ନୂଆଦିଲ୍ଲୀ: ଭାରତୀୟ ଆକାଶରେ ଏବେ ବଡ଼ ଖେଳ। ଗୋଟିଏ ପଟେ ଏୟାର ଇଣ୍ଡିଆ ଓ ଭିସ୍ତାରାର ମର୍ଜରକୁ ନେଇ ଚର୍ଚ୍ଚା ଚାଲିଥିବା ବେଳେ ଏବେ ସିଙ୍ଗାପୁର ଏୟାରଲାଇନ୍ସ (SIA) ଏକ ବଡ଼ ଚାଲ୍ ଖେଳିଛି। ନିଜର ପ୍ରଫିଟ୍ କମିଥିଲେ ମଧ୍ୟ କମ୍ପାନୀ ପଛକୁ ହଟିବା ମୁଡରେ ନାହିଁ। ବରଂ ଏୟାର ଇଣ୍ଡିଆ ସହ ମିଶି ନୂଆ ଇତିହାସ ରଚିବାକୁ ଅଣ୍ଟା ଭିଡ଼ିଛି।
ମିଳିଥିବା ରିପୋର୍ଟ ଅନୁସାରେ, ସିଙ୍ଗାପୁର ଏୟାରଲାଇନ୍ସର ଲାଭରେ ପ୍ରାୟ 48.5% ହ୍ରାସ ଘଟିଛି। କିନ୍ତୁ ଭାରତ ଭଳି ଏକ ବିରାଟ ମାର୍କେଟକୁ ହାତଛଡ଼ା କରିବାକୁ ଚାହୁଁନି ଏହି ଗ୍ଲୋବାଲ ଏୟାରଲାଇନ୍ସ। ଏୟାର ଇଣ୍ଡିଆରେ ନିଜର ଭାଗିଦାରୀ ବଢ଼ାଇବା ସହ 25.1% ଷ୍ଟେକ୍ ନିଜ ପାଖରେ ରଖିବାକୁ ଏହା ନିଷ୍ପତ୍ତି ନେଇଛି। ଏଥିପାଇଁ ପ୍ରାୟ 3195 କୋଟି ଟଙ୍କାର ଅତିରିକ୍ତ ଇନଭେଷ୍ଟମେଣ୍ଟ ମଧ୍ୟ କରାଯାଉଛି।
ବିମାନ ଚଳାଚଳ ଦୁନିଆରେ ଭାରତ ଏବେ ସବୁଠୁ ଦ୍ରୁତ ଗତିରେ ବଢୁଥିବା ଦେଶ। ସେଥିପାଇଁ ‘ମହାରାଜା’ଙ୍କ ପୁରୁଣା ଦିନ ଫେରାଇ ଆଣିବାକୁ ଟାଟା ଗ୍ରୁପ୍ ସହ କାନ୍ଧକୁ କାନ୍ଧ ମିଶାଇଛି SIA। ଭିସ୍ତାରା ଏବେ ଏୟାର ଇଣ୍ଡିଆରେ ମିଶିଯାଇଛି, ଯାହା ଫଳରେ ଏୟାର ଇଣ୍ଡିଆ ଏବେ ଆହୁରି ପାୱାରଫୁଲ୍ ହେବ। ଦୁନିଆର ବଡ଼ ବଡ଼ ଏୟାରଲାଇନ୍ସକୁ ଟକ୍କର ଦେବା ପାଇଁ ଏହା ଏକ ବଡ଼ ରଣନୀତି।
କମ୍ପାନୀର କହିବା କଥା, ଏବେ ମାର୍କେଟରେ କମ୍ପିଟିସନ ବଢିଛି ଏବଂ ତେଲ ଦର ସାଙ୍ଗକୁ ଅନ୍ୟାନ୍ୟ ଖର୍ଚ୍ଚ ମଧ୍ୟ ବଢିଛି। ଏହି କାରଣରୁ ପ୍ରଫିଟ୍ ଉପରେ ପ୍ରଭାବ ପଡ଼ିଛି। କିନ୍ତୁ ଏୟାର ଇଣ୍ଡିଆ ସହିତ ଏହି ନୂଆ ପାର୍ଟନରସିପ୍ ଆଗାମୀ ଦିନରେ ସେମାନଙ୍କୁ ବଡ଼ ଫାଇଦା ଦେବ। ଏବେ ଦେଖିବାକୁ ବାକି ରହିଲା, ସିଙ୍ଗାପୁର ଏୟାରଲାଇନ୍ସର ଏହି ବଡ଼ ବାଜି ଭାରତୀୟ ପାସେଞ୍ଜରଙ୍କ ପାଇଁ କି ନୂଆ ସୁବିଧା ଆଣୁଛି।




