ଇସଲାମାବାଦ: ମଧ୍ୟପ୍ରାଚ୍ୟରେ ଏବେ ବାରୁଦର ଗନ୍ଧ। ଗୋଟେ ପଟେ ଇସ୍ରାଏଲର ମିସାଇଲ ମାଡ଼ ଆଉ ଅନ୍ୟପଟେ ଆମେରିକାର କଡ଼ା କଟକଣା। ଏମିତି ଏକ ସଙ୍କଟ ସମୟରେ ନିଜକୁ ସୁରକ୍ଷିତ ରଖିବା ପାଇଁ ଇରାନ ଏବେ ‘ପଡ଼ୋଶୀ ଫର୍ମୁଲା’ ଆପଣାଇଛି। ୱାଶିଂଟନ ସହ ଆଲୋଚନା ପ୍ରାୟତଃ ବନ୍ଦ ହୋଇଯାଇଥିବାରୁ ଇରାନ ବିଦେଶ ମନ୍ତ୍ରୀ ଅବ୍ବାସ ଆରାଗଚି ଦ୍ୱିତୀୟ ଥର ପାଇଁ ପାକିସ୍ତାନ ଛୁଟିଛନ୍ତି।
ଇସଲାମାବାଦରେ ପହଞ୍ଚିବା ପରେ ଆରାଗଚି ପାକିସ୍ତାନ ପ୍ରଧାନମନ୍ତ୍ରୀ ଶେହବାଜ ଶରିଫ ଏବଂ ବିଦେଶ ମନ୍ତ୍ରୀ ଇଶାକ ଦାରଙ୍କୁ ଭେଟିଛନ୍ତି। ରିପୋର୍ଟ ମୁତାବକ, ଏହି ହାଇ-ପ୍ରୋଫାଇଲ ମିଟିଂରେ କେବଳ ବନ୍ଧୁତା ନୁହେଁ, ବରଂ ରିଜିଓନାଲ ସିକ୍ୟୁରିଟି ଉପରେ ବେଶି ଫୋକସ ଦିଆଯାଇଛି। ଆମେରିକା ସହ ଇରାନର ନ୍ୟୁକ୍ଲିୟର ଡିଲ୍କୁ ନେଇ ଚାଲିଥିବା ଆଲୋଚନା ଏବେ ସମ୍ପୂର୍ଣ୍ଣ ଅଟକି ଯାଇଛି। ତେଣୁ ଏହି ସମୟରେ ପାକିସ୍ତାନ ସହ ହାତ ମିଳାଇ ଇରାନ ନିଜର ଶକ୍ତି ବଢ଼ାଇବାକୁ ଚେଷ୍ଟା କରୁଛି।
ଗାଜାରେ ଚାଲିଥିବା ଯୁଦ୍ଧକୁ ନେଇ ଇରାନ ଏବେ ବଡ଼ ଚିନ୍ତାରେ। ଏହି ଗସ୍ତ ସମୟରେ ଇସ୍ରାଏଲର ଆକ୍ରମଣ ବିରୋଧରେ ପାକିସ୍ତାନର ସପୋର୍ଟ ମାଗିଛନ୍ତି ଆରାଗଚି। ଖାଲି ସେତିକି ନୁହେଁ, ବର୍ଡର ସିକ୍ୟୁରିଟି, ଟେରରିଜମ ଏବଂ ଏନର୍ଜି ସେକ୍ଟରରେ କେମିତି ଦୁଇ ଦେଶ ମିଳିମିଶି କାମ କରିବେ, ସେନେଇ ମଧ୍ୟ ଲମ୍ବା ଆଲୋଚନା ହୋଇଛି।
ବିଶେଷଜ୍ଞଙ୍କ ମତରେ, ଏହି ଗସ୍ତର ଟାଇମିଂ ଖୁବ୍ ଗୁରୁତ୍ୱପୂର୍ଣ୍ଣ। ଯେତେବେଳେ ପଶ୍ଚିମା ଦେଶଗୁଡ଼ିକ ଇରାନ ଉପରେ ଚାପ ପକାଉଛନ୍ତି, ସେତେବେଳେ ଆରାଗଚି ପାକିସ୍ତାନ ଯାଇ ଦୁନିଆକୁ ବାର୍ତ୍ତା ଦେଇଛନ୍ତି ଯେ ଇରାନ ଏକୁଟିଆ ନୁହେଁ। ପାକିସ୍ତାନ ମଧ୍ୟ ଇରାନ ସହ ବାଣିଜ୍ୟିକ ସମ୍ପର୍କ ବଢ଼ାଇବାକୁ ଗ୍ରୀନ୍ ସିଗନାଲ ଦେଇଛି, ଯାହା ଆଗାମୀ ଦିନରେ ଏସିଆର ରାଜନୀତିକୁ ବଦଳାଇ ଦେଇପାରେ।




