ଡାମାସକସ: ଚାରିଆଡ଼େ କେବଳ ଧୂଆଁ ଆଉ ନିଆଁ। କାନ ଫାଟିଗଲା ଭଳି ଭୟଙ୍କର ଶବ୍ଦ। ସିରିଆର ରାଜଧାନୀ ଡାମାସକସର ଆକାଶରୁ ଯେତେବେଳେ ଇସ୍ରାଏଲର ମିସାଇଲ୍ ବର୍ଷିଲା, ସେତେବେଳେ ସେଠାରେ ଥିବା ଇରାନ ପ୍ରତିନିଧି ଦଳର ହୋସ୍ ଉଡ଼ିଯାଇଥିଲା। ଲାଗୁଥିଲା ଯେମିତି ମୃତ୍ୟୁ ଅତି ପାଖରୁ ଛୁଇଁକି ଚାଲିଗଲା। କେହି କିଛି ବୁଝିବା ଆଗରୁ ପୂରା ଏରିଆ ଥରି ଉଠିଥିଲା।
ସୂଚନା ଅନୁଯାୟୀ, ଇରାନର ସୁପ୍ରିମ ଲିଡରଙ୍କ ସ୍ପେଶାଲ ଆଡଭାଇଜର ଅଲି ଲାରିଜାନୀ ଏକ ହାଇ-ଲେଭଲ ଟିମ୍ ସହ ସିରିଆ ଭିଜିଟରେ ଯାଇଥିଲେ। ସେଠାରେ ସେ ଗୁରୁତ୍ୱପୂର୍ଣ୍ଣ ମିଟିଂ କରୁଥିବା ବେଳେ ଇସ୍ରାଏଲ ପକ୍ଷରୁ ଜୋରଦାର ଏୟାର ଷ୍ଟ୍ରାଇକ୍ କରାଯାଇଥିଲା। ଯେଉଁ ବିଲଡିଂରେ ଲାରିଜାନୀ ଥିଲେ, ତା’ର ଅତି ପାଖରେ ମିସାଇଲ୍ ମାଡ଼ ହେବାରୁ ପୂରା ଟିମ୍ ଭୟଭୀତ ହୋଇପଡ଼ିଥିଲେ। କିଛି ସମୟ ପାଇଁ ସେଠାରେ ଆତଙ୍କ ଖେଳିଯାଇଥିଲା।
ସେଠାରେ ଥିବା ଜଣେ ସଦସ୍ୟଙ୍କ କହିବା କଥା, ଲାଗୁଥିଲା ଯେମିତି ସେମାନଙ୍କୁ ହିଁ ଟାର୍ଗେଟ୍ କରାଯାଇଛି। ମିସାଇଲ୍ ମାଡ଼ ପରେ ସ୍ଥିତି ଏମିତି ହେଲା ଯେ ସେମାନେ ନିଜ ଜୀବନ ବଞ୍ଚାଇବା ପାଇଁ ସୁରକ୍ଷିତ ସ୍ଥାନ ଖୋଜିବାକୁ ବାଧ୍ୟ ହୋଇଥିଲେ। ପାଖାପାଖି 3 ରୁ 4 ଥର ବଡ଼ ଧରଣର ଏକ୍ସପ୍ଲୋଜନ ହୋଇଥିଲା, ଯାହା ପୂରା ସହରକୁ ଦୋହଲାଇ ଦେଇଥିଲା।
ଇସ୍ରାଏଲ୍ ଆର୍ମିର ଏହି ଆଟାକ୍ ଏତେ ଭୟଙ୍କର ଥିଲା ଯେ ଆଖପାଖର ବିଲଡିଂଗୁଡ଼ିକ ତାସ ପତ୍ତା ଭଳି ଥରୁଥିଲା। ତେବେ ସୌଭାଗ୍ୟବଶତଃ ଇରାନ ପ୍ରତିନିଧି ଦଳର କୌଣସି ସଦସ୍ୟଙ୍କର କିଛି କ୍ଷତି ହୋଇନାହିଁ। ସେମାନେ ସେଠାରୁ ସୁରକ୍ଷିତ ଭାବେ ବାହାରି ଆସିବାରେ ସଫଳ ହୋଇଛନ୍ତି। ଏହି ଘଟଣା ପରେ ସାରା ବିଶ୍ୱରେ ଏବେ ଚର୍ଚ୍ଚା ଜୋର ଧରିଛି ଯେ ଇସ୍ରାଏଲ୍ କ’ଣ ସିଧାସଳଖ ଇରାନର ବଡ଼ ନେତାଙ୍କୁ ଖତମ କରିବାକୁ ପ୍ଲାନ୍ କରିଥିଲା କି? ସ୍ଥିତି ଯାହା, ସେଥିରୁ ସ୍ପଷ୍ଟ ଜଣାପଡ଼ୁଛି ଯେ ମଧ୍ୟପ୍ରାଚ୍ୟରେ ଯୁଦ୍ଧ ନିଆଁ ଏବେ ସହଜରେ ଲିଭିବାର ନାହିଁ।




