ମୁମ୍ବାଇ: ଆଇପିଏଲ୍ ଗ୍ରାଉଣ୍ଡରେ ସୁନିଲ ନରିନଙ୍କ ଘାତକ ବୋଲିଂ ଓ ବ୍ୟାଟିଂ ସମସ୍ତେ ଦେଖିଛନ୍ତି। ପଡ଼ିଆରେ ସବୁବେଳେ ସିରିୟସ ଦେଖାଯାଉଥିବା ଏହି ‘ମିଷ୍ଟ୍ରି ସ୍ପିନର’ ବାସ୍ତବ ଜୀବନରେ କେତେ ମଜାକିଆ, ତାହା ଏବେ ସାମ୍ନାକୁ ଆସିଛି। କେକେଆର ଷ୍ଟାର ରିଙ୍କୁ ସିଂଙ୍କ ପରିବାର ସହ ନରିନଙ୍କ ଏକ ଭିଡିଓ କଲ୍ ଏବେ ସୋସିଆଲ ମିଡିଆରେ ହଇଚଇ ସୃଷ୍ଟି କରିଛି।
ଘଟଣାଟି ଥିଲା କିଛି ଏମିତି। ରିଙ୍କୁ ସିଂ ନିଜ ଘରକୁ ଏକ ଭିଡିଓ କଲ୍ କରିଥିଲେ। ସେପଟେ ରିଙ୍କୁଙ୍କ ମା’ ଓ ବାପା ଫୋନ୍ରେ ବସିଥିଲେ। ରିଙ୍କୁ ହଠାତ୍ ନିଜ କ୍ୟାମେରାଟିକୁ ପାଖରେ ଥିବା ସୁନିଲ ନରିନଙ୍କ ଆଡ଼କୁ ବୁଲାଇ ଦେଇଥିଲେ। ନରିନଙ୍କୁ ଦେଖି ରିଙ୍କୁଙ୍କ ମା’ ଖୁସି ହୋଇଗଲେ ଏବଂ ଶ୍ରଦ୍ଧାରେ ତାଙ୍କୁ ‘ଭୈୟା’ ବୋଲି ଡାକିଲେ।
ହେଲେ ଏତିକି ବେଳେ ନରିନ ଯେଉଁ ରିଆକ୍ସନ ଦେଇଛନ୍ତି, ତାହା ଶୁଣିଲେ ଆପଣ ବି ହସିବେ। ନରିନ ତୁରନ୍ତ ହିନ୍ଦୀରେ କହିଥିଲେ, “ଭୈୟା ନେହିଁ, ବ୍ରଦର…”। ଅର୍ଥାତ୍ ମୋତେ ଭୈୟା ନୁହେଁ, ‘ବ୍ରଦର’ ବୋଲି ଡାକ। ନରିନଙ୍କ ମୁହଁରୁ ଏହି ଲାଇନ୍ ଶୁଣିବା ପରେ ରିଙ୍କୁ ଓ ତାଙ୍କ ପରିବାର ଲୋକେ ହସି ହସି ବେଦମ ହୋଇଯାଇଥିଲେ।
ଏହି ଭିଡିଓକୁ କେକେଆର ନିଜ ଅଫିସିଆଲ ସୋସିଆଲ ମିଡିଆ ହ୍ୟାଣ୍ଡେଲରେ ଶେୟାର କରିଛି। ଭିଡିଓଟି ପୋଷ୍ଟ ହେବାର ମାତ୍ର କିଛି ସମୟ ମଧ୍ୟରେ ଏଥିରେ ଲକ୍ଷ ଲକ୍ଷ ଲାଇକ୍ସ ଓ କମେଣ୍ଟ ଆସିଛି। ଜଣେ ଫ୍ୟାନ୍ ଲେଖିଛନ୍ତି, “ନରିନ ଏବେ ପୁରା ୟୁପି-ବିହାରୀ ଷ୍ଟାଇଲ୍ ଶିଖିଗଲେଣି”। ଅନ୍ୟ ଜଣେ ଲେଖିଛନ୍ତି, “ନରିନ ଓ ରିଙ୍କୁଙ୍କ ବଣ୍ଡିଂ ସବୁଠୁ ବେଷ୍ଟ”।
କହିରଖୁଛୁ କି, ସୁନିଲ ନରିନ ଏବଂ ରିଙ୍କୁ ସିଂଙ୍କ ମଧ୍ୟରେ ବହୁତ ଭଲ ବନ୍ଧୁତା ରହିଛି। ଗ୍ରାଉଣ୍ଡରେ ଚୁପଚାପ ରହୁଥିବା ନରିନଙ୍କର ଏହି କ୍ୟୁଟ୍ ଅନ୍ଦାଜକୁ ଏବେ କ୍ରିକେଟ ପ୍ରେମୀମାନେ ଖୁବ୍ ପସନ୍ଦ କରୁଛନ୍ତି। ଆଇପିଏଲ 2026 ପୂର୍ବରୁ ଟିମ୍ ଭିତରେ ଏହି ମାହୋଲ ଫ୍ୟାନ୍ସଙ୍କୁ ବେଶ୍ ଉତ୍ସାହିତ କରିଛି।




