ନ୍ୟୁୟର୍କ: ସାଧାରଣତଃ ୨୧ କୋଟି ଟଙ୍କାରେ ଆପଣ ଗୋଟିଏ ବିଳାସମୟ ବଙ୍ଗଳା କିମ୍ବା ଗୋଟେ ବଡ଼ ବିଜନେସ୍ ସାମ୍ରାଜ୍ୟ ଛିଡ଼ା କରିଦେବେ। କିନ୍ତୁ ଫୁଟବଲ୍ ପାଗଳଙ୍କ ପାଇଁ ଏହି ଟଙ୍କାର ମୂଲ୍ୟ କେବଳ ଗୋଟିଏ ‘ଟିକେଟ୍’। ୨୦୨୬ ଫିଫା ୱାର୍ଲ୍ଡ କପ୍ ଫାଇନାଲ ପାଇଁ ଏବେଠୁ ଯେଉଁ ‘ଟିକେଟ୍ ମାର୍କେଟ୍’ ଗରମ ହେଲାଣି, ତାହା ଦେଖିଲେ କାହାର ବି ମୁଣ୍ଡ ବୁଲାଇ ଦେବ।
ଆମେରିକାର ନ୍ୟୁ ଜର୍ସି ସ୍ଥିତ ମେଟ୍ଲାଇଫ୍ ଷ୍ଟାଡିୟମ୍ରେ ଜୁଲାଇ 19, 2026ରେ ଖେଳାଯିବ ଫୁଟବଲର ଏହି ମହାଲଢ଼େଇ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବାକୁ ବହୁତ ସମୟ ବାକି ଥିଲେ ବି ଟିକେଟ୍ ପ୍ରାଇସ୍ ସବୁ ରେକର୍ଡ ଭାଙ୍ଗି ଦେଇଛି। କିଛି ରିସେଲ୍ ୱେବସାଇଟ୍ରେ ଗୋଟିଏ ଭିଆଇପି ଟିକେଟ୍ର ଦାମ୍ 2.5 ମିଲିୟନ ଡଲାର ପର୍ଯ୍ୟନ୍ତ ପହଞ୍ଚିଛି, ଯାହା ଭାରତୀୟ ମୁଦ୍ରାରେ ପ୍ରାୟ 21 କୋଟି ଟଙ୍କା।
ଇଣ୍ଟରନେଟ୍ରେ ଏହି ଖବର ଆସିବା ପରେ ଫ୍ୟାନ୍ସଙ୍କ ମଧ୍ୟରେ ହଇଚଇ ସୃଷ୍ଟି ହୋଇଛି। କେବଳ ଫାଇନାଲ ନୁହେଁ, ସାଧାରଣ ମ୍ୟାଚ୍ ଗୁଡ଼ିକର ଟିକେଟ୍ ମଧ୍ୟ ଲକ୍ଷ ଲକ୍ଷ ଟଙ୍କାରେ ବିକ୍ରି ହେଉଛି। ସୋସିଆଲ ମିଡିଆରେ ଲୋକେ ଏହାକୁ ନେଇ ନିଜର ଆଶ୍ଚର୍ଯ୍ୟ ପ୍ରକଟ କରିଛନ୍ତି। କିଏ କହୁଛି ଏହା ‘ଲୁଟ୍’, ତ ଆଉ କିଏ କହୁଛି ଫୁଟବଲ୍ ପ୍ରେମ ପାଇଁ ଏତିକି ତ ଚଳିବ।
ସୂଚନାଯୋଗ୍ୟ ଯେ, 2026 ୱାର୍ଲ୍ଡ କପ୍କୁ ଆମେରିକା, କାନାଡା ଏବଂ ମେକ୍ସିକୋ ମିଳିତ ଭାବେ ଆୟୋଜନ କରୁଛନ୍ତି। ପ୍ରଥମ ଥର ପାଇଁ ଏହି ଟୁର୍ଣ୍ଣାମେଣ୍ଟରେ 48ଟି ଟିମ୍ ଭାଗ ନେଉଥିବାରୁ ଦୁନିଆ ସାରା ଏହାକୁ ନେଇ ଜବରଦସ୍ତ କ୍ରେଜ୍ ଦେଖିବାକୁ ମିଳିଛି। କିନ୍ତୁ 21 କୋଟିର ଏହି ଟିକେଟ୍ ଦାମ୍ ଏବେ ସବୁଠୁ ବଡ଼ ହେଡ୍ଲାଇନ୍ ପାଲଟିଛି। ଏବେ ଦେଖିବାକୁ ବାକି ରହିଲା, ଏହି ମହଙ୍ଗା ମ୍ୟାଚ୍କୁ ଷ୍ଟାଡିୟମ୍ରେ ବସି କିଏ ଦେଖୁଛି।




