ନୂଆଦିଲ୍ଲୀ: ଏତେ ଦିନ ଧରି ଇଲେକ୍ଟ୍ରିକ୍ ଗାଡ଼ି (EV) ଦୁନିଆରେ କେବଳ ଜଣଙ୍କର ରାଜୁତି ଚାଲିଥିଲା— ସେ ହେଉଛନ୍ତି ଏଲନ୍ ମସ୍କ (Elon Musk) ଏବଂ ତାଙ୍କ କମ୍ପାନୀ Tesla। ହେଲେ 2025 ଶେଷ ହେବା ବେଳକୁ ଚିତ୍ର ପୂରା ବଦଳିଯାଇଛି। ଆମେରିକାର ଦମ୍ଭକୁ ଚୁର୍ମାର୍ କରି ଚୀନ୍ର ଏକ କମ୍ପାନୀ ଏବେ ବିଶ୍ୱର ନମ୍ବର 1 ସ୍ଥାନ ଦଖଲ କରିବାକୁ ଯାଉଛି। ଚୀନ୍ର କାର୍ ନିର୍ମାତା ‘BYD’ ଏବେ Tesla କୁ ପଛରେ ପକାଇ ଦୁନିଆର ସବୁଠୁ ବଡ଼ EV ବିକ୍ରେତା ସାଜିଛି।
ରିପୋର୍ଟ ଅନୁସାରେ, ନଭେମ୍ବର ମାସ ସୁଦ୍ଧା BYD ମୋଟ 2.07 ମିଲିୟନ୍ (20 ଲକ୍ଷରୁ ଅଧିକ) ଇଲେକ୍ଟ୍ରିକ୍ ଗାଡ଼ି ବିକ୍ରି କରିସାରିଛି। ଅନ୍ୟପଟେ Tesla ସେପ୍ଟେମ୍ବର ସୁଦ୍ଧା ମାତ୍ର 1.22 ମିଲିୟନ୍ ଗାଡ଼ି ବିକ୍ରି କରିପାରିଛି। ଅନୁମାନ କରାଯାଉଛି ଯେ, 2025 ବର୍ଷ ଶେଷ ହେବା ବେଳକୁ Tesla ମୋଟ 1.65 ମିଲିୟନ୍ ଗାଡ଼ି ବିକ୍ରି କରିବ, ଯାହା 2024 ତୁଳନାରେ 7.7 % କମ୍। ଅର୍ଥାତ୍, ଏଲନ୍ ମସ୍କଙ୍କ କମ୍ପାନୀ ଏବେ ତଳମୁହାଁ।
କାହିଁକି ଫେଲ୍ ମାରିଲା Tesla? ଏହା ପଛରେ ଦୁଇଟି ବଡ଼ କାରଣ ରହିଛି। ପ୍ରଥମତଃ, ଆମେରିକାରେ ଇଲେକ୍ଟ୍ରିକ୍ ଗାଡ଼ି କିଣିଲେ ମିଳୁଥିବା 7,500 ଡଲାରର ଟ୍ୟାକ୍ସ କ୍ରେଡିଟ୍ (Tax Credit) ସେପ୍ଟେମ୍ବର 30 ରୁ ବନ୍ଦ ହୋଇଯାଇଛି। ଏହା ଗ୍ରାହକଙ୍କୁ ବଡ଼ ଝଟକା ଦେଇଛି। ଉତ୍ତର ଆମେରିକା ଏବଂ ୟୁରୋପ ମାର୍କେଟରେ Tesla ର ଚାହିଦା କମିବାରେ ଲାଗିଛି।
ଦ୍ୱିତୀୟ ଏବଂ ସବୁଠୁ ରୋଚକ କାରଣ ହେଲା ଖୋଦ୍ ଏଲନ୍ ମସ୍କ। ୟେଲ୍ ୟୁନିଭର୍ସିଟି (Yale University) ର ଏକ ଷ୍ଟଡି କହୁଛି ଯେ, ମସ୍କଙ୍କ ରାଜନୈତିକ ବୟାନବାଜି Tesla କୁ ମହଙ୍ଗା ପଡ଼ିଛି। ମସ୍କଙ୍କ ବ୍ୟବହାର ଯୋଗୁଁ ଆମେରିକାରେ 1.0 ରୁ 1.26 ମିଲିୟନ୍ ଗ୍ରାହକ Tesla କିଣିବାକୁ ମନା କରିଦେଇଛନ୍ତି। ଯେଉଁମାନେ ପାରମ୍ପରିକ ଭାବେ Tesla ର ଗ୍ରାହକ ଥିଲେ, ସେମାନେ ଏବେ ଅନ୍ୟ ବ୍ରାଣ୍ଡ୍ ଆଡ଼କୁ ମୁହାଁଉଛନ୍ତି। Deutsche Bank ମଧ୍ୟ ଚେତାବନୀ ଦେଇଛି ଯେ Tesla ର ଖରାପ ଦିନ ଆହୁରି ବାକି ଅଛି।




