ପଶ୍ଚିମବଙ୍ଗରେ ଏବେ ‘ଭୋଟ୍’କୁ ନେଇ ହଇଚଇ। ଗୋଟେପଟେ ନିର୍ବାଚନ ପାଇଁ ପୁରା ଷ୍ଟେଟ୍ ରେଡି ହେଉଥିବା ବେଳେ ଅନ୍ୟପଟେ ନିଜେ ନିର୍ବାଚନ କରାଉଥିବା ଅଫିସରମାନେ ଏବେ ଚିନ୍ତାରେ। ଯେଉଁମାନେ ଲୋକଙ୍କୁ ଭୋଟ୍ ଦେବାରେ ସାହାଯ୍ୟ କରିବେ, ସେମାନଙ୍କର ନିଜ ନାଁ ହିଁ ଭୋଟର ଲିଷ୍ଟରେ ନାହିଁ। ଏମିତି ଏକ ଅଜବ ଘଟଣାକୁ ନେଇ ଏବେ ସୁପ୍ରିମକୋର୍ଟରେ ପହଞ୍ଚିଛନ୍ତି 65 ଜଣ ଇଲେକ୍ସନ ଅଫିସର।
ଖବର ଅନୁସାରେ, ପଶ୍ଚିମବଙ୍ଗର ଏହି 65 ଜଣ ଅଫିସରଙ୍କ ନାଁ SIR (Special Intensive Revision) ଲିଷ୍ଟରୁ କାଟି ଦିଆଯାଇଛି। ମାନେ ସେମାନେ ଡ୍ୟୁଟିରେ ତ ରହିବେ, କିନ୍ତୁ ନିଜେ ଭୋଟ୍ ଦେଇପାରିବେ ନାହିଁ। ଏହାକୁ ନେଇ ଅଫିସରମାନେ ଆଜି ସିଧା ସର୍ବୋଚ୍ଚ ଅଦାଲତର ଦ୍ୱାରସ୍ଥ ହୋଇଛନ୍ତି। ସେମାନଙ୍କର କହିବା କଥା ହେଲା, “ଆମେ ପୋଲିଂ କରାଉଛୁ, ହେଲେ ଆମେ କାହିଁକି ଭୋଟ୍ ଦେଇପାରିବୁନି?”
ବେଙ୍ଗଲରେ ଏହି SIR ପ୍ରୋସେସ୍କୁ ନେଇ ପୂର୍ବରୁ ହିଁ ବହୁତ ପଲିଟିକ୍ସ ଚାଲିଛି। ଲକ୍ଷ ଲକ୍ଷ ଲୋକଙ୍କ ନାଁ ଭୋଟର ଲିଷ୍ଟରୁ କଟାଯାଇଥିବା ବେଳେ ଏବେ ସରକାରୀ ଅଫିସରମାନେ ବି ଏଥିରୁ ବାଦ୍ ପଡ଼ିଛନ୍ତି। ବିରୋଧୀ ଦଳ ଅଭିଯୋଗ କରୁଛନ୍ତି ଯେ, ଏହା ଏକ ବଡ଼ ଧରଣର ଗଡ଼ବଡ଼। ଅନ୍ୟପଟେ ନିର୍ବାଚନ କମିଶନ ଏହି SIR ମାଧ୍ୟମରେ ସବୁ ଫେକ୍ ଭୋଟରଙ୍କୁ ବାହାର କରିବାକୁ ଚେଷ୍ଟା କରୁଥିବା କୁହାଯାଉଛି।
65 ଜଣ ଅଫିସର ଏବେ ସୁପ୍ରିମକୋର୍ଟଙ୍କୁ ନିବେଦନ କରିଛନ୍ତି ଯେ, ସେମାନଙ୍କୁ ଭୋଟ୍ ଦେବାର ଅଧିକାର ଫେରାଇ ଦିଆଯାଉ। ନଚେତ୍ ଡ୍ୟୁଟି କରିବା ସମୟରେ ଏହା ଏକ ବଡ଼ ଅପମାନ ହେବ। ଏହି ମାମଲା ଏବେ ବେଙ୍ଗଲ ନିର୍ବାଚନରେ ଏକ ନୂଆ ଟ୍ୱିଷ୍ଟ ଆଣିଛି। କୋର୍ଟ ଏହି ଆବେଦନ ଉପରେ କି ରାୟ ଶୁଣାଉଛନ୍ତି, ତାହା ଉପରେ ସମସ୍ତଙ୍କର ନଜର ରହିଛି।




