ନୂଆଦିଲ୍ଲୀ: ସମୁଦ୍ର ମଝିରେ ହଠାତ୍ ଖେଳିଗଲା ଭୟର ଲହରି। ନୀଳ ଜଳରାଶି ଭିତରେ କୁହୁଳିଲା ନିଆଁ। ଗ୍ୟାସ୍ ନେଇ ଭାରତ ଅଭିମୁଖେ ଆସୁଥିବା ଏକ ବିଶାଳ ଜାହାଜ ଉପରକୁ ମିସାଇଲ୍ ମାଡ଼ ହେବା ପରେ ସୃଷ୍ଟି ହୋଇଛି ଯୁଦ୍ଧ ଭଳି ପରିସ୍ଥିତି। ଅଳ୍ପକେ ବର୍ତ୍ତି ଯାଇଛନ୍ତି ଜାହାଜରେ ଥିବା 25 ଜଣ କ୍ରୁ ମେମ୍ବର।
ଘଟଣାଟି ଘଟିଛି ରେଡ୍ ସି ବା ଲାଲ୍ ସମୁଦ୍ରରେ। ‘ଏମଭି ବିଡବ୍ଲୁ ମେସିୟର’ (MV BW Messier) ନାମକ ଏକ ଏଲପିଜି (LPG) ଟ୍ୟାଙ୍କର ଉପରକୁ ଆଟାକ୍ ହୋଇଛି। ଏହି ଜାହାଜଟି ଆମେରିକାରୁ ଗ୍ୟାସ୍ ଧରି ଗୁଜରାଟର ମୁନ୍ଦ୍ରା ପୋର୍ଟକୁ ଆସୁଥିଲା। କିନ୍ତୁ ଅଧା ବାଟରେ ହୁତି ବିଦ୍ରୋହୀଙ୍କ ଟାର୍ଗେଟରେ ପଡ଼ିଗଲା ଏହି ଭାରତୀୟ ଜାହାଜ। ଏହି ଆଟାକ୍ ଏତେ ଭୟଙ୍କର ଥିଲା ଯେ ଜାହାଜରେ ନିଆଁ ଲାଗିଯାଇଥିଲା।
ଖବର ଅନୁସାରେ, ଜାହାଜରେ ମୋଟ 25 ଜଣ କ୍ରୁ ମେମ୍ବର ଥିଲେ, ଯେଉଁଥିରେ ପ୍ରାୟ ସମସ୍ତେ ଭାରତୀୟ। ମିସାଇଲ୍ ବାଜିବା ପରେ ସ୍ପଟ୍ରେ ଚାରିଆଡ଼େ ଧୂଆଁ ବାହାରିଥିଲା। ତେବେ ସୌଭାଗ୍ୟବଶତଃ, ଏହି ଆକ୍ସିଡେଣ୍ଟରେ କାହାରି ଜୀବନ ଯାଇନାହିଁ। ସମସ୍ତ 25 ଜଣ ଭାରତୀୟ ସୁରକ୍ଷିତ ଥିବା ରିପୋର୍ଟ ମିଳିଛି। ଜାହାଜରେ ଲାଗିଥିବା ନିଆଁକୁ ତୁରନ୍ତ କଣ୍ଟ୍ରୋଲ କରାଯାଇଛି।
ଏହି ଘଟଣା ପରେ ଭାରତୀୟ ନେଭି (Navy) ପୂରା ଆଲର୍ଟ ମୋଡରେ ଅଛି। ସମୁଦ୍ରରେ ଯାଉଥିବା ଭାରତୀୟ ଜାହାଜଗୁଡ଼ିକର ସୁରକ୍ଷା ପାଇଁ କଡ଼ା ନଜର ରଖାଯାଇଛି। କୁହାଯାଉଛି ଯେ, ଇସ୍ରାଏଲ-ହମାସ ଯୁଦ୍ଧ ଭିତରେ ହୁତି ବିଦ୍ରୋହୀମାନେ ଲଗାତାର ଏହି ରାସ୍ତାରେ ଯାଉଥିବା କମର୍ସିଆଲ ଜାହାଜଗୁଡ଼ିକୁ ଟାର୍ଗେଟ୍ କରୁଛନ୍ତି। ବର୍ତ୍ତମାନ ଏହି ଜାହାଜଟିକୁ ସୁରକ୍ଷିତ ଭାବେ ପୋର୍ଟରେ ପହଞ୍ଚାଇବା ପାଇଁ ସବୁ ପ୍ରକାର ସାହାଯ୍ୟ ଯୋଗାଇ ଦିଆଯାଉଛି।




