ଭୋପାଳ: ରାଜନୀତିର ଗୋଳିଆ ପାଣିରେ ଏବେ ହଇଚଇ। କେତେବେଳେ କେଉଁ ମୋଡ଼ ନେବ ‘ଫେକ୍’ ଚିଠି ମାମଲା, ତାହା କେହି ଜାଣି ନଥିଲେ। ହେଲେ ହଠାତ୍ ଭୋପାଳରେ ରାଜସ୍ଥାନ ପୋଲିସର ‘ଏଣ୍ଟ୍ରି’ ସବୁ କିଛି ବଦଳାଇ ଦେଇଛି। ରାଜସ୍ଥାନର ପୂର୍ବତନ ମୁଖ୍ୟମନ୍ତ୍ରୀ ବସୁନ୍ଧରା ରାଜେଙ୍କ ନାଁରେ ଏକ ଜାଲ୍ ଚିଠି ଭାଇରାଲ୍ କରିବା ଅଭିଯୋଗରେ ଶେଷରେ ଧରାପଡ଼ିଛନ୍ତି ୩ ଜଣ କଂଗ୍ରେସ କର୍ମୀ।
ସୂଚନା ଅନୁସାରେ, ରାଜସ୍ଥାନ ପୋଲିସର ଏକ ‘କ୍ରାଇମ ବ୍ରାଞ୍ଚ’ ଟିମ୍ ହଠାତ୍ ଭୋପାଳରେ ପହଞ୍ଚି ଏହି ୩ ଜଣଙ୍କୁ ‘ଡିଟେନ୍’ କରିଛି। ବସୁନ୍ଧରା ରାଜେ ଏବଂ ଲଳିତ ମୋଦିଙ୍କ ମଧ୍ୟରେ ଥିବା ସମ୍ପର୍କକୁ ନେଇ ଏହି ଚିଠିରେ ଅନେକ ବିବାଦୀୟ କଥା ଲେଖାଯାଇଥିଲା। ଚିଠିଟି ସୋସିଆଲ ମିଡିଆରେ ବେଶ୍ ଭାଇରାଲ୍ ହେବା ପରେ ଏହା ପଛରେ କାହାର ହାତ ଅଛି, ସେ ନେଇ ଖୋଳତାଡ଼ ଆରମ୍ଭ ହୋଇଥିଲା।
ତଦନ୍ତରୁ ଜଣାପଡ଼ିଛି ଯେ, ଏହି ଫେକ୍ ଚିଠି ପଛରେ ମଧ୍ୟପ୍ରଦେଶ କଂଗ୍ରେସର କିଛି କର୍ମୀଙ୍କ ସଂପୃକ୍ତି ରହିଛି। ଭୋପାଳର ଶିବାଜୀ ନଗର ଅଞ୍ଚଳରୁ ପୋଲିସ ଏହି ୩ ଜଣଙ୍କୁ ଉଠାଇ ନେଇଛି। ସେମାନଙ୍କୁ ଏବେ ଏକ ଅଜ୍ଞାତ ସ୍ଥାନରେ ରଖି ପଚରାଉଚରା କରାଯାଉଛି।
ଏହି ଘଟଣା ପରେ ଭୋପାଳରୁ ଜୟପୁର ପର୍ଯ୍ୟନ୍ତ ରାଜନୀତି ସରଗରମ ହୋଇଛି। କଂଗ୍ରେସ ପକ୍ଷରୁ ଏହି କାର୍ଯ୍ୟାନୁଷ୍ଠାନକୁ ବିରୋଧ କରାଯାଉଥିବା ବେଳେ, ପୋଲିସ କିନ୍ତୁ ପ୍ରମାଣ ଆଧାରରେ ଆଗକୁ ବଢୁଛି। ଏହି ‘ଫେକ୍ ଲେଟର’ ଷଡ଼ଯନ୍ତ୍ରରେ ଆଉ କିଏ କିଏ ସାମିଲ ଅଛନ୍ତି, ତାହା ଏବେ ବଡ଼ ପ୍ରଶ୍ନ। ପୋଲିସ କହିଛି ଯେ ଖୁବଶୀଘ୍ର ସେମାନଙ୍କୁ କୋର୍ଟରେ ହାଜର କରାଯାଇ ପରବର୍ତ୍ତୀ ପ୍ରକ୍ରିୟା ଆରମ୍ଭ ହେବ।




