ୱାଶିଂଟନ: ଦୁନିଆର ସବୁଠୁ ଶକ୍ତିଶାଳୀ ଦେଶ। ଯାହା ପାଖରେ ଅତ୍ୟାଧୁନିକ ‘ଟେକ୍ନୋଲୋଜି’ ଅଛି, ବିଶାଳ ସେନା ଅଛି। ହେଲେ ଏବେ ଏହି ‘ସୁପର ପାୱାର’ ବଡ଼ ଚିନ୍ତାରେ। ଚିନ୍ତା କୌଣସି ବାହାର ଶତ୍ରୁ ପାଇଁ ନୁହେଁ, ବରଂ ନିଜର ଖାଲି ହୋଇଯାଉଥିବା ହତିଆର ଭଣ୍ଡାର ପାଇଁ। ସ୍ଥିତି ଏମିତି ହୋଇଛି ଯେ, ଯଦି ଆଜି ଆଉ ଏକ ବଡ଼ ଯୁଦ୍ଧ ଆରମ୍ଭ ହୁଏ, ତେବେ ଲଢ଼ିବା ପାଇଁ ଆମେରିକା ପାଖରେ ପର୍ଯ୍ୟାପ୍ତ ଗୋଲାବାରୁଦ ନାହିଁ।
ୟୁକ୍ରେନ ଆଉ ଇସ୍ରାଏଲକୁ ସାହାଯ୍ୟ କରି କରି ଆମେରିକାର ‘ଷ୍ଟକ୍’ ଏବେ ଶେଷ ହେବାକୁ ବସିଲାଣି। ଗୋଟିଏ ପଟେ ରୁଷ-ୟୁକ୍ରେନ ଯୁଦ୍ଧ ଆଉ ଅନ୍ୟପଟେ ମିଡିଲ୍ ଇଷ୍ଟରେ ଚାଲିଥିବା ‘ଟେନସନ’ ଭିତରେ ଆମେରିକା କ୍ରମାଗତ ଭାବେ ‘ମିସାଇଲ୍’ ଓ ଗୋଲାବାରୁଦ ପଠାଉଛି। ନିକଟରେ ପ୍ରକାଶ ପାଇଥିବା ଏକ ରିପୋର୍ଟ ଅନୁସାରେ, ଆମେରିକାର ସେନା ପାଖରେ ଥିବା ଅନେକ ଜରୁରୀ ହତିଆରର ସଂଖ୍ୟା ‘ରେଡ୍ ମାର୍କ’ ତଳକୁ ଖସି ଆସିଲାଣି।
ରିପୋର୍ଟରେ ଥିବା ‘ଡାଟା’ ଅନୁସାରେ, ଯଦି ଚୀନ ସହ ଆମେରିକାର ଯୁଦ୍ଧ ହୁଏ, ତେବେ ମାତ୍ର 1 ସପ୍ତାହ ଭିତରେ ଆମେରିକାର ସବୁ ‘ପ୍ରେସିସନ ଗାଇଡେଡ୍’ ମିସାଇଲ୍ ସରିଯାଇପାରେ। ସବୁଠୁ ବଡ଼ ସମସ୍ୟା ହେଉଛି ‘ପାଟ୍ରିଅଟ୍ ମିସାଇଲ୍’ ଭଳି ବଡ଼ ବଡ଼ ‘ଡିଫେନ୍ସ ସିଷ୍ଟମ’। ଏଗୁଡ଼ିକୁ ତିଆରି କରିବା ପାଇଁ ବର୍ଷ ବର୍ଷ ସମୟ ଲାଗିଥାଏ। ‘ଡେଲିଭରି ଚେନ୍’ରେ ସମସ୍ୟା ଯୋଗୁଁ ନୂଆ ଅର୍ଡର ପୂରା ହେବାକୁ 2 ରୁ 3 ବର୍ଷ ସମୟ ଲାଗୁଛି।
ଏବେ ପ୍ରଶ୍ନ ଉଠୁଛି, ଯଦି ତାଇୱାନ ପ୍ରସଙ୍ଗରେ କିମ୍ବା ଅନ୍ୟ କୌଣସି ଜାଗାରେ ହଠାତ୍ ନୂଆ ଯୁଦ୍ଧ ଲାଗେ, ତେବେ ଆମେରିକା କେମିତି ରିଆକ୍ଟ କରିବ? କେବଳ ଟଙ୍କା ଥିଲେ ଯୁଦ୍ଧ ଜିତି ହୁଏନି, ବନ୍ଧୁକରେ ଗୁଳି ବି ରହିବା ଦରକାର। ଆମେରିକାର ‘ଡିଫେନ୍ସ ଇଣ୍ଡଷ୍ଟ୍ରି’ ଏବେ ଚାପରେ ଅଛି। ଯଦି ଶୀଘ୍ର ହତିଆର ତିଆରି ସଂଖ୍ୟା ବଢ଼ା ନଯାଏ, ତେବେ ବିଶ୍ୱର ଏହି ସବୁଠୁ ବଡ଼ ସେନା ଆଗକୁ ବଡ଼ ଅସୁବିଧାରେ ପଡ଼ିପାରେ। ଖାଲି ଭଣ୍ଡାରକୁ ନେଇ ଏବେ ପେଣ୍ଟାଗନରୁ ହ୍ୱାଇଟ୍ ହାଉସ ପର୍ଯ୍ୟନ୍ତ ସବୁଠି ଖେଳିଯାଇଛି ଆତଙ୍କ।




