କୋଲକାତା: ପଶ୍ଚିମବଙ୍ଗ ନିର୍ବାଚନ ମଇଦାନ ଏବେ ପୂରା ହଟ୍। ଗୋଟିଏ ପଟେ ବିଜେପିକୁ ରୋକିବାକୁ ‘ଇଣ୍ଡିଆ’ ଆଲାୟନ୍ସ ଗଠନ ହୋଇଛି, ହେଲେ ବେଙ୍ଗଲ ଗ୍ରାଉଣ୍ଡରେ ଚିତ୍ର ପୂରା ଓଲଟା। ରାହୁଲ ଗାନ୍ଧୀ ଆସିଥାନ୍ତେ, କଂଗ୍ରେସ କର୍ମୀଙ୍କ ଭିତରେ ଜୋଶ୍ ଭରିଥାନ୍ତେ, କିନ୍ତୁ ଶେଷ ମୁହୂର୍ତ୍ତରେ ସବୁ ପ୍ଲାନ ଫେଲ୍ ମାରିଛି। ରାହୁଲଙ୍କ ହେଲିକପ୍ଟର ଓହ୍ଲାଇବାକୁ ଜାଗା ମିଳିଲାନି କି ସଭା ପାଇଁ ପରମିଶନ ମିଳିଲାନି। ଶେଷରେ ବାଧ୍ୟ ହୋଇ କଂଗ୍ରେସ ତାଙ୍କର ବେଙ୍ଗଲ ଗସ୍ତକୁ ବାତିଲ କରିଛି।
ଏହି ଘଟଣା ପଛରେ ତୃଣମୂଳ କଂଗ୍ରେସ ବା TMC ର ହାତ ଥିବା କହି କଂଗ୍ରେସ ଏବେ ଆକ୍ରମଣାତ୍ମକ ମୁଡ୍କୁ ଚାଲିଆସିଛି। କଂଗ୍ରେସର ଅଭିଯୋଗ ହେଉଛି ଯେ, ମମତା ବାନାର୍ଜୀଙ୍କ ସରକାର ଜାଣିଶୁଣି ରାହୁଲଙ୍କ କାର୍ଯ୍ୟକ୍ରମରେ ବାଧା ସୃଷ୍ଟି କରୁଛନ୍ତି। ପୁଲିସ୍ ପ୍ରଶାସନକୁ ବ୍ୟବହାର କରି ସଭା ପାଇଁ ଅନୁମତି ଦିଆଯାଉ ନାହିଁ। ଯେଉଁଠି ରାହୁଲଙ୍କ ହେଲିକପ୍ଟର ଲ୍ୟାଣ୍ଡ କରିବାର ଥିଲା, ସେଠାରେ ସୁରକ୍ଷା କାରଣ ଦର୍ଶାଇ ରୋକାଯାଇଛି।
ବେଙ୍ଗଲ କଂଗ୍ରେସ ନେତାମାନେ ଏହାକୁ ନେଇ କ୍ଷୋଭ ପ୍ରକାଶ କରିଛନ୍ତି। ସେମାନଙ୍କ କହିବା କଥା ହେଲା, ଦିଦିଙ୍କ ରାଜ୍ୟରେ ଗଣତନ୍ତ୍ର ବିପଦରେ। ବିଜେପି ବିରୋଧରେ ଲଢ଼ିବା କଥା କହି ମମତା ଏବେ କଂଗ୍ରେସର ଗୋଡ଼ ଟାଣୁଛନ୍ତି। ନିର୍ବାଚନ ବେଳେ ଷ୍ଟାର ପ୍ରଚାରକଙ୍କୁ ଅଟକାଇବା ପାଇଁ ଏହା ଏକ ସ୍ପଷ୍ଟ ଷଡ଼ଯନ୍ତ୍ର ବୋଲି ଚର୍ଚ୍ଚା ହେଉଛି।
ଅନ୍ୟପଟେ, TMC ଏହି ଅଭିଯୋଗକୁ ଖଣ୍ଡନ କରିଛି। ହେଲେ ରାଜନୈତିକ କରିଡରରେ ଏବେ ଗୋଟିଏ ପ୍ରଶ୍ନ- ଯଦି ଦିଲ୍ଲୀରେ ସମସ୍ତେ ଏକାଠି, ତେବେ ବେଙ୍ଗଲରେ ଏତେ ଟେନସନ କାହିଁକି? ରାହୁଲଙ୍କ ଗସ୍ତ ବାତିଲ ହେବା ପରେ କଂଗ୍ରେସ କର୍ମୀଙ୍କ ମଧ୍ୟରେ ନିରାଶା ଖେଳିଯାଇଥିବା ବେଳେ ବେଙ୍ଗଲ ରାଜନୀତି ଏବେ ନୂଆ ମୋଡ଼ ନେଇଛି। ଏହି ବିବାଦ ପରେ ଇଣ୍ଡିଆ ଆଲାୟନ୍ସର ଭବିଷ୍ୟତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।




