ନିହାତି ଦରକାର। ଏହା ଭାରତ ପାଇଁ ଏକ ବଡ଼ ଝଟକା ହୋଇପାରେ।
ସୌର ଶକ୍ତି ପାଇଁ ରୁପା ଜରୁରୀ ରୁପା କେବଳ ଗହଣା ପାଇଁ ବ୍ୟବହାର ହେଉନି, ବରଂ ଇଣ୍ଡଷ୍ଟ୍ରିରେ ଏହାର ଚାହିଦା ସବୁଠୁ ଅଧିକ। ବିଶେଷ କରି ସୋଲାର ପ୍ୟାନେଲ୍ (Solar Panels), ଇଲେକ୍ଟ୍ରୋନିକ୍ସ ଏବଂ ଇଲେକ୍ଟ୍ରିକ ଭେିକିଲ (EV) ପାଇଁ ରୁପା ନିହାତି ଦରକାର। ଗ୍ଲୋବାଲ ଡିମାଣ୍ଡର 15% କେବଳ ସୋଲାର ସେକ୍ଟରରୁ ଆସୁଛି।
ଜିଟିଆରଆଇ (GTRI) ର ଚେତାବନୀ ଗ୍ଲୋବାଲ ଟ୍ରେଡ୍ ରିସର୍ଚ୍ଚ ଇନିସିଏଟିଭ୍ (GTRI) ର କହିବା କଥା ହେଲା, ଭାରତ କେବଳ ଆମଦାନୀ ଉପରେ ଭରସା ନକରି ନିଜ ଦେଶରେ ରିଫାଇନିଂ (Refining) ଏବଂ ରିସାଇକ୍ଲିଂ (Recycling) କ୍ଷମତା ବଢାଇବା ଦରକାର। ନଚେତ୍ ଆଗକୁ ରୁପା ସଙ୍କଟ ଭାରତର ଶିଳ୍ପ ଜଗତକୁ ଅଟକାଇ ଦେଇପାରେ।




