ନୂଆଦିଲ୍ଲୀ: ସମୁଦ୍ରର ନୀଳ ଜଳରାଶି ମଝିରେ ହଠାତ ଖେଳିଗଲା ଆତଙ୍କ। ଭାରତୀୟ ଜାହାଜକୁ ଟାର୍ଗେଟ୍ କରି ଗର୍ଜିଲା ବନ୍ଧୁକ। ହର୍ମୁଜ ପ୍ରଣାଳୀ (Strait of Hormuz) ଦେଇ ଯେତେବେଳେ ଭାରତୀୟ ପଣ୍ୟବାହୀ ଜାହାଜ ‘ମାର୍ସ୍କ କାଡିଜ୍’ (Maersk Cadiz) ଆଗକୁ ବଢୁଥିଲା, ସେତେବେଳେ ଇରାନ ନୌସେନାର ଗୁଳିମାଡ଼ ସବୁକିଛି ଓଲଟପାଲଟ କରିଦେଲା। ଏହି ଘଟଣାକୁ ନେଇ ଦୁଇ ଦେଶ ମଧ୍ୟରେ ଉତ୍ତେଜନା ବଢିବା ଆଶଙ୍କା ଥିବାବେଳେ ଏବେ ବଡ଼ ବୟାନ ଦେଇଛି ଇରାନ।
ଇରାନର କହିବା କଥା ହେଲା, ଭାରତ ସହିତ ତାଙ୍କର ସମ୍ପର୍କ ଆଜିକାଲିକାର ନୁହେଁ। ଏହା ପ୍ରାୟ 5000 ବର୍ଷର ପୁରୁଣା। ତେହେରାନ ସ୍ପଷ୍ଟ କରିଛି ଯେ, ଭାରତୀୟ ଜାହାଜକୁ ଜାଣିଶୁଣି ଆଟାକ୍ କରାଯାଇନି। କେବଳ ଚେତାବନୀ ଦେବା ପାଇଁ ‘ୱାର୍ଣ୍ଣିଂ ଶଟ୍’ (Warning shot) ମରାଯାଇଥିଲା। ଭାରତ ଆମର ପୁରୁଣା ବନ୍ଧୁ, ତେଣୁ ଶତ୍ରୁତା କରିବାର ପ୍ରଶ୍ନ ଉଠୁନି ବୋଲି ଇରାନ ପକ୍ଷରୁ କୁହାଯାଇଛି।
କାହିଁକି ହେଲା ଗୁଳିମାଡ଼? ଇରାନ ଆମ୍ବାସଡରଙ୍କ ସୂଚନା ଅନୁସାରେ, ସମୁଦ୍ର ପଥରେ ଯାଉଥିବା ସମୟରେ ସେହି ଜାହାଜଟି କିଛି ଇଣ୍ଟରନ୍ୟାସନାଲ୍ ରୁଲ୍ସ ଓ ସିଗନାଲକୁ ମାନିନଥିଲା। ବାରମ୍ବାର ଚେତାବନୀ ସତ୍ତ୍ୱେ ଜାହାଜଟି ନିଜର ଗତିପଥ ବଦଳାଇ ନଥିଲା। ସୁରକ୍ଷା ଦୃଷ୍ଟିରୁ ଓ ଜାହାଜକୁ ଅଟକାଇବା ପାଇଁ ନୌସେନା ପକ୍ଷରୁ ଫାୟାରିଂ କରାଯାଇଥିଲା। ଏଥିରେ କୌଣସି ପ୍ରକାରର ‘ରାଜନୈତିକ ଉଦ୍ଦେଶ୍ୟ’ ନାହିଁ କିମ୍ବା ଭାରତକୁ ହଇରାଣ କରିବା ପାଇଁ ଏହା କରାଯାଇନି।
୫୦୦୦ ବର୍ଷର ପୁରୁଣା ସମ୍ପର୍କ: ଇରାନ କହିଛି ଯେ, ସେମାନେ ଭାରତ ସହିତ ଥିବା ଐତିହାସିକ ସମ୍ପର୍କକୁ ବହୁତ ସମ୍ମାନ ଦିଅନ୍ତି। ଏହି ଛୋଟ ଘଟଣା ପାଇଁ ଦୁଇ ଦେଶର ବନ୍ଧୁତାରେ କୌଣସି ପ୍ରଭାବ ପଡ଼ିବ ନାହିଁ। ହର୍ମୁଜ ପ୍ରଣାଳୀ ଏକ ସେନସିଟିଭ୍ ଏରିଆ ହୋଇଥିବାରୁ ସେଠାରେ ପ୍ରୋଟୋକଲ୍ ମାନିବା ସମସ୍ତଙ୍କ ପାଇଁ ଜରୁରୀ। ତେବେ ଏହି ଘଟଣା ପରେ ଭାରତୀୟ ନୌସେନା ଓ ବିଦେଶ ମନ୍ତ୍ରଣାଳୟ ପୂରା ମାମଲା ଉପରେ ନଜର ରଖିଛନ୍ତି। ଅନ୍ତର୍ଜାତୀୟ ବଜାରରେ ତେଲ ପରିବହନ ପାଇଁ ଏହି ରୁଟ୍ ସବୁଠାରୁ ଗୁରୁତ୍ୱପୂର୍ଣ୍ଣ ହୋଇଥିବାରୁ ଏଭଳି ଫାୟାରିଂ ଘଟଣା ସମସ୍ତଙ୍କୁ ଚିନ୍ତାରେ ପକାଇଛି।




