ଭୁବନେଶ୍ୱର: କ୍ରିକେଟ୍ ଏବଂ ରାଜନୀତି ପୁଣି ଥରେ ମୁହାଁମୁହିଁ। ସୀମାରେ ଚାଲିଥିବା ଉତ୍ତେଜନା ଏବେ ଖେଳ ପଡିଆକୁ ବ୍ୟାପିଛି, ଯାହାର ସିଧାସଳଖ ପ୍ରଭାବ ଆଇପିଏଲ (IPL) ଏବଂ ଆଗାମୀ ଟି20 ବିଶ୍ୱକପ ଉପରେ ପଡିବାକୁ ଯାଉଛି। ବାଂଲାଦେଶରେ ସଂଖ୍ୟାଲଘୁ ହିନ୍ଦୁମାନଙ୍କ ଉପରେ ଲଗାତାର ହେଉଥିବା ଆକ୍ରମଣକୁ ନେଇ ଭାରତରେ ବଢୁଥିବା ଜନଅସନ୍ତୋଷ ଏବେ କ୍ରିକେଟ୍ ସମ୍ପର୍କରେ ଫାଟ ସୃଷ୍ଟି କରିଛି। ଗୋଟିଏ ପଟେ BCCI ର କଡା ଆଭିମୁଖ୍ୟ ଦେଖିବାକୁ ମିଳିଥିବା ବେଳେ ଅନ୍ୟପଟେ ବାଂଲାଦେଶ ମଧ୍ୟ ପାଲଟା ଆକ୍ରମଣର ମୁଡ୍ରେ ଅଛି। ଏଭଳି ଏକ ସଙ୍ଗୀନ ପରିସ୍ଥିତି କ୍ରିକେଟ୍ ପ୍ରେମୀଙ୍କ ଚିନ୍ତା ବଢାଇ ଦେଇଛି।
ଘଟଣାର ସୂତ୍ରପାତ ହୋଇଥିଲା ଆଇପିଏଲ 2026 ର ଅକ୍ସନ୍ ପରେ। କୋଲକାତା ନାଇଟ୍ ରାଇଡର୍ସ (KKR) ବାଂଲାଦେଶର ଷ୍ଟାର ବାମହାତୀ ପେସ୍ ବୋଲର ମୁସ୍ତାଫିଜୁର ରେହମାନଙ୍କୁ 9.2 କୋଟି ଟଙ୍କାର ବିପୁଳ ଅର୍ଥ ଦେଇ କିଣିଥିଲା। କିନ୍ତୁ ହଠାତ୍ ପରିସ୍ଥିତି ବଦଳିଗଲା। ବିଶେଷ ସୂତ୍ରରୁ ମିଳିଥିବା ଖବର ଅନୁଯାୟୀ, ବାଂଲାଦେଶରେ ହିନ୍ଦୁମାନଙ୍କ ଉପରେ ହେଉଥିବା ଅତ୍ୟାଚାରକୁ ନେଇ ଭାରତରେ ରାଜନୈତିକ ଚାପ ବଢିବା ପରେ BCCI କଡା ପଦକ୍ଷେପ ନେଇଥିଲା। ବୋର୍ଡର ନିର୍ଦ୍ଦେଶ କ୍ରମେ KKR ମୁସ୍ତାଫିଜୁରଙ୍କୁ ଟିମ୍ରୁ ରିଲିଜ୍ କରିବାକୁ ବାଧ୍ୟ ହୋଇଛି ଏବଂ ତାଙ୍କ ସ୍ଥାନରେ ଅନ୍ୟ ଖେଳାଳିଙ୍କୁ ନେବାକୁ ଅନୁମତି ମିଳିଛି।
BCCI ର ଏହି ନିଷ୍ପତ୍ତି ପରେ ବାଂଲାଦେଶର ଅନ୍ତରୀଣ ସରକାର ଭୀଷଣ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସରକାରଙ୍କ ପରାମର୍ଶଦାତା ଆସିଫ ନଜରୁଲ ଏହାକୁ ନିଜ ଦେଶର କ୍ରିକେଟରମାନଙ୍କ ପ୍ରତି “ଅପମାନ” ବୋଲି ଅଭିହିତ କରିଛନ୍ତି। ପ୍ରତିଶୋଧ ସ୍ୱରୂପ, ସେ ବାଂଲାଦେଶ କ୍ରିକେଟ୍ ବୋର୍ଡ (BCB) କୁ ଦୁଇଟି ବଡ଼ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପ୍ରଥମତଃ, ବାଂଲାଦେଶରେ ଆଇପିଏଲର ପ୍ରସାରଣ ତୁରନ୍ତ ବନ୍ଦ କରିବାକୁ ଦାବି କରାଯାଇଛି। ଦ୍ୱିତୀୟତଃ, 2026 ରେ ଭାରତ ଓ ଶ୍ରୀଲଙ୍କାରେ ମିଳିତ ଭାବେ ହେବାକୁ ଥିବା ଟି20 ବିଶ୍ୱକପରେ ବାଂଲାଦେଶ ଭାରତ ମାଟିରେ ଖେଳିବାକୁ ସଫା ସଫା ମନା କରିଦେଇଛି।
ବାଂଲାଦେଶ ଏବେ ପାକିସ୍ତାନର ରାସ୍ତା ଆପଣାଇଛି। ସେମାନେ ICC ନିକଟରେ ଦାବି କରିବେ ଯେ ଭାରତରେ (ବିଶେଷକରି କୋଲକାତା ଓ ମୁମ୍ବାଇରେ) ହେବାକୁ ଥିବା ସେମାନଙ୍କର ସମସ୍ତ ଗ୍ରୁପ୍ ମ୍ୟାଚ୍କୁ ଶ୍ରୀଲଙ୍କାକୁ ସ୍ଥାନାନ୍ତର କରାଯାଉ। ସୁରକ୍ଷା କାରଣ ଦର୍ଶାଇ ସେମାନେ ଏହି ଦାବି ଉପସ୍ଥାପନ କରିବେ।
ଏଠାରେ ଉଲ୍ଲେଖଯୋଗ୍ୟ ଯେ, ଅଗଷ୍ଟ 2024 ରେ ଶେଖ ହସିନାଙ୍କ ସରକାର ପତନ ପରଠାରୁ ବାଂଲାଦେଶରେ ହିନ୍ଦୁ ସଂଖ୍ୟାଲଘୁଙ୍କ ଉପରେ ଆକ୍ରମଣ ବଢିଚାଲିଛି। ରିପୋର୍ଟ ଅନୁଯାୟୀ, ଏହି ସମୟ ମଧ୍ୟରେ 2400 ରୁ ଅଧିକ ହିଂସାକାଣ୍ଡ ଘଟିଛି। ନିକଟରେ ଡିସେମ୍ବର 31, 2025 ରେ ଖୋକନ ଦାସ ନାମକ ଜଣେ ହିନ୍ଦୁ ବ୍ୟକ୍ତିଙ୍କୁ ଜିଅନ୍ତା ଜାଳିଦେବା ଘଟଣା ଭାରତରେ ତୀବ୍ର ପ୍ରତିକ୍ରିୟା ସୃଷ୍ଟି କରିଥିଲା। ଏହି ଭୌଗୋଳିକ ରାଜନୀତିର ଉତ୍ତେଜନା ଏବେ କ୍ରିକେଟ୍ ମୈଦାନକୁ ସରଗରମ କରିଛି।




