ଗୌହାଟୀ: ପଡ଼ିଲାଣି ନିର୍ବାଚନୀ ବିଗୁଲ୍, ତାତିଲାଣି ଅସମ ରାଜନୀତି। 2026 ଭୋଟ୍ ପାଇଁ ଏବେଠୁ ଅଣ୍ଟା ଭିଡ଼ିଲାଣି ବିଜେପି। ଆଉ ଏହି ଲଢ଼େଇ ଜିତିବା ପାଇଁ ଦଳ ଯେଉଁ ‘ବ୍ଲୁ-ପ୍ରିଣ୍ଟ’ ପ୍ରସ୍ତୁତ କରିଛି, ତାହା ଏବେ ବିରୋଧୀଙ୍କ ନିଦ ହଜାଇ ଦେଲାଣି।
ବିଜେପି ପକ୍ଷରୁ ଜାରି କରାଯାଇଥିବା ନିର୍ବାଚନୀ ଇସ୍ତାହାର ବା ‘ମ୍ୟାନିଫେଷ୍ଟୋ’ରେ ରହିଛି ଅନେକ ବଡ଼ ଧମାକା। ସବୁଠୁ ବଡ଼ ଚର୍ଚ୍ଚା ହେଉଛି ‘ୟୁନିଫର୍ମ ସିଭିଲ କୋଡ୍’ (UCC) କୁ ନେଇ। ଯଦି ଦଳ ପୁଣି କ୍ଷମତାକୁ ଆସେ, ତେବେ ଅସମରେ UCC ଲାଗୁ କରିବା ସହ ‘ଲଭ୍ ଜିହାଦ’ ବିରୋଧରେ କଡ଼ା ଆଇନ ଆଣିବାକୁ ଦଳ ପ୍ରତିଶ୍ରୁତି ଦେଇଛି। ବିଜେପିର ଏହି ‘ହିନ୍ଦୁତ୍ୱ’ କାର୍ଡ ରାଜ୍ୟ ରାଜନୀତିକୁ ପୁରା ଗରମ କରିଦେଇଛି।
କେବଳ ସେତିକି ନୁହେଁ, ବାଂଲାଦେଶୀ ଅନୁପ୍ରବେଶକାରୀଙ୍କୁ ରୋକିବା ଏବଂ ସ୍ଥାନୀୟ ଲୋକଙ୍କ ସୁରକ୍ଷା ପାଇଁ NRC ଉପରେ ମଧ୍ୟ ଦଳ ବଡ଼ ଫୋକସ କରିଛି। ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱ ଶର୍ମାଙ୍କ କହିବା କଥା, ଅସମର ସ୍ୱାଭିମାନ ଏବଂ ସଂସ୍କୃତି ବଞ୍ଚାଇବା ପାଇଁ ଏହିସବୁ ପଦକ୍ଷେପ ନିହାତି ଜରୁରୀ। ଦଳର ଏହି ଘୋଷଣା ପରେ ଏବେଠୁ ଗାଁ ଗାଁରେ ‘ଭୋଟ୍ ଗଣିତ’ ଆରମ୍ଭ ହୋଇଗଲାଣି।
ବିଜେପିର ଏହି ଆଗୁଆ ରଣନୀତି ଦେଖି ବିରୋଧୀ କ୍ୟାମ୍ପରେ ଏବେ ଛନକା ପଶିଛି। ‘ମିଶନ 2026’ ପାଇଁ ବିଜେପି ପୁରା ‘ଆକ୍ସନ ମୋଡ୍’ରେ ଥିବା ବେଳେ ସାଧାରଣ ଲୋକଙ୍କ ଭିତରେ ଏହାକୁ ନେଇ ଜୋରଦାର ଚର୍ଚ୍ଚା ଚାଲିଛି। ତେବେ ଏହି ବଡ଼ ପ୍ରତିଶ୍ରୁତି ବିଜେପିକୁ ପୁଣି ଗାଦିରେ ବସାଉଛି କି ନାହିଁ, ତାହା ଉପରେ ସମସ୍ତଙ୍କ ନଜର।



