ମାଡ୍ରିଡ: ମାଡ୍ରିଡର ନାଲି ମାଟିରେ ଏବେ ଟେନିସର ହାଇ-ଭୋଲଟେଜ ଫାଇଟ୍ ଜାରି ରହିଛି। ଗୋଟେ ପଟେ ଶରୀର ସାଥ୍ ଦେଉନି, କିନ୍ତୁ ଅନ୍ୟପଟେ ଜିତିବାର ଜିଦ୍। ଏମିତି କିଛି ରୋମାଞ୍ଚକର ଦୃଶ୍ୟ ଦେଖିବାକୁ ମିଳିଛି ‘ମାଡ୍ରିଡ ଓପନ’ରେ। ବିଶ୍ୱର ଦୁଇ ଷ୍ଟାର ଖେଳାଳି ଜାନିକ ସିନର ଏବଂ କୋକୋ ଗଫ୍ ନିଜ ନିଜର ଶାରୀରିକ ସମସ୍ୟା ସତ୍ତ୍ୱେ କୋର୍ଟରେ ଏମିତି ଖେଳ ଦେଖାଇଛନ୍ତି ଯେ ବିରୋଧୀ ପୁରା ଚିତ୍ ହୋଇଯାଇଛନ୍ତି।
ଇଟାଲୀର ଷ୍ଟାର ଖେଳାଳି ଜାନିକ ସିନର ପୁଣିଥରେ ନିଜ ପାୱାରଫୁଲ ଫର୍ମ ଦେଖାଇଛନ୍ତି। ସିନରଙ୍କ ଡାହାଣ ପଟ ‘ହିପ୍’ (Hip) ରେ ସାମାନ୍ୟ ଯନ୍ତ୍ରଣା ଥିଲା, ଯାହାକୁ ନେଇ ସେ ଟିକେ ଚିନ୍ତାରେ ଥିଲେ। କିନ୍ତୁ ମ୍ୟାଚ୍ ଆରମ୍ଭ ହେବା ମାତ୍ରେ ସେ ସବୁ କଷ୍ଟ ଭୁଲି ଯାଇଥିଲେ। ସେ ରୁଷର ପାଭେଲ କୋଟୋଭଙ୍କୁ direct set ରେ 6-2, 7-5 ରେ ହରାଇ ଶେଷ 16 ରେ ନିଜ ଜାଗା ପକ୍କା କରିଛନ୍ତି। ଏବେ ତାଙ୍କର ପରବର୍ତ୍ତୀ ଲଢ଼େଇ ହେବ କାରେନ ଖାଚାନୋଭଙ୍କ ସହ।
ଅନ୍ୟପଟେ ମହିଳା ସିଙ୍ଗଲ୍ସରେ କୋକୋ ଗଫଙ୍କ ମ୍ୟାଜିକ ଦେଖିବାକୁ ମିଳିଛି। ଆଶ୍ଚର୍ଯ୍ୟର କଥା ହେଉଛି, ଗଫ୍ ପେଟ ଯନ୍ତ୍ରଣା ଏବଂ ଜ୍ୱରରେ ପୀଡ଼ିତ ଥିଲେ। ଦେହ ଭଲ ନଥିଲେ ବି ସେ କୋର୍ଟରେ ଝଡ଼ ସୃଷ୍ଟି କରିଥିଲେ। ସେ ମାତ୍ର 1 ଘଣ୍ଟା 17 ମିନିଟରେ ଡାୟାନା ୟାସ୍ତ୍ରେମସ୍କାଙ୍କୁ 6-0, 6-1 ରେ ପରାସ୍ତ କରିଛନ୍ତି। ଗଫଙ୍କ ଏହି ଜବରଦସ୍ତ କମବ୍ୟାକ ଦେଖି ଫ୍ୟାନ୍ସମାନେ ତାଙ୍କୁ ଚିୟର କରିବା ବନ୍ଦ କରିନଥିଲେ।
ଏହା ବ୍ୟତୀତ ବିଶ୍ୱର ନମ୍ବର 1 ଖେଳାଳି ଇଗା ସ୍ୱିଆଟେକ ମଧ୍ୟ ନିଜ ମ୍ୟାଚ୍ ଜିତି କ୍ୱାର୍ଟର ଫାଇନାଲରେ ପହଞ୍ଚିଛନ୍ତି। ସେ ସାରା ସୋରିବେସ ଟୋର୍ମୋଙ୍କୁ ହରାଇ ନିଜର ଦବଦବା ବଜାୟ ରଖିଛନ୍ତି। ପୁରୁଷ ବର୍ଗରେ ଦାନିଲ ମେଦଭେଦେବ ପ୍ରଥମ ‘ସେଟ୍’ ହାରିବା ପରେ ମଧ୍ୟ ଜବରଦସ୍ତ କମବ୍ୟାକ କରି ସେବାଷ୍ଟିଆନ କୋର୍ଡାଙ୍କୁ ମାତ୍ ଦେଇଛନ୍ତି। ମାଡ୍ରିଡ ଓପନ ଏବେ ଏମିତି ଏକ ମୋଡ଼ରେ ପହଞ୍ଚିଛି, ଯେଉଁଠି ପ୍ରତିଟି ମ୍ୟାଚ୍ରେ ଭରପୂର ଡ୍ରାମା ଦେଖିବାକୁ ମିଳୁଛି।




