ଶ୍ରୀନଗର: ରାତି ଅଧରେ ଯେତେବେଳେ ସମସ୍ତେ ଗଭୀର ନିଦରେ ଶୋଇଥିଲେ, ସେତିକି ବେଳେ ହଠାତ୍ ଥରି ଉଠିଲା ଧରଣୀ। ଖଟ-ପଲଙ୍କଠୁ ଆରମ୍ଭ କରି ଘରର ଆସବାବପତ୍ର ସବୁ ଜୋରରେ ହଲିବାକୁ ଲାଗିଲା। କିଛି ବୁଝିବା ଆଗରୁ ଲୋକଙ୍କ ଭିତରେ ଖେଳିଗଲା ଆତଙ୍କ। ଜାମ୍ମୁ-କାଶ୍ମୀରର ଡୋଡା ଜିଲ୍ଲାରେ ଗୋଟିଏ କି ଦୁଇଟି ନୁହେଁ, ମାତ୍ର 15 ମିନିଟ୍ ଭିତରେ ପରପର 2 ଥର ଭୂକମ୍ପ ଝଟକା ଅନୁଭୂତ ହୋଇଛି।
ରିପୋର୍ଟ ଅନୁସାରେ, ପ୍ରଥମ ଝଟକାଟି ରାତି ପ୍ରାୟ 12:12 ମିନିଟ୍ରେ ଆସିଥିଲା। ରିକ୍ଟର ସ୍କେଲ୍ରେ ଏହାର ତୀବ୍ରତା 4.9 ରେକର୍ଡ କରାଯାଇଛି। ଏହାର ଠିକ୍ 15 ମିନିଟ୍ ପରେ ଅର୍ଥାତ୍ 12:27 ମିନିଟ୍ରେ ପୁଣିଥରେ ଧରଣୀ ଥରିଥିଲା। ଦ୍ୱିତୀୟ ଭୂକମ୍ପର ତୀବ୍ରତା 4.8 ଥିଲା। ଭୂକମ୍ପର କେନ୍ଦ୍ରସ୍ଥଳ ଡୋଡା ଜିଲ୍ଲା ବୋଲି ଜଣାପଡ଼ିଛି।
ହଠାତ୍ ଏହି ଝଟକା ପରେ ଲୋକେ ଭୟରେ ଘରୁ ବାହାରକୁ ଦୌଡ଼ି ପଳାଇ ଆସିଥିଲେ। କିଛି ସମୟ ପାଇଁ ପୁରା ଏରିଆରେ ‘ପ୍ୟାନିକ୍’ ସିଚୁଏସନ୍ ଦେଖାଯାଇଥିଲା। ପ୍ରବଳ ଶୀତ ସତ୍ତ୍ୱେ ଲୋକେ ଘରକୁ ଯିବାକୁ ସାହସ କରିନଥିଲେ।
ତେବେ ଏହି ଘଟଣାରେ କୌଣସି ଧନଜୀବନ ହାନି ହୋଇଥିବା ନେଇ ଏପର୍ଯ୍ୟନ୍ତ କୌଣସି ରିପୋର୍ଟ ମିଳିନାହିଁ। ପୁଲିସ୍ ଓ ସ୍ଥାନୀୟ ପ୍ରଶାସନ ସ୍ଥିତି ଉପରେ ନଜର ରଖିଛନ୍ତି। ସୋସିଆଲ ମିଡିଆରେ ମଧ୍ୟ ଲୋକେ ନିଜ ନିଜର ଅନୁଭୂତି ସେୟାର କରୁଥିବା ଦେଖିବାକୁ ମିଳିଛି।




