ଭୋପାଳ: ରାତି ଅଧିଆ କାଳ ସାଜି ମାଡ଼ି ଆସିଲା ଦ୍ରୁତଗାମୀ ଏସୟୁଭି। ଗୋଟିଏ ଝଟକାରେ ସବୁ ଶେଷ। ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ବାଇକ୍ ଆରୋହୀ ରାସ୍ତା କଡ଼ରେ ପଡ଼ିଥିଲେ। କିନ୍ତୁ ଏଠି ଦୁଃଖ କି ଅନୁଶୋଚନା ନାହିଁ, ବରଂ ଅଛି କ୍ଷମତାର ଅହଙ୍କାର। ନିଜ ପୁଅର ଭୁଲ୍ ସୁଧାରିବା ବଦଳରେ ଓଲଟା ପୁଲିସକୁ ଧମକାଇଲେ ଖୋଦ୍ ଏମଏଲଏ। ମଧ୍ୟପ୍ରଦେଶର ବିଜେପି ବିଧାୟକ ପ୍ରହଲାଦ ଲୋଧିଙ୍କ ପୁଅର କାରନାମା ଏବେ ପୂରା ରାଜ୍ୟରେ ଚର୍ଚ୍ଚାର ବିଷୟ ପାଲଟିଛି।
ଘଟଣାଟି ଘଟିଛି ମଧ୍ୟପ୍ରଦେଶରେ। ବିଧାୟକଙ୍କ ପୁଅର ବେପରୁଆ ଗାଡ଼ି ଚାଳନା ଯୋଗୁଁ ଏକ ଭୟଙ୍କର ଆକ୍ସିଡେଣ୍ଟ ଘଟିଥିଲା। ପୁଲିସ୍ ଯେତେବେଳେ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କଲା, ସେତେବେଳେ ବିଧାୟକ ମହୋଦୟ ନିଜର ଅସଲ ରୂପ ଦେଖାଇଥିଲେ। ପୁଲିସ୍ ଅଫିସରଙ୍କୁ ସିଧାସଳଖ ଫୋନ୍ କରି ମାଡ଼ ମାରିବାକୁ ଧମକ ଦେବା ସହ ବର୍ଦ୍ଦି ଓହ୍ଲାଇ ଦେବାର ଚେତାବନୀ ଦେଇଛନ୍ତି। ପୁଅର ଭୁଲ୍କୁ ଘୋଡ଼ାଇବା ପାଇଁ ସେ ପୁଲିସ୍ ଉପରେ ଯେଭଳି ଚାପ ପକାଇଛନ୍ତି, ତାହା ସମସ୍ତଙ୍କୁ ଚକିତ କରିଛି।
ଏହି ଘଟଣା ପରେ ବିଧାୟକଙ୍କ ପୁରୁଣା ରେକର୍ଡ ଏବେ ପୁଣି ଫାଇଲ୍ ତଳୁ ବାହାରିଛି। ଏହି ନେତାଙ୍କର ପୂର୍ବରୁ ମଧ୍ୟ ଅନେକ ବିବାଦୀୟ କାମ ରହିଛି। ଜଣେ ସରକାରୀ ଅଫିସରଙ୍କୁ ମାଡ଼ ମାରିବା ମାମଲାରେ ସେ ପୂର୍ବରୁ ଜେଲ୍ ଯାଇଥିଲେ ଏବଂ କୋର୍ଟ ତାଙ୍କୁ 2 ବର୍ଷର ଜେଲ୍ ଦଣ୍ଡ ମଧ୍ୟ ଶୁଣାଇଥିଲେ। ସେହି ସମୟରେ ତାଙ୍କର ବିଧାୟକ ପଦ ମଧ୍ୟ ବିପଦରେ ପଡ଼ିଥିଲା। ଏବେ ପୁଅର ଆକ୍ସିଡେଣ୍ଟ କେସ୍ରେ ପୁଣି ଥରେ ନିଜର ‘ଗୁଣ୍ଡାଗର୍ଦ୍ଦି’ ଦେଖାଇ ସେ ପ୍ରମାଣ କରିଛନ୍ତି ଯେ ତାଙ୍କ ପାଇଁ ଆଇନ୍ କିଛି ନୁହେଁ।
ସୂଚନା ଅନୁସାରେ, ଏହି ଆକ୍ସିଡେଣ୍ଟରେ ବାଇକ୍ ଆରୋହୀ ଗମ୍ଭୀର ଭାବେ ଆହତ ହୋଇଛନ୍ତି। ଲୋକଙ୍କ ମଧ୍ୟରେ ଏହାକୁ ନେଇ ପ୍ରବଳ ଅସନ୍ତୋଷ ଦେଖାଦେଇଛି। କ୍ଷମତା ନିଶାରେ ଚୁର୍ ଏହି ନେତାଙ୍କ ବିରୋଧରେ ପୁଲିସ୍ କି ଆକ୍ସନ ନେଉଛି, ତାହା ଉପରେ ଏବେ ସମସ୍ତଙ୍କ ନଜର। ପୁଲିସ୍ ଉପରେ ପଲିଟିକାଲ ପ୍ରେସର ଥିଲେ ମଧ୍ୟ ସାଧାରଣ ଜନତା ନ୍ୟାୟ ଅପେକ୍ଷାରେ ଅଛନ୍ତି।




