ଇସଲାମାବାଦ: ସାରା ବିଶ୍ୱ ଏବେ ଥରୁଛି। କେତେବେଳେ କ’ଣ ହେବ, କେଉଁଠି ମିସାଇଲ ମାଡ଼ ହେବ, ସେଇ ଡର ସମସ୍ତଙ୍କୁ ଘାରିଛି। ଠିକ୍ ଏହି ସମୟରେ ଏକ ବଡ଼ ଖବର ସାମ୍ନାକୁ ଆସିଛି। ମିଡିଲ ଇଷ୍ଟରେ ଲାଗିଥିବା ନିଆଁକୁ ଲିଭାଇବା ପାଇଁ ଏବେ ଆରମ୍ଭ ହୋଇଛି ବଡ଼ କସରତ। ଆଉ ଏହି ଶାନ୍ତି ଆଲୋଚନାର ପେଣ୍ଠସ୍ଥଳୀ ସାଜିଛି ପାକିସ୍ତାନ।
ଇରାନ ଆଉ ଆମେରିକା ମଧ୍ୟରେ ଲାଗିଥିବା କଳିରେ ଏବେ ଫୁଲଷ୍ଟପ୍ ପଡ଼ିପାରେ। ଆସନ୍ତା April 20 ତାରିଖରେ ପାକିସ୍ତାନର ରାଜଧାନୀ ଇସଲାମାବାଦରେ ଦୁଇ ଦେଶ ମଧ୍ୟରେ ଏକ ହାଇ-ଭୋଲଟେଜ୍ ‘ପିସ୍ ଟକ୍’ ବା ଶାନ୍ତି ଆଲୋଚନା ହେବାକୁ ଯାଉଛି। ଦୁଇ ଦେଶ ଭିତରେ ବଢୁଥିବା ଟେନସନକୁ କମ କରିବା ପାଇଁ ଏହା ଏକ ବଡ଼ ପ୍ଲାନ୍ ବୋଲି ଚର୍ଚ୍ଚା ହେଉଛି।
ରିପୋର୍ଟ ଅନୁସାରେ, ଗତ କିଛି ଦିନ ହେବ ଏହି ଦୁଇ ଶକ୍ତିଶାଳୀ ଦେଶ ମଧ୍ୟରେ ପରିସ୍ଥିତି ଏକଦମ ଖରାପ ସ୍ଥିତିରେ ଅଛି। ସାରା ଦୁନିଆ ଏବେ ଏକ ବଡ଼ ଯୁଦ୍ଧ ମୁହଁକୁ ଠେଲି ହୋଇଯାଉଥିବା ବେଳେ ଏହି ମିଟିଂ ଉପରେ ସମସ୍ତଙ୍କ ନଜର ରହିଛି। ବିଶେଷ କରି ତେଲ ଦର ବୃଦ୍ଧି ଏବଂ ଆର୍ଥିକ ମାନ୍ଦାବସ୍ଥା ଭୟ ଭିତରେ ଏହି ଆଲୋଚନାକୁ ବେଶ ଗୁରୁତ୍ୱ ଦିଆଯାଉଛି।
ତେବେ ଏହି ଆଲୋଚନାରୁ କ’ଣ ବାହାରିବ, ତାହା ଦେଖିବାକୁ ବାକି ରହିଲା। ଗୋଟିଏ ପଟେ ଆମେରିକାର ଜିଦ୍ ଆଉ ଅନ୍ୟପଟେ ଇରାନର କଡ଼ା ଆଭିମୁଖ୍ୟ। ଏଭଳି ସ୍ଥିତିରେ ଇସଲାମାବାଦର ଏହି ଟେବୁଲ ଉପରେ ବସି କିଏ କାହା କଥା ମାନୁଛି, ତାହା April 20 ତାରିଖରେ ସ୍ପଷ୍ଟ ହେବ। ସାରା ଦୁନିଆ ଏବେ ଏହି ଗୁରୁତ୍ୱପୂର୍ଣ୍ଣ ଦିନକୁ ଅପେକ୍ଷା କରିଛି।




