ଭୁବନେଶ୍ୱର: ରାଜଧାନୀର ରାଜନୀତି ଓ ପ୍ରଶାସନିକ ଚଳପ୍ରଚଳ ଭିତରେ ଏବେ ସାଧାରଣ ଲୋକଙ୍କ ସ୍ୱର ଶୁଭିବ। କେବଳ ସରକାରୀ ଫାଇଲ୍ କିମ୍ବା ଯୋଜନାରେ ସୀମିତ ରହିବନି ଅଭିଯୋଗ, ବରଂ ଲୋକଙ୍କ ହକ୍ ପାଇଁ ସିଧାସଳଖ ମୈଦାନକୁ ଓହ୍ଲାଇବେ ରାଜ୍ୟର ଅନେକ ବଡ଼ ବଡ଼ ମୁଣ୍ଡ। ସରକାରଙ୍କୁ ପ୍ରଶ୍ନ କରିବା ସହ ଜନତାଙ୍କ ଅଧିକାର ପାଇଁ ଲଢ଼େଇ କରିବାକୁ ଜନ୍ମ ନେଇଛି ‘ଓଡ଼ିଶା ସିଟିଜେନ ଫୋରମ’।
ରାଜ୍ୟର ଅବସରପ୍ରାପ୍ତ ବରିଷ୍ଠ ‘ବ୍ୟୁରୋକ୍ରାଟ’, ପୁଲିସ୍ ଅଫିସର ଓ ବୁଦ୍ଧିଜୀବୀମାନେ ଏବେ ଏକାଠି ହୋଇଛନ୍ତି। ଭୁବନେଶ୍ୱରରେ ଆୟୋଜିତ ଏକ ଗୁରୁତ୍ୱପୂର୍ଣ୍ଣ ‘ମିଟିଂ’ରେ ଏହି ନୂଆ ସଂଗଠନର ଶୁଭାରମ୍ଭ କରାଯାଇଛି। ପୂର୍ବତନ ଚିଫ୍ ସେକ୍ରେଟାରୀ ସହଦେବ ସାହୁଙ୍କୁ ଏହି ‘ଫୋରମ’ର ପ୍ରେସିଡେଣ୍ଟ ଭାବେ ଦାୟିତ୍ୱ ଦିଆଯାଇଥିବା ବେଳେ ପୂର୍ବତନ ଡିଜିପି ସଞ୍ଜୀବ ମାରିକ ଓ ଅନ୍ୟ ବରିଷ୍ଠ ବ୍ୟକ୍ତିମାନେ ଏଥିରେ ସାମିଲ ହୋଇଛନ୍ତି।
ଏହି ସଂଗଠନ କୌଣସି ପଲିଟିକାଲ୍ ପାର୍ଟି ପାଇଁ କାମ କରିବ ନାହିଁ। ଏହା ସମ୍ପୂର୍ଣ୍ଣ ଭାବେ ଏକ ଅଣ-ରାଜନୈତିକ ପ୍ଲାଟଫର୍ମ। ରାଜ୍ୟରେ ଚାଲିଥିବା ବିଭିନ୍ନ ସରକାରୀ ଯୋଜନାରେ ସ୍ୱଚ୍ଛତା ଆଣିବା, ଦୁର୍ନୀତି ବିରୋଧରେ ସ୍ୱର ଉଠାଇବା ଓ ସାଧାରଣ ଜନତାଙ୍କ ସମସ୍ୟାକୁ ସରକାରଙ୍କ ନଜରକୁ ଆଣିବା ହେଉଛି ଏହାର ମୁଖ୍ୟ ‘ମିଶନ’। ଏକ ପ୍ରକାର ‘ୱାଚ୍ ଡଗ୍’ ଭଳି ଏହି ଫୋରମ କାମ କରିବ ବୋଲି ସୂଚନା ମିଳିଛି।
ଆଗାମୀ ଦିନରେ ଏହି ଫୋରମ ରାଜ୍ୟର 30ଟି ଯାକ ଜିଲ୍ଲାରେ ନିଜର ନେଟୱର୍କ ବଢ଼ାଇବ। ଗାଁଠୁ ସହର ପର୍ଯ୍ୟନ୍ତ ଲୋକଙ୍କୁ ସଚେତନ କରିବା ସହ ସରକାରଙ୍କ ପ୍ରତିଟି ନିଷ୍ପତ୍ତି ଉପରେ ନଜର ରଖିବ। ସାଧାରଣ ଲୋକଙ୍କ ସ୍ୱାର୍ଥ ରକ୍ଷା ପାଇଁ ଏହି ବରିଷ୍ଠ ଅଫିସରମାନଙ୍କ ଅଭିଜ୍ଞତା ବେଶ୍ କାମରେ ଆସିବ ବୋଲି ଚର୍ଚ୍ଚା ହେଉଛି। ଫୋରମର ଅନ୍ୟ କର୍ମକର୍ତ୍ତାଙ୍କ ମଧ୍ୟରେ ପ୍ରସନ୍ନ ଦାଶଙ୍କ ଭଳି ବହୁ ଚେହେରା ଏହି ନୂଆ ‘ଟିମ୍’ରେ ସ୍ଥାନ ପାଇଛନ୍ତି।




