ନୂଆଦିଲ୍ଲୀ: ଶତ୍ରୁ ଘରୁ ଆସିଲା ସମର୍ଥନର ସ୍ୱର। ଯେଉଁ ପାକିସ୍ତାନ ଦିନରାତି ଭାରତ ବିରୋଧରେ ବିଷ ଓଗାଳୁଛି, ସେହି ମାଟିରୁ ଜଣେ ନେତା ଭାରତର ସାହସକୁ ସାଲ୍ୟୁଟ୍ କରିଛନ୍ତି। କେବଳ ସେତିକି ନୁହେଁ, ପଡ଼ୋଶୀ ଡ୍ରାଗନ୍ ଚୀନ୍ର ଏକ ବଡ଼ ଷଡ଼ଯନ୍ତ୍ର ବିଷୟରେ ମଧ୍ୟ ଭାରତକୁ ସତର୍କ କରାଇ ଦେଇଛନ୍ତି। ବର୍ଷ ଆରମ୍ଭରୁ ପାକିସ୍ତାନର ବାଲୋଚିସ୍ତାନ ଅଞ୍ଚଳରୁ ଆସିଥିବା ଏହି ‘ଓପନ୍ ଲେଟର’ ବା ଖୋଲା ଚିଠି ଏବେ ଅନ୍ତର୍ଜାତୀୟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି ହେଉଛି, ବାଲୋଚିସ୍ତାନର ପ୍ରମୁଖ ନେତା ମିର୍ ୟାର୍ ବାଲୋଚ୍ ଭାରତର ବୈଦେଶିକ ବ୍ୟାପାର ମନ୍ତ୍ରୀ ଏସ୍. ଜୟଶଙ୍କରଙ୍କୁ ଏକ ଚିଠି ଲେଖିଛନ୍ତି। ଏଥିରେ ସେ ଗତବର୍ଷ ଭାରତ ପକ୍ଷରୁ କରାଯାଇଥିବା ‘ଅପରେସନ୍ ସିନ୍ଦୂର’ (Operation Sindoor) କୁ ଖୁବ୍ ପ୍ରଶଂସା କରିଛନ୍ତି। ସେ ସିଧାସଳଖ ଲେଖିଛନ୍ତି ଯେ, ପାକିସ୍ତାନ ଭିତରେ ପଶି ଆତଙ୍କବାଦୀଙ୍କ ଆଡ୍ଡା ଉଡ଼ାଇବା ପାଇଁ ମୋଦୀ ସରକାର ଯେଉଁ ସାହସ ଦେଖାଇଲେ, ତାହା ବାସ୍ତବରେ ପ୍ରଶଂସନୀୟ। ପାକିସ୍ତାନୀ ସେନା ଏବଂ ଆତଙ୍କବାଦୀଙ୍କ ମେରୁଦଣ୍ଡ ଭାଙ୍ଗିବା ପାଇଁ ଏଭଳି ଆକ୍ସନ୍ ଜରୁରୀ ଥିଲା।
କିନ୍ତୁ ଏହି ଚିଠିର ସବୁଠୁ ଗୁରୁତ୍ୱପୂର୍ଣ୍ଣ ଅଂଶ ହେଉଛି ‘ଚୀନ୍ ଉପରେ ଚେତାବନୀ’। ମିର୍ ୟାର୍ ବାଲୋଚ୍ ଆଶଙ୍କା ପ୍ରକାଶ କରିଛନ୍ତି ଯେ, ଆଗାମୀ କିଛି ମାସ ଭିତରେ ଚୀନ୍ ନିଜର ସେନା ବାହିନୀକୁ ବାଲୋଚିସ୍ତାନରେ ମୁତୟନ କରିପାରେ। ଚୀନ୍-ପାକିସ୍ତାନ ଇକୋନମିକ୍ କରିଡର (CPEC) ନାଁରେ ବେଜିଂ ଏଠାରେ ନିଜର କାୟା ବିସ୍ତାର କରୁଛି। ଯଦି ଚୀନ୍ ସେନା ଏଠାରେ ଡେରା ପକାନ୍ତି, ତେବେ ଏହା କେବଳ ବାଲୋଚିସ୍ତାନ ପାଇଁ ନୁହେଁ, ବରଂ ଭାରତର ସୁରକ୍ଷା ପାଇଁ ମଧ୍ୟ ଏକ ବଡ଼ ବିପଦ ହେବ।
ବାଲୋଚ୍ ନେତା ଜଣଙ୍କ ସ୍ପଷ୍ଟ କରିଛନ୍ତି ଯେ, ପାକିସ୍ତାନ ଏବଂ ଚୀନ୍ର ଏହି ମେଣ୍ଟ ଏସିଆ ମହାଦେଶରେ ଅଶାନ୍ତି ସୃଷ୍ଟି କରିବ। ଦୀର୍ଘ ୭୯ ବର୍ଷ ଧରି ବାଲୋଚିସ୍ତାନର ଲୋକମାନେ ପାକିସ୍ତାନୀ ସେନାର ଅତ୍ୟାଚାର ସହି ଆସୁଛନ୍ତି। ଏବେ ଚୀନ୍ର ପ୍ରବେଶ ସ୍ଥିତିକୁ ଆହୁରି ସଙ୍ଗିନ କରିଦେବ। ତେଣୁ ଭାରତ ଏଥିପ୍ରତି ଦୃଷ୍ଟି ଦେବା ଜରୁରୀ।
ଗୋଟିଏ ପଟେ ପାକିସ୍ତାନ ଅନ୍ତର୍ଜାତୀୟ ସ୍ତରରେ ଭାରତ ବିରୋଧରେ ମିଛ ପ୍ରଚାର କରୁଥିବା ବେଳେ, ନିଜ ଘର ଭିତରୁ ଏଭଳି ବିଦ୍ରୋହର ସ୍ୱର ଇସଲାମାବାଦର ନିଦ ହଜାଇ ଦେଇଛି। ‘ଅପରେସନ୍ ସିନ୍ଦୂର’ର ଘା’ ଏବେବି ଶୁଖିନଥିବା ବେଳେ ବାଲୋଚ୍ ନେତାଙ୍କ ଏହି ଚିଠି ପାକିସ୍ତାନ ପାଇଁ ‘କଟା ଘା’ରେ ଚୂନ’ ସଦୃଶ ହୋଇଛି।




