ଭୁବନେଶ୍ୱର: ରାସ୍ତା ଉପରେ ଏବେ ଖାଲି Creta ଆଉ Nexon ର ଭିଡ଼। ଲାଗୁଥିଲା ଯେମିତି ଛୋଟ ଗାଡ଼ି ବା ସେଡାନ (Sedan) କିଣିବାକୁ ଆଉ କେହି ନାହାନ୍ତି। କିନ୍ତୁ ନା, ହିସାବ ଓଲଟିଗଲା। 2025 ବର୍ଷର ଫାଇନାଲ ରିପୋର୍ଟ ଆସିବା ପରେ ଅଟୋ ମାର୍କେଟରେ ହଇଚଇ। ସମସ୍ତଙ୍କୁ ପଛରେ ପକାଇ ମାରୁତିର ସବୁଠୁ ପୁରୁଣା ଖେଳାଳି ‘Dzire’ ଏବେ ପୁଣି ଟପ୍ ରେ।
ଗତ କିଛି ବର୍ଷ ହେଲା ଭାରତୀୟ ବଜାରରେ SUV ଗାଡ଼ିର ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳୁଥିଲା। ହେଲେ 2025 ମସିହାରେ Maruti Dzire ସବୁ ରେକର୍ଡ ଭାଙ୍ଗି ଦେଇଛି। ରିପୋର୍ଟ ଅନୁସାରେ, କ୍ୟାଲେଣ୍ଡର ବର୍ଷ 2025 (CY25) ରେ Maruti Suzuki କମ୍ପାନୀର ଏହି ଗାଡ଼ିଟି ସବୁଠାରୁ ଅଧିକ ବିକ୍ରି ହୋଇଛି।
ତଥ୍ୟ କହୁଛି, 2025 ରେ ମୋଟ 2.14 ଲକ୍ଷ (2.14 Lakh) ୟୁନିଟ୍ Dzire ବିକ୍ରି ହୋଇଛି। ଏହା କେବଳ ମାରୁତି ପାଇଁ ଖୁସି ଖବର ନୁହେଁ, ବରଂ ‘ସେଡାନ’ ମାର୍କେଟ ପାଇଁ ଏକ ବଡ଼ କମ୍ବ୍ୟାକ୍। ଗତ ବର୍ଷ ତୁଳନାରେ ଏଥର ବିକ୍ରିରେ ବହୁତ ବଡ଼ ଲମ୍ଫ ଦେଖିବାକୁ ମିଳିଛି।
ଏହି ସଫଳତା ପଛରେ ଦୁଇଟି ବଡ଼ କାରଣ ଥିବା କୁହାଯାଉଛି। ପ୍ରଥମତଃ, ସେପ୍ଟେମ୍ବର 2025 ରେ GST କମିବା ଫଳରେ ଗାଡ଼ିର ଦାମ୍ ପାଖାପାଖି 13 % କମିଯାଇଥିଲା। ଏହା ମଧ୍ୟବିତ୍ତ ପରିବାରଙ୍କୁ ବେଶ୍ ସୁହାଇଥିଲା। ଦ୍ୱିତୀୟରେ, ନୂଆ ଜେନେରେସନ୍ ମଡେଲର ଲୁକ୍ ଏବଂ ଫିଚର ଗ୍ରାହକଙ୍କୁ ଆକର୍ଷିତ କରିବାରେ ସଫଳ ହୋଇଛି। ଯେଉଁଠି Creta, Nexon ଏବଂ Punch ଭଳି SUV ଗାଡ଼ି ମାର୍କେଟ ଦଖଲ କରି ବସିଥିଲେ, ସେଠି ଗୋଟିଏ ସେଡାନ 1 ନମ୍ବର ସ୍ଥାନ ଦଖଲ କରିବା ସତରେ ଆଶ୍ଚର୍ଯ୍ୟଜନକ।




