କିଭ୍: ସକାଳ ନହେଉଣୁ ଆକାଶରୁ ବର୍ଷିଲା ନିଆଁ। ଲୋକେ ଶୋଇଥିବା ବେଳେ ହଠାତ୍ ସାଇରନ୍ ଶବ୍ଦରେ ଥରିଉଠିଲା ପୂରା ସହର। କିଛି ବୁଝିବା ଆଗରୁ ୟୁକ୍ରେନ ଉପରେ ରୁଷ ଲଦିଦେଲା ଶହ ଶହ ମିସାଇଲ ଓ ଡ୍ରୋନ। ଘଣ୍ଟା ଘଣ୍ଟା ଧରି ଚାଲିଥିବା ଏହି ଭୟଙ୍କର ଆଟାକରେ ଏବେ ସୁଦ୍ଧା ଅତିକମରେ 16 ଜଣଙ୍କ ଜୀବନ ଗଲାଣି।
ମିଳିଥିବା ରିପୋର୍ଟ ଅନୁସାରେ, ରୁଷ ସେନା ଏଥର ୟୁକ୍ରେନର ଏନର୍ଜି ସେକ୍ଟରକୁ ମେନ ଟାର୍ଗେଟ କରିଛି। ପାୱାର ଗ୍ରିଡ୍ ଉପରେ ବୋମା ମାଡ଼ ଯୋଗୁଁ ଅନେକ ସହର ଏବେ ଅନ୍ଧାରରେ। ବଡ଼ ବଡ଼ ବିଲ୍ଡିଂ ଧୂଳିସାତ ହୋଇଯାଇଥିବା ବେଳେ ରାସ୍ତାଘାଟରେ କେବଳ ନିଆଁ ଓ ଧୂଆଁ ଦେଖିବାକୁ ମିଳୁଛି। ଆକ୍ରମଣ ଏତେ ଜୋରଦାର ଥିଲା ଯେ ଲୋକେ ନିଜ ଜୀବନ ବଞ୍ଚାଇବା ପାଇଁ ବଙ୍କର ଓ ମେଟ୍ରୋ ଷ୍ଟେସନ ଭିତରକୁ ଦୌଡ଼ିଥିଲେ।
ସୂଚନା ଅନୁସାରେ, ଏହି ଆଟାକରେ ୟୁକ୍ରେନର ରାଜଧାନୀ କିଭ୍ ସମେତ ଅନେକ ଗୁରୁତ୍ୱପୂର୍ଣ୍ଣ ସହର ପ୍ରଭାବିତ ହୋଇଛି। ସ୍ପଟ୍ରେ ପୁଲିସ୍ ଓ ରେସକ୍ୟୁ ଟିମ୍ ପହଞ୍ଚି ଉଦ୍ଧାର କାର୍ଯ୍ୟ ଜାରି ରଖିଛନ୍ତି। ଆହତମାନଙ୍କୁ ପାଖ ହସ୍ପିଟାଲରେ ଆଡମିଟ୍ କରାଯାଇଛି। ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢିପାରେ ବୋଲି ଆଶଙ୍କା କରାଯାଉଛି।
ୟୁକ୍ରେନର ଅଫିସିଆଲ୍ସ କହିଛନ୍ତି ଯେ, ଏହା ରୁଷର ସବୁଠାରୁ ବଡ଼ ଏୟାର ଆଟାକ ମଧ୍ୟରୁ ଗୋଟିଏ। ଲଗାତାର କିଛି ଘଣ୍ଟା ଧରି ମିସାଇଲ ବର୍ଷା କରି ପୁଟିନଙ୍କ ସେନା ପୁଣି ଥରେ ନିଜର ଭୟଙ୍କର ରୂପ ଦେଖାଇଛି। ଏହି ୱାର୍ କେବେ ଶେଷ ହେବ, ତାକୁ ନେଇ ଏବେ ସାରା ବିଶ୍ୱ ଚିନ୍ତାରେ।




