ମୁମ୍ବାଇ, ୧୫/୦୪ (ଓଡ଼ିଆ ପେପର): ପ୍ରେମର ଛଳନା, ଆଉ ପଛରେ ଭୟଙ୍କର ସଇତାନି ବୁଦ୍ଧି। ଜଣେ କି ଦୁଇ ଜଣ ନୁହେଁ, ଶହେ ଅଶୀ ଜଣ ନାବାଳିକାଙ୍କ ଜୀବନ ସହ ଖେଳିଛି ଏହି ନରରାକ୍ଷସ। ସୋସିଆଲ ମିଡିଆରେ ବନ୍ଧୁତା କରି ଝିଅମାନଙ୍କୁ ନିଜ ଜାଲରେ ଫସାଉଥିଲା, ଆଉ ତା’ପରେ ଆରମ୍ଭ କରୁଥିଲା ବ୍ଲାକମେଲିଂର କଳା ଖେଳ। ମହାରାଷ୍ଟ୍ରର ଅମରାବତୀ ଅଞ୍ଚଳରେ ଘଟିଥିବା ଏହି ଲୋମହର୍ଷଣକାରୀ ଘଟଣା ଏବେ ସାରା ଦେଶକୁ ସ୍ତବ୍ଧ କରିଦେଇଛି।
ସୂଚନା ଅନୁସାରେ, ପୁଲିସ୍ ମୁଖ୍ୟ ଅଭିଯୁକ୍ତ ୧୯ ବର୍ଷର ଆୟାନ ଅହମ୍ମଦ ତନବୀରକୁ ଗିରଫ କରିଛି। ଆୟାନ ପ୍ରଥମେ ହ୍ୱାଟସଆପ୍ (WhatsApp) ଓ ସ୍ନାପଚାଟ୍ (Snapchat) ମାଧ୍ୟମରେ ନାବାଳିକାମାନଙ୍କ ସହ ସମ୍ପର୍କ ବଢ଼ାଉଥିଲା। ସେମାନଙ୍କୁ ବୁଲାଇବା ବାହାନାରେ ମୁମ୍ବାଇ ଓ ପୁଣେ ନେଇ ସେଠାରେ ଅତି ନିଚ୍ଚ ଭାବେ ଅଶ୍ଳୀଳ ଭିଡିଓ ସବୁ ଶୁଟିଂ କରୁଥିଲା। ଏହିପରି ଭାବେ ସେ ୧୮୦ ରୁ ଅଧିକ ନାବାଳିକାଙ୍କୁ ଯୌନ ଶୋଷଣ କରିବା ସହ ୩୫୦ ରୁ ଅଧିକ ଆପତ୍ତିଜନକ ଭିଡିଓ ରେକର୍ଡିଂ କରିଥିବା ଅଭିଯୋଗ ହୋଇଛି।
କେବଳ ଭିଡିଓ କରି ସେ ଅଟକି ଯାଉ ନଥିଲା, ବରଂ ସେହି ଭିଡିଓ ଦେଖାଇ ଝିଅମାନଙ୍କୁ ବେଶ୍ୟାବୃତ୍ତି ପାଇଁ ବାଧ୍ୟ କରୁଥିଲା। ଏହି ପୂରା କାଣ୍ଡରେ ତାକୁ ଉଜେର୍ ଖାନ୍ ନାମକ ଅନ୍ୟ ଜଣେ ଯୁବକ ସାହାଯ୍ୟ କରୁଥିଲା, ଯିଏ ଏହି ଭିଡିଓଗୁଡ଼ିକୁ ଭାଇରାଲ (Viral) କରୁଥିଲା। ବିଜେପି ସାଂସଦ ଅନିଲ ବୋଣ୍ଡେ ଏହି ଘଟଣାରେ ପୁଲିସ୍ର ଦୃଷ୍ଟି ଆକର୍ଷଣ କରିବା ପରେ ଏକ ଏସ୍ଆଇଟି (SIT) ଗଠନ କରି ତଦନ୍ତ କରିବାକୁ ଦାବି କରିଛନ୍ତି।
ଅଭିଯୁକ୍ତ ପୂର୍ବରୁ ଏଆଇଏମ୍ଆଇଏମ୍ (AIMIM) ଦଳର ନେତା ଭାବେ ସକ୍ରିୟ ଥିଲା। ଧରାପଡ଼ିବା ଭୟରେ ସେ ଇନଷ୍ଟାଗ୍ରାମ (Instagram) ରୁ ଅନେକ ଭିଡିଓ ଡିଲିଟ୍ କରିଦେଇଥିଲେ ମଧ୍ୟ ପୁଲିସ୍ ତାକୁ କାବୁ କରିଛି। କୋର୍ଟ ଅଭିଯୁକ୍ତକୁ ଏପ୍ରିଲ ୨୧ ଯାଏଁ ପୁଲିସ୍ ରିମାଣ୍ଡରେ ପଠାଇଛନ୍ତି। ଏହି ମାମଲା ଏବେ ମହାରାଷ୍ଟ୍ର ରାଜନୀତିରେ ମଧ୍ୟ ବଡ଼ ଝଡ଼ ସୃଷ୍ଟି କରିଛି।




