ଇସଲାମାବାଦ: ପକେଟ୍ ପୁରା ଫାଙ୍କା। ଲୋକେ ମୁଠେ ଦାନା ପାଇଁ ରାସ୍ତାରେ ଲଢୁଛନ୍ତି। ଆଟା ଗୋଟିଏ କିଲୋ ପାଇଁ ହାତାହାତି ହେଉଛନ୍ତି। ହେଲେ ପଡୋଶୀ ପାକିସ୍ତାନର ଅଭ୍ୟାସ ବଦଳୁନି। ନିଜ ଦେଶର ଭୋକିଲା ଲୋକଙ୍କ କଥା ଚିନ୍ତା ନକରି ଏବେ ମିଛ ପ୍ରଚାର ବା ‘ସ୍ପିନ୍ ଗେମ୍’ ପାଇଁ କୋଟି କୋଟି ଟଙ୍କା ପାଣି ଭଳି ବୁହାଇ ଦେଉଛି ଇସଲାମାବାଦ। ଦେଶ ଚଳାଇବାକୁ ପଇସା ନାହିଁ, ହେଲେ ଦୁନିଆ ଆଗରେ ନିଜର ଭଲ ଛବି ଦେଖାଇବା ପାଇଁ ପାକିସ୍ତାନ ଏକ ବଡ଼ ‘ନେଟୱାର୍କ’ ଚଳାଉଥିବା ନେଇ ଏକ ଚାଞ୍ଚଲ୍ୟକର ରିପୋର୍ଟ ସାମ୍ନାକୁ ଆସିଛି।
ଏହି ରିପୋର୍ଟ ଅନୁସାରେ, ପାକିସ୍ତାନ ଏବେ ଏକ ଭୟଙ୍କର ‘ଇକୋନୋମିକ କ୍ରାଇସିସ’ ଦେଇ ଗତି କରୁଛି। ହେଲେ ଆଶ୍ଚର୍ଯ୍ୟର କଥା ହେଉଛି, ବିଦେଶରେ ନିଜର ପକ୍ଷ ରଖିବା ପାଇଁ ଏବଂ ଭାରତ ବିରୋଧରେ ବିଷ ଓଗାଳିବା ପାଇଁ ପାକିସ୍ତାନର ସେନା ଓ ସରକାର ଦାମୀ ‘ଲବିଇଂ ଫାର୍ମ’ ଏବଂ ‘ପିଆର୍ ଏଜେନ୍ସି’ ଗୁଡ଼ିକୁ ହାୟର କରିଛନ୍ତି। ବିଶେଷ କରି ଆମେରିକା ଏବଂ ୟୁରୋପରେ ପାକିସ୍ତାନର ଭାବମୂର୍ତ୍ତି ସଜାଡ଼ିବା ପାଇଁ ଲକ୍ଷ ଲକ୍ଷ ଡଲାର ଖର୍ଚ୍ଚ କରାଯାଉଛି।
କିପରି କାମ କରୁଛି ଏହି ସ୍ପିନ୍ ନେଟୱାର୍କ? ଖବର ମୁତାବକ, ଏହା କୌଣସି ସାଧାରଣ ପ୍ରଚାର ନୁହେଁ। ଏଥିପାଇଁ ପାକିସ୍ତାନୀ ଗୁପ୍ତଚର ସଂସ୍ଥା ‘ISI’ ପଛପଟୁ ରହି ପୁରା ଗେମ୍ ପ୍ଲାନ୍ କରୁଛି। ବିଭିନ୍ନ ଦେଶରେ ସୋସିଆଲ ମିଡିଆ ଇନଫ୍ଲୁଏନ୍ସର ଏବଂ କିଛି ବିଦେଶୀ ସାମ୍ବାଦିକଙ୍କୁ ବ୍ୟବହାର କରି ପାକିସ୍ତାନ ସପକ୍ଷରେ ମାହୋଲ ତିଆରି କରାଯାଉଛି। ଯେଉଁଠି ଦେଶରେ ମୁଦ୍ରାସ୍ଫୀତି ଆକାଶଛୁଆଁ ହୋଇଛି, ସେଠାରେ ଏତେ ଟଙ୍କା କେଉଁଠୁ ଆସୁଛି, ତାକୁ ନେଇ ଏବେ ପ୍ରଶ୍ନ ଉଠିଛି।
କାଶ୍ମୀର ପ୍ରସଙ୍ଗରେ ମିଛର ମାୟାଜାଲ ଭାରତକୁ ଆନ୍ତର୍ଜାତୀୟ ସ୍ତରରେ ବଦନାମ କରିବା ଏହି ନେଟୱାର୍କର ସବୁଠାରୁ ବଡ଼ ଟାର୍ଗେଟ୍। କାଶ୍ମୀର ଉପରେ ମିଛ ଖବର ଫ୍ୟାକ୍ଟ୍ରି ଚଲାଇବା ପାଇଁ ପାକିସ୍ତାନର ଏହି ‘ସ୍ପିନ୍ ନେଟୱାର୍କ’ ଦିନରାତି କାମ କରୁଛି। ପାଶ୍ଚାତ୍ୟ ଦେଶର ଥିଙ୍କ-ଟ୍ୟାଙ୍କ ଏବଂ ପଲିଟିସିଆନମାନଙ୍କୁ ପ୍ରଭାବିତ କରିବା ପାଇଁ କୋଟି କୋଟି ଟଙ୍କାର ଡିଲ୍ ହେଉଛି। ନିଜ ଦେଶର ଲୋକ ଅନ୍ଧାରରେ ରହୁଛନ୍ତି, ହେଲେ ପାକିସ୍ତାନୀ ଶାସକଙ୍କୁ କେବଳ ନିଜର ‘ବ୍ରାଣ୍ଡିଂ’ ଚିନ୍ତା।
ବେଲଆଉଟ୍ ପ୍ୟାକେଜ୍ ବନାମ ପ୍ରୋପାଗାଣ୍ଡା ପାକିସ୍ତାନ ଏବେ ‘IMF’ ଭଳି ସଂସ୍ଥା ଆଗରେ ହାତ ପାତି ଭିକ ମାଗୁଛି। ଦେଶକୁ ଦେବାଳିଆ ହେବାରୁ ରକ୍ଷା କରିବା ପାଇଁ ଲୋନ ପରେ ଲୋନ ନେଉଛି। କିନ୍ତୁ ସେହି ଟଙ୍କା ଦେଶର ଉନ୍ନତିରେ ଲାଗିବା ପରିବର୍ତ୍ତେ ‘ପ୍ରୋପାଗାଣ୍ଡା’ ମେସିନରେ ଢଳାଯାଉଛି। ଏହି ସ୍ପିନ୍ ନେଟୱାର୍କ କେବଳ ବିଦେଶରେ ନୁହେଁ, ବରଂ ଦେଶ ଭିତରେ ମଧ୍ୟ ସେନା ବିରୋଧରେ ଉଠୁଥିବା ସ୍ୱରକୁ ଚାପି ଦେବା ପାଇଁ ବ୍ୟବହାର କରାଯାଉଛି। ଏହି ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।




