ନୂଆଦିଲ୍ଲୀ: ଆଇପିଏଲ 2026 ମୈଦାନରେ ପଞ୍ଜାବର ପାୱାର ଶୋ’ । ଲକ୍ଷ୍ନୌ ସୁପର ଜାଏଣ୍ଟସକୁ କେମିତି କାବୁ କରିବାକୁ ହୁଏ, ତାହା ଦେଖାଇ ଦେଲେ ପଞ୍ଜାବ କିଙ୍ଗସର ଦୁଇ ଷ୍ଟାର ପ୍ରିୟାଂଶ ଆର୍ଯ୍ୟା ଓ କୁପର କନୋଲି । ପଡ଼ିଆ ଭିତରେ ଚୌକା-ଛକାର ବର୍ଷା ଆଉ ବୋଲିଂରେ ଘାତକ ଆଟାକ । ଲକ୍ଷ୍ନୌ ଟିମକୁ କୌଣସି ସୁଯୋଗ ନଦେଇ 54 ରନର ଏକ ବଡ଼ ବିଜୟ ହାସଲ କରିଛି ପଞ୍ଜାବ ।
ମ୍ୟାଚ୍ ଆରମ୍ଭରୁ ହିଁ ପଞ୍ଜାବ କିଙ୍ଗସର ମାଇଣ୍ଡସେଟ୍ କ୍ଲିୟର ଥିଲା । ପ୍ରିୟାଂଶ ଆର୍ଯ୍ୟା ପଡ଼ିଆକୁ ଓହ୍ଲାଇବା ମାତ୍ରେ ଲକ୍ଷ୍ନୌ ବୋଲରଙ୍କ ଲାଇନ-ଲେନ୍ଥ ବିଗାଡ଼ି ଦେଇଥିଲେ । ତାଙ୍କର ଧୂଆଁଧାର ବ୍ୟାଟିଂ ଦେଖି ଷ୍ଟାଡିୟମରେ ଥିବା ଫ୍ୟାନମାନେ ଝୁମି ଉଠିଥିଲେ । ପ୍ରିୟାଂଶଙ୍କ ସହ କୁପର କନୋଲି ମଧ୍ୟ ଜବରଦସ୍ତ ସାଥ୍ ଦେଇଥିଲେ । ଏହି ଦୁଇ ବ୍ୟାଟରଙ୍କ ଧୂଆଁଧାର ପାର୍ଟନରସିପ୍ ଯୋଗୁଁ ପଞ୍ଜାବ ଏକ ବିଶାଳ ସ୍କୋର ଛିଡ଼ା କରିବାରେ ସଫଳ ହୋଇଥିଲା ।
ଲକ୍ଷ୍ନୌ ପାଇଁ ଟାର୍ଗେଟ୍ ବଡ଼ ଥିଲା, ହେଲେ ଆରମ୍ଭରୁ ହିଁ ଟିମର ଅବସ୍ଥା ଖରାପ ହୋଇଯାଇଥିଲା । ପଞ୍ଜାବର ଟାଇଟ୍ ବୋଲିଂ ଆଗରେ ଲକ୍ଷ୍ନୌର ବ୍ୟାଟରମାନେ ଜଣକ ପରେ ଜଣେ ପାଭିଲିୟନ ଫେରିଥିଲେ । କେହି ବି କ୍ରିଜରେ ବେଶୀ ସମୟ ତିଷ୍ଠି ପାରିନଥିଲେ । ପୁରା ଟିମ ମାତ୍ର କିଛି ସମୟ ଭିତରେ ଆଣ୍ଠେଇ ପଡ଼ିଥିଲା ।
ଏହି ବିଜୟ ସହ ପଏଣ୍ଟସ ଟେବୁଲରେ ପଞ୍ଜାବ କିଙ୍ଗସ ନିଜର ଦବଦବା ଜାହିର କରିଛି । ପଏଣ୍ଟସ ଟେବୁଲରେ ଲମ୍ବା ଡିଆଁ ମାରିବା ସହ ଟିମର ଆତ୍ମବିଶ୍ୱାସ ଏବେ ଆକାଶଛୁଆଁ । ଅନ୍ୟପଟେ ଲକ୍ଷ୍ନୌ ସୁପର ଜାଏଣ୍ଟସ ପାଇଁ ଏହି ପରାଜୟ ଏକ ବଡ଼ ଝଟକା ସଦୃଶ । ବ୍ୟାଟିଂଠୁ ଆରମ୍ଭ କରି ବୋଲିଂ ପର୍ଯ୍ୟନ୍ତ, ସବୁଥିରେ ଫେଲ ମାରିଛି ଲକ୍ଷ୍ନୌ ଟିମ । ପଞ୍ଜାବର ଏହି ଜବରଦସ୍ତ ପରଫରମାନ୍ସ ଏବେ କ୍ରିକେଟ ମହଲରେ ଚର୍ଚ୍ଚାର ବିଷୟ ପାଲଟିଛି ।




