ମଧ୍ୟପ୍ରାଚ୍ୟର ଦୁଇ ଜିଗ୍ରି ଦୋସ୍ତ ଏବେ ପରସ୍ପରର ରକ୍ତର ପିଆସା। କାଲି ଯାଏଁ ଯେଉଁମାନେ ଏକାଠି ବସି ଗପସପ କରୁଥିଲେ, ଆଜି ସେମାନଙ୍କ ମଧ୍ୟରେ ଚାଲିଛି ମିସାଇଲ୍ ଲଢ଼େଇ। ୟେମେନର ମୁକାଲା ପୋର୍ଟରେ ହୋଇଥିବା ଭୟଙ୍କର ବିସ୍ଫୋରଣ ପୂରା ଗଲ୍ଫ ଦେଶରେ ଭୟର ବାତାବରଣ ସୃଷ୍ଟି କରିଛି। ସାଉଦି ଆରବ ଏବଂ ୟୁଏଇ (UAE) ମଧ୍ୟରେ ଲାଗିଥିବା ଏହି ନିଆଁ ଏବେ ବିଶ୍ୱ ପାଇଁ ଚିନ୍ତାର କାରଣ ପାଲଟିଛି।
ସାଉଦି ଆରବ ଡିସେମ୍ବର 30 ତାରିଖରେ ୟେମେନର ମୁକାଲା ପୋର୍ଟ ଉପରେ ଜୋରଦାର ଏୟାର ଷ୍ଟ୍ରାଇକ୍ କରିଛି। ସାଉଦିର ଦାବି ହେଲା ଯେ, ୟୁଏଇ ଲୁଚାଛପାରେ ବିଚ୍ଛିନ୍ନତାବାଦୀ ଗୋଷ୍ଠୀଙ୍କ ପାଖକୁ ଅସ୍ତ୍ରଶସ୍ତ୍ର ପଠାଉଥିଲା। ତେଣୁ ସେମାନେ ବାଧ୍ୟ ହୋଇ ସେହି ୱେପନ୍ସ ବୋଝେଇ ଗାଡ଼ିଗୁଡ଼ିକୁ ଟାର୍ଗେଟ କରି ଉଡାଇ ଦେଇଛନ୍ତି। ସାଉଦି ସିଧାସଳଖ କହିଛି ଯେ ଏହି ଅସ୍ତ୍ରଶସ୍ତ୍ର ତାଙ୍କ ସୁରକ୍ଷା ପାଇଁ ବିପଦ ଥିଲା।
ଏହି ଘଟଣା ପରେ ୟୁଏଇ ମଧ୍ୟ ଚୁପ୍ ବସିନାହିଁ। ସୁରକ୍ଷା କାରଣ ଦର୍ଶାଇ ୟୁଏଇ ତୁରନ୍ତ ୟେମେନରୁ ନିଜର ସୈନ୍ୟ ପ୍ରତ୍ୟାହାର କରିବାକୁ ଘୋଷଣା କରିଛି। ସେପଟେ ୟେମେନର ସାଉଦି ସମର୍ଥିତ ସରକାର ରାଗିଯାଇ ୟୁଏଇ ସହ ଥିବା ଡିଫେନ୍ସ ଡିଲ୍ କୁ ରଦ୍ଦ କରିଦେଇଛନ୍ତି। ପରିସ୍ଥିତି ଏମିତି ହୋଇଛି ଯେ, ଦେଶରେ 90 ଦିନ ପାଇଁ ଏମରଜେନ୍ସି ଘୋଷଣା କରାଯାଇଛି ଏବଂ ୟୁଏଇ ସେନାକୁ ହଟିବା ପାଇଁ ମାତ୍ର 24 ଘଣ୍ଟାର ଅଲଟିମେଟମ୍ ଦିଆଯାଇଛି।
ବିଶେଷଜ୍ଞଙ୍କ ମତରେ, ୟେମେନରେ ଚାଲିଥିବା ଗୃହଯୁଦ୍ଧ ଏବେ ନୂଆ ମୋଡ଼ ନେଇଛି। ହାଡ୍ରାମାଉଟ୍ ଅଞ୍ଚଳରେ ୟୁଏଇ ସମର୍ଥିତ STC ଗୋଷ୍ଠୀର ଦବଦବା ବଢୁଥିବାରୁ ସାଉଦି ଆରବ ଭୟଭୀତ ହୋଇପଡ଼ିଛି। ଦୁଇ ବନ୍ଧୁ ରାଷ୍ଟ୍ରଙ୍କ ଏହି ଲଢ଼େଇ ମଝିରେ ସାଧାରଣ ଲୋକେ ଏବେ ଛନ୍ଦି ହୋଇଯାଇଛନ୍ତି।




