ନ୍ୟୁୟର୍କ: ଯୁଦ୍ଧର କଳାବାଦଲ ଧୀରେ ଧୀରେ ହଟିବାରେ ଲାଗିଛି। ବିଶ୍ୱ ବଜାରରେ ଏବେ ଉତ୍ସାହର ମାହୋଲ। ଆମେରିକା ଓ ଇରାନ ମଧ୍ୟରେ ଆଲୋଚନା ପାଇଁ ବାଟ ଫିଟିବା ପରେ ଇନଭେଷ୍ଟରମାନେ ଏବେ ଆଶାବାଦୀ। ଯାହାର ସିଧାସଳଖ ପ୍ରଭାବ ଦେଖିବାକୁ ମିଳିଛି ଷ୍ଟକ ମାର୍କେଟରେ। ଗୁରୁବାର ଗ୍ଲୋବାଲ ମାର୍କେଟରେ ସେୟାର ଦର ହୁ ହୁ ହୋଇ ବଢ଼ିବା ସହ ଏକ ନୂଆ ରେକର୍ଡ ସ୍ତରକୁ ଛୁଇଁଛି।
ଆମେରିକାର ପ୍ରମୁଖ ଷ୍ଟକ ଇଣ୍ଡେକ୍ସ ‘ଏସ ଆଣ୍ଡ ପି 500’ (S&P 500) ଏବଂ ‘ନାସଡାକ’ (Nasdaq) କାରବାର ଶେଷ ବେଳକୁ ସର୍ବକାଳୀନ ରେକର୍ଡ ସ୍ତରରେ ପହଞ୍ଚିଛି। ଇନଭେଷ୍ଟରମାନେ ବ୍ୟାପକ ଭାବେ ଶେୟାର କିଣୁଥିବାରୁ ବଜାର ପୂରା ପଜିଟିଭ ରହିଛି। ବିଶେଷ କରି ଟେକ୍ନୋଲୋଜି ସେକ୍ଟରର ଶେୟାର ଗୁଡିକରେ ବଡ଼ ଧରଣର ଉତ୍ସାହ ଦେଖିବାକୁ ମିଳିଛି।
ରିପୋର୍ଟ ଅନୁସାରେ, ଆମେରିକା ଏବଂ ଇରାନ ମଧ୍ୟରେ ଟେନସନ କମିବା ନେଇ ସଙ୍କେତ ମିଳିଛି। ଦୁଇ ଦେଶ ମଧ୍ୟରେ ଟକ (Talk) ଆରମ୍ଭ ହେବା ନେଇ ଚର୍ଚ୍ଚା ଜୋର ଧରିଛି। ଯଦି ଏହି ଆଲୋଚନା ସଫଳ ହୁଏ, ତେବେ ଅନ୍ତର୍ଜାତୀୟ ବାଣିଜ୍ୟରେ ସ୍ଥିରତା ଆସିବ ବୋଲି ବିଶେଷଜ୍ଞମାନେ ମତ ଦେଉଛନ୍ତି।
ଅନ୍ୟପଟେ, ବଜାର ପଜିଟିଭ ଥିବାରୁ ‘ସେଫ ହେଭେନ’ କୁହାଯାଉଥିବା ଗୋଲ୍ଡ (Gold) ଦରରେ ସାମାନ୍ୟ ହ୍ରାସ ଘଟିଛି। ଇନଭେଷ୍ଟରମାନେ ଏବେ ସୁନା ଅପେକ୍ଷା ଷ୍ଟକ ମାର୍କେଟରେ ଟଙ୍କା ଲଗାଇବାକୁ ଅଧିକ ପସନ୍ଦ କରୁଛନ୍ତି। ଆଗାମୀ ଦିନରେ ଯଦି ପରିସ୍ଥିତି ଏମିତି ରହେ, ତେବେ ମାର୍କେଟ ଆହୁରି ହାଇକୁ ଯାଇପାରେ ବୋଲି ଅନୁମାନ କରାଯାଉଛି।




