ଭୁବନେଶ୍ୱର: ରାଜଧାନୀରେ ମେଟ୍ରୋ ରେଳର ସ୍ୱପ୍ନ ଏବେ ସତ ହେବାକୁ ଯାଉଛି। କିନ୍ତୁ ଏହି ‘ଡ୍ରିମ୍ ପ୍ରୋଜେକ୍ଟ’କୁ ନେଇ ଏବେ ଏକ ବଡ଼ ଚର୍ଚ୍ଚା ଆରମ୍ଭ ହୋଇଛି। କେବଳ ବିମାନବନ୍ଦରରୁ ତ୍ରିଶୁଳିଆ ନୁହେଁ, ବରଂ ମେଟ୍ରୋ ଗାଡ଼ି ଏବେ ଖୋର୍ଦ୍ଧା ଆଉ ପୁରୀ ଯାଏଁ ଦୌଡ଼ିବା ଦରକାର। ଏହି ଦାବି ନେଇ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀଙ୍କୁ ଚିଠି ଲେଖିଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡ଼ଙ୍ଗୀ।
ସାଂସଦଙ୍କ କହିବା କଥା ହେଲା, ଭୁବନେଶ୍ୱର ମେଟ୍ରୋ ରେଳ ପ୍ରୋଜେକ୍ଟର ପରିସରକୁ ଆହୁରି ବଢ଼ାଇବା ଦରକାର। ବର୍ତ୍ତମାନର ପ୍ଲାନ ଅନୁସାରେ ପ୍ରଥମ ଫେଜ୍ରେ ବିଜୁ ପଟ୍ଟନାୟକ ଇଣ୍ଟରନ୍ୟାସନାଲ ଏୟାରପୋର୍ଟରୁ କଟକ ତ୍ରିଶୁଳିଆ ଯାଏଁ ଟ୍ରାକ୍ ନିର୍ମାଣ ଚାଲିଛି। କିନ୍ତୁ ଏତିକିରେ ଅଟକି ନଯାଇ ସରକାର ଖୋର୍ଦ୍ଧା ଏବଂ ପୁରୀକୁ ମଧ୍ୟ ଏହି ମେଟ୍ରୋ ନେଟୱାର୍କ ସହିତ ଯୋଡ଼ିବା ଉଚିତ୍।
ଅପରାଜିତାଙ୍କ ଯୁକ୍ତି ଅନୁସାରେ, ଖୋର୍ଦ୍ଧା ହେଉଛି ଏକ ବଡ଼ ବ୍ୟବସାୟିକ ହବ୍ ଏବଂ ପୁରୀ ହେଉଛି ବିଶ୍ୱପ୍ରସିଦ୍ଧ ପର୍ଯ୍ୟଟନ ସ୍ଥଳ। ପ୍ରତିଦିନ ହଜାର ହଜାର ଲୋକ ଏହି ଦୁଇ ସହରରୁ ରାଜଧାନୀକୁ ଯାତାୟାତ କରୁଛନ୍ତି। ଯଦି ମେଟ୍ରୋ କନେକ୍ଟିଭିଟି ମିଳିବ, ତେବେ ଟ୍ରାଫିକ ସମସ୍ୟା କମିବା ସହ ପର୍ଯ୍ୟଟନ କ୍ଷେତ୍ରରେ ମଧ୍ୟ ବଡ଼ ପରିବର୍ତ୍ତନ ଆସିବ।
ଏଥିପାଇଁ ସାଂସଦ ମୁଖ୍ୟମନ୍ତ୍ରୀଙ୍କୁ ଏକ ନୂଆ DPR (Detailed Project Report) ପ୍ରସ୍ତୁତ କରିବାକୁ ପ୍ରସ୍ତାବ ଦେଇଛନ୍ତି। ଖାଲି ସେତିକି ନୁହେଁ, ଟ୍ରେନ୍ ଏବଂ ବସ୍ ସର୍ଭିସ ସହିତ ମେଟ୍ରୋର ତାଳମେଳ ରଖିଲେ ଲୋକେ କମ୍ ଖର୍ଚ୍ଚରେ ଆରାମଦାୟକ ଯାତ୍ରା କରିପାରିବେ ବୋଲି ସେ ଚିଠିରେ ଉଲ୍ଲେଖ କରିଛନ୍ତି। ଏହି ପ୍ରସ୍ତାବ ଉପରେ ଏବେ ରାଜ୍ୟ ସରକାର କି ଆକ୍ସନ ନେଉଛନ୍ତି, ତା’ ଉପରେ ସମସ୍ତଙ୍କ ନଜର ରହିଛି।



