ନ୍ୟୁୟର୍କ: ଆମେରିକାର ରାଜନୀତିରେ ଏବେ ହାଇ-ଭୋଲଟେଜ୍ ଡ୍ରାମା । ଗୋଟିଏ ପଟେ ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ‘ଆକ୍ସନ’, ଅନ୍ୟପଟେ ନବନିର୍ବାଚିତ ମେୟର (Mayor) ଜୋହରାନ ମମଦାନୀଙ୍କ କଡ଼ା ବିରୋଧ । ଭେନେଜୁଏଲା ରାଷ୍ଟ୍ରପତି ନିକୋଲାସ ମାଡୁରୋଙ୍କୁ ଆମେରିକା ସେନା ବନ୍ଦୀ କରିବା ଘଟଣାକୁ ନେଇ ଏବେ ନ୍ୟୁୟର୍କ ସିଟିରେ ତାତି ବଢ଼ିବାରେ ଲାଗିଛି । ସ୍ଥିତି ଏମିତି ହୋଇଛି ଯେ, ମେୟର ମମଦାନୀ ସିଧା ରାଷ୍ଟ୍ରପତିଙ୍କୁ ଫୋନ୍ ଲଗାଇ ଏହାକୁ ଏକ “ଯୁଦ୍ଧ” (Act of War) ବୋଲି କହିବାକୁ ପଛାଇ ନାହାନ୍ତି ।
ଘଟଣାଟି ଏମିତି – ଜାନୁଆରୀ 3 ତାରିଖରେ ଆମେରିକା ସେନା ଭେନେଜୁଏଲାର ରାଜଧାନୀ କାରାକାସ୍ରେ ଏକ ବଡ଼ ଧରଣର ମିଲିଟାରୀ ଷ୍ଟ୍ରାଇକ୍ (Strike) କରିଥିଲା । ଏହି ଅପରେସନ୍ରେ ରାଷ୍ଟ୍ରପତି ମାଡୁରୋ ଏବଂ ତାଙ୍କ ପତ୍ନୀଙ୍କୁ ବନ୍ଦୀ କରାଯାଇ ନ୍ୟୁୟର୍କ ଅଣାଯାଇଛି । ଏହି ଖବର ପ୍ରଚାର ହେବା ମାତ୍ରେ ନ୍ୟୁୟର୍କର ନୂଆ ମେୟର ଜୋହରାନ ମମଦାନୀ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି । ସେ କହିଛନ୍ତି, “ମୁଁ ପ୍ରେସିଡେଣ୍ଟ ଟ୍ରମ୍ପଙ୍କ ସହ ସିଧାସଳଖ କଥା ହୋଇଛି । ଗୋଟିଏ ସ୍ୱାଧୀନ ଦେଶ ଉପରେ ଏଭଳି ଆକ୍ରମଣ କରିବା ଅନ୍ତର୍ଜାତୀୟ ନିୟମର ଉଲ୍ଲଂଘନ ଏବଂ ଏହା ସିଧାସଳଖ ଯୁଦ୍ଧ ଘୋଷଣା ।”
ମମଦାନୀ ଆହୁରି ମଧ୍ୟ କହିଛନ୍ତି ଯେ, କ୍ଷମତା ପରିବର୍ତ୍ତନ (Regime Change) ପାଇଁ ଆମେରିକାର ଏଭଳି ଜିଦ୍ କେବଳ ବିଦେଶ ନୁହେଁ, ବରଂ ନ୍ୟୁୟର୍କରେ ରହୁଥିବା ହଜାର ହଜାର ଭେନେଜୁଏଲା ନାଗରିକଙ୍କ ସୁରକ୍ଷା ପ୍ରତି ବିପଦ ସୃଷ୍ଟି କରିପାରେ । “ମୋ ସହରର ପ୍ରତିଟି ନାଗରିକଙ୍କ ସୁରକ୍ଷା ମୋ ପାଇଁ ଗୁରୁତ୍ୱପୂର୍ଣ୍ଣ,” ବୋଲି ମମଦାନୀ ସ୍ପଷ୍ଟ କରିଛନ୍ତି ।
ସୂଚନାଯୋଗ୍ୟ ଯେ, ମମଦାନୀ ନିକଟରେ ନ୍ୟୁୟର୍କର ମେୟର ଭାବେ ଶପଥ ନେଇଛନ୍ତି । ସେ ଜଣେ ସୋସିଆଲିଷ୍ଟ (Socialist) ଚିନ୍ତାଧାରାର ନେତା ହୋଇଥିବାରୁ ଟ୍ରମ୍ପଙ୍କ ନୀତିକୁ ସେ ଖୋଲାଖୋଲି ବିରୋଧ କରୁଛନ୍ତି । ଅନ୍ୟପଟେ ଟ୍ରମ୍ପ ପ୍ରଶାସନ ଦାବି କରିଛି ଯେ ମାଡୁରୋଙ୍କ ବିରୋଧରେ ଡ୍ରଗ୍ସ କାରବାର ଭଳି ସାଙ୍ଘାତିକ ଅଭିଯୋଗ ରହିଛି, ଯାହାର ବିଚାର ଏବେ ଆମେରିକା କୋର୍ଟରେ ହେବ ।




