କୋଚି: କେରଳ ରାସ୍ତାରେ ଦାମୀ ଦାମୀ ଲକଜୁରି କାର୍। ଦେଖିବାକୁ ପୁରା ଚକାଚକ, ହେଲେ ଏହା ପଛର କାହାଣୀ ପୁରା ଫିଲ୍ମି। ଭୁଟାନ ନମ୍ବର ପ୍ଲେଟ୍ ଲଗାଇ ଭାରତରେ ଚାଲୁଥିବା ଏହି ବଡ଼ ଧରଣର ସ୍ମଗଲିଂ କାରବାରର ପର୍ଦ୍ଦାଫାଶ କରିବାକୁ ଏବେ ମଇଦାନକୁ ଓହ୍ଲାଇଛି ଭୁଟାନ କଷ୍ଟମ୍ସ ଟିମ୍। ସୀମା ପାର୍ କାର୍ ସ୍ମଗଲିଂ ର୍ୟାକେଟର ଚେର ଖୋଜିବା ପାଇଁ ଏହି ଟିମ୍ ଏବେ କେରଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛି।
ସୂଚନା ଅନୁସାରେ, ଲକ୍ଷ ଲକ୍ଷ ଟଙ୍କାର ଟ୍ୟାକ୍ସ ଚୋରି କରିବା ପାଇଁ ସ୍ମଗଲରମାନେ ଭୁଟାନର ରେଜିଷ୍ଟ୍ରେସନକୁ ମୋହରା ବନାଉଥିଲେ। ବିଦେଶରୁ ଦାମୀ କାର୍ ଆଣିବା ବେଳେ ଭାରତରେ ଲାଗୁଥିବା ମୋଟା ଅଙ୍କର କଷ୍ଟମ୍ସ ଡ୍ୟୁଟିରୁ ବଞ୍ଚିବା ପାଇଁ ଏହି ମାଷ୍ଟର ପ୍ଲାନ ହୋଇଥିଲା। ଭୁଟାନରୁ ଗାଡ଼ି ଆସୁଥିବା ଦେଖାଇ କମ୍ ଟ୍ୟାକ୍ସରେ ଏହାକୁ କେରଳ ଭଳି ରାଜ୍ୟରେ ବିକ୍ରି କରାଯାଉଥିଲା।
ଏହି ସ୍ମଗଲିଂ ଖବର ମିଳିବା ପରେ DRI (ଡାଇରେକ୍ଟୋରେଟ ଅଫ୍ ରେଭେନ୍ୟୁ ଇଣ୍ଟେଲିଜେନ୍ସ) ଆକ୍ସନ ମୋଡକୁ ଆସିଥିଲା। ଏବେ ଭୁଟାନରୁ ଏକ ହାଇ-ଲେଭଲ୍ କଷ୍ଟମ୍ସ ଟିମ୍ କୋଚିରେ ପହଞ୍ଚି ସ୍ଥାନୀୟ କଷ୍ଟମ୍ସ ଅଫିସରଙ୍କ ସହ ଗୁରୁତ୍ୱପୂର୍ଣ୍ଣ ମିଟିଂ କରିଛନ୍ତି। ସନ୍ଦେହ କରାଯାଉଛି ଯେ, ଅନେକ ଦାମୀ SUV ଏବଂ ଲକଜୁରି ସେଡାନ କାର୍ ଭୁଟାନ ବାଟ ଦେଇ ବେଆଇନ ଭାବେ ଭାରତକୁ ଅଣାଯାଇଛି।
ଏହି ଗ୍ୟାଙ୍ଗରେ କେଉଁ ବଡ଼ ବଡ଼ ମୁଣ୍ଡ ସାମିଲ ଅଛନ୍ତି, ତାକୁ ନେଇ ଏବେ ଖୋଳତାଡ଼ ଜାରି ରହିଛି। ଭୁଟାନ ଟିମ୍ ସହିତ DRI ମିଶି କିଛି ନିର୍ଦ୍ଦିଷ୍ଟ କାର୍ ଡିଲର ଏବଂ ଏଜେଣ୍ଟଙ୍କ ଉପରେ ନଜର ରଖିଛନ୍ତି। ଆଗକୁ ଏହି ମାମଲାରେ କିଛି ବଡ଼ ଧରଣର ଗିରଫଦାରୀ ହେବା ସହ ଅନେକ ଗାଡ଼ି ଜବତ ହେବା ସମ୍ଭାବନା ରହିଛି।




