ମୁମ୍ବାଇ: ସକାଳୁ ସକାଳୁ ସବୁ କିଛି ଠିକ୍ଠାକ୍ ଲାଗୁଥିଲା। ହେଲେ ମାର୍କେଟ୍ ଖୋଲିବା କ୍ଷଣି ଇନଭେଷ୍ଟରଙ୍କ ହୋସ୍ ଉଡ଼ିଗଲା। କମ୍ପ୍ୟୁଟର ସ୍କ୍ରିନ୍ ପୁରା ଲାଲ୍। କାହାରି ପାଟିରୁ କଥା ବାହାରୁନି। ଗୋଟିଏ ପରେ ଗୋଟିଏ ସେୟାର ତଳକୁ ଖସିବାରେ ଲାଗିଛି। ଦଲାଲ୍ ଷ୍ଟ୍ରିଟ୍ରେ ଏବେ ଖାଲି ଭୟ ଆଉ ଆତଙ୍କର ମାହୋଲ। ମନେ ହେଉଛି, ଯେମିତି କିଛି ସେକେଣ୍ଡ ଭିତରେ କୋଟି କୋଟି ଟଙ୍କା ପବନରେ ଉଡ଼ିଗଲା।
ବମ୍ବେ ଷ୍ଟକ୍ ଏକ୍ସଚେଞ୍ଜ୍ ବା ସେନସେକ୍ସ ଆଜି ଝଟ୍କା ପରେ ଝଟ୍କା ଦେଇଛି। ମାର୍କେଟ୍ ଖୋଲୁ ଖୋଲୁ ଏହା ପ୍ରାୟ 500 ରୁ 600 ପଏଣ୍ଟ ତଳକୁ ଖସି ପଡ଼ିଲା। ସେପଟେ ନିଫ୍ଟି-50 ର ଅବସ୍ଥା ବି ଶୋଚନୀୟ। ନିବେଶକଙ୍କ ଭରସା ଭାଙ୍ଗି ଏହା ଗୁରୁତ୍ୱପୂର୍ଣ୍ଣ ସ୍ତର ତଳକୁ ଖସି ଆସିଛି। ବଡ଼ ବଡ଼ ଏକ୍ସପର୍ଟମାନେ ବି ଏହି ହଠାତ୍ ଗତିରୋଧକୁ ଦେଖି ତାଜୁବ୍ ହୋଇଯାଇଛନ୍ତି।
ସବୁଠୁ ବଡ଼ ପ୍ରଭାବ ପଡ଼ିଛି ଦେଶର ସବୁଠୁ ଦାମୀ କମ୍ପାନି ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ (RIL) ଉପରେ। ରିଜଲ୍ଟ ଆସିବା ପରେ ଏହାର ଶେୟାର ପ୍ରାଇସ୍ରେ ବଡ଼ ଧରଣର କ୍ରାସ୍ ଦେଖିବାକୁ ମିଳିଛି। ଇନଫୋସିସ୍ ଭଳି ଆଇଟି (IT) ଜଏଣ୍ଟ ବି ନିଜକୁ ବଞ୍ଚାଇ ପାରୁନାହାନ୍ତି। ଏମିତି ଲାଗୁଛି ଯେମିତି ବଜାରର ହାତୀମାନେ ଆଜି ଧୂଳି ଚାଟୁଛନ୍ତି। ଆଇଟିଠାରୁ ଆରମ୍ଭ କରି ବ୍ୟାଙ୍କିଙ୍ଗ୍ ସେକ୍ଟର ପର୍ଯ୍ୟନ୍ତ, ସବୁଠି ଖାଲି ବିକ୍ରିର ଜୁଆର।
ବଜାର ପଣ୍ଡିତଙ୍କ କହିବା କଥା, ଗ୍ଲୋବାଲ୍ ମାର୍କେଟ୍ର ଖରାପ ସଙ୍କେତ ଆଉ ପ୍ରୋଫିଟ୍ ବୁକିଂ ଚକ୍କରରେ ସାଧାରଣ ଲୋକଙ୍କ ପକେଟ୍ ଖାଲି ହେବାରେ ଲାଗିଛି। ବିଦେଶୀ ନିବେଶକମାନେ ଲଗାତାର ଟଙ୍କା କାଢ଼ି ନେଉଥିବାରୁ ମାର୍କେଟ୍ ସମ୍ଭାଳି ହେଉନି। ଗୋଟିଏ ପଟେ କମ୍ପାନିଗୁଡ଼ିକର ଦୁର୍ବଳ ପରଫରମାନ୍ସ ଆଉ ଅନ୍ୟପଟେ ଯୁଦ୍ଧ ପରିସ୍ଥିତି, ସବୁ ମିଶି ନିବେଶକଙ୍କୁ କନ୍ଦାଉଛି।
ଆଜିର ଏହି ବଜାର ମାଡ଼ରେ ନିବେଶକଙ୍କ ପ୍ରାୟ 5 ରୁ 6 ଲକ୍ଷ କୋଟି ଟଙ୍କା ବୁଡ଼ି ଯାଇଥିବା ଅନୁମାନ କରାଯାଉଛି। ଯେଉଁମାନେ ଭାବୁଥିଲେ ଆଜି କିଛି ଲାଭ ପାଇବେ, ସେମାନଙ୍କ ପାଇଁ ଦିନଟି ଏକ କଳା ସପନ ସଦୃଶ ହୋଇଛି। ମାର୍କେଟ୍ କେବେ ସ୍ଥିର ହେବ, ସେ ନେଇ ଏବେ ସମସ୍ତଙ୍କ ନଜର ପରବର୍ତ୍ତୀ ମୁଭ୍ ଉପରେ।




