ନୂଆଦିଲ୍ଲୀ: କେବେ ସମୟ ଥିଲା ଲୋକେ ରୁପାକୁ ‘ଗରିବର ସୁନା’ ବୋଲି କହୁଥିଲେ। ହେଲେ ଏବେ ବଜାରରେ ରୁପାର ଯେଉଁ ‘ରଡ଼ ନିଆଁ’ ଲାଗିଛି, ତାହା ଦୁନିଆର ବଡ଼ ବଡ଼ ଟେକ୍ କମ୍ପାନୀଙ୍କ ନିଦ ହଜାଇ ଦେଇଛି। ମାର୍କେଟରେ ରୁପାର ଚମକ ଏମିତି ବଢ଼ିଛି ଯେ, ଏହା ଆପଲ୍ (Apple) ଓ ଗୁଗଲ୍ର ମାଲିକାନା ସଂସ୍ଥା ଆଲଫାବେଟ୍ (Alphabet) କୁ ପଛରେ ପକାଇ ଦେଇଛି। ଏବେ ଏହି ମୂଲ୍ୟବାନ ଧାତୁ ଦୁନିଆର ସବୁଠୁ ଦାମୀ ସମ୍ପତ୍ତି ତାଲିକାରେ ଦ୍ୱିତୀୟ ସ୍ଥାନ ଦଖଲ କରିବାକୁ ମାତ୍ର କିଛି ପାଦ ଦୂରରେ ଅଛି।
ଟେକ୍ ଜାଏଣ୍ଟଙ୍କୁ ମାତ୍ ‘କମ୍ପାନୀଜ୍ ମାର୍କେଟ୍ କ୍ୟାପ୍’ (companiesmarketcap.com) ର ଡାଟା ଅନୁଯାୟୀ, ରୁପାର ମୋଟ ବଜାର ପୁଞ୍ଜି ବା ‘ମାର୍କେଟ୍ କ୍ୟାପିଟାଲାଇଜେସନ୍’ 4.220 ଟ୍ରିଲିୟନ ଡଲାରରେ ପହଞ୍ଚିଛି। ଏହି ସଫଳତା ସହ ରୁପା ଏବେ ଏନଭିଡିଆ (NVIDIA) କମ୍ପାନୀକୁ ଟାର୍ଗେଟ୍ କରିଛି। ଏନଭିଡିଆର ମାର୍କେଟ୍ ଭାଲ୍ୟୁ 4.592 ଟ୍ରିଲିୟନ ଡଲାର ଥିବା ବେଳେ ରୁପା ଏହାଠାରୁ ମାତ୍ର 8.1 ପ୍ରତିଶତ ପଛରେ ରହିଛି। ଯଦି ରୁପା ଦର ଏମିତି ବଢ଼ି ଚାଲେ, ତେବେ ଖୁବଶୀଘ୍ର ଏହା ଦୁନିଆର ଦ୍ୱିତୀୟ ସବୁଠୁ ମୂଲ୍ୟବାନ ‘ଏସେଟ୍’ ପାଲଟିଯିବ।
ସୁନା ଏବେ ବି ନମ୍ବର ୱାନ୍ ଅବଶ୍ୟ ସୁନା ଏବେ ବି ସଭିଙ୍କ ଉପରେ ‘ରାଜ୍’ କରୁଛି। ଡିସେମ୍ବର 26 ସୁଦ୍ଧା ସୁନାର ମାର୍କେଟ୍ କ୍ୟାପ୍ 31.598 ଟ୍ରିଲିୟନ ଡଲାର ରହିଛି, ଯାହା ଅନ୍ୟ ସବୁ ସମ୍ପତ୍ତି ତୁଳନାରେ ବହୁତ ଆଗରେ। କିନ୍ତୁ ରୁପାର ଏହି ‘ହିଷ୍ଟୋରିକ୍ ରାଲି’ ବା ରେକର୍ଡ ବୃଦ୍ଧି ନିବେଶକମାନଙ୍କୁ ଚକିତ କରିଦେଇଛି।
ଭାରତରେ ରୁପା ଦର ‘ଆଉଟ୍ ଅଫ୍ କଣ୍ଟ୍ରୋଲ୍’ ଗ୍ଲୋବାଲ ମାର୍କେଟରେ ‘ସ୍ପଟ୍ ସିଲଭର’ ଦାମ ପ୍ରତି ଆଉନ୍ସ ପିଛା 75 ଡଲାର ଟପି ଯାଇଛି। ଏହାର ପ୍ରଭାବ ଭାରତୀୟ ବଜାରରେ ମଧ୍ୟ ଦେଖିବାକୁ ମିଳିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ ରୁପା ଦାମ କେଜି ପିଛା 2,33,115 ଟଙ୍କାର ସର୍ବକାଳୀନ ରେକର୍ଡ ଛୁଇଁଛି। ଅନ୍ୟପଟେ, ଏନଭିଡିଆର ‘ଷ୍ଟକ୍ ପ୍ରାଇସ୍’ରେ ସାମାନ୍ୟ ହ୍ରାସ ଘଟି ଏହା 188.61 ଡଲାରରେ ଟ୍ରେଡ୍ କରୁଛି।
ଏକ୍ସପର୍ଟଙ୍କ ମତ: ରୁପା ହିଁ ଅସଲି ହିରୋ ‘ଇଣ୍ଡିଆ ବୁଲିୟନ ଆଣ୍ଡ ଜୁଏଲର୍ସ ଆସୋସିଏସନ୍’ (IBJA) ର ନ୍ୟାସନାଲ ସେକ୍ରେଟାରୀ ସୁରେନ୍ଦ୍ର ମେହେଟ୍ଟାଙ୍କ କହିବା କଥା, ରୁପାରେ ଏବେ ଯେଉଁ ‘ମୋମେଣ୍ଟମ’ ଦେଖାଯାଉଛି, ତାହା ଅଟକିବା ଭଳି ଲାଗୁନି। ରୁପା ଖୁବଶୀଘ୍ର ଏନଭିଡିଆକୁ ଓଭରଟେକ୍ କରି ସୁନା ପଛକୁ ଦ୍ୱିତୀୟ ସ୍ଥାନରେ ବସିବ।




