କରଞ୍ଜିଆ: ରାସ୍ତାରେ ସେମିତି କିଛି ଖାସ୍ ଭିଡ଼ ନଥିଲା। ସ୍ୱାମୀ-ସ୍ତ୍ରୀ ବାଇକ୍ରେ ନିଜ ଗନ୍ତବ୍ୟ ସ୍ଥଳକୁ ଯାଉଥିଲେ। କିନ୍ତୁ କିଏ ଜାଣିଥିଲା ପଛରୁ ମାଡ଼ି ଆସୁଛି ‘ଯମ’। ଗୋଟିଏ ଜୋରଦାର ଶବ୍ଦ, ଆଉ କିଛି ସେକେଣ୍ଡ ଭିତରେ ସବୁକିଛି ଶେଷ ହୋଇଗଲା। ମୟୂରଭଞ୍ଜ ଜିଲ୍ଲା କରଞ୍ଜିଆରେ ଘଟିଥିବା ଏକ ଭୟଙ୍କର ସିରିଜ୍ ଆକ୍ସିଡେଣ୍ଟ ଏବେ ପୂରା ଅଞ୍ଚଳରେ ଚାଞ୍ଚଲ୍ୟ ଖେଳାଇ ଦେଇଛି।
ମିଳିଥିବା ସୂଚନା ଅନୁସାରେ, କରଞ୍ଜିଆ ବାଇପାସ୍ରେ ଏକ ବେପରୁଆ ପିକଅପ୍ ଭ୍ୟାନ୍ ପ୍ରଥମେ ଏକ ବାଇକ୍କୁ ପଛରୁ ଜୋରଦାର ଧକ୍କା ଦେଇଥିଲା। ଆକ୍ସିଡେଣ୍ଟ ଏତେ ଭୟଙ୍କର ଥିଲା ଯେ ବାଇକ୍ରେ ଥିବା ସ୍ୱାମୀ ଓ ସ୍ତ୍ରୀ ଛିଟିକି ପଡ଼ିଥିଲେ। ଘଟଣାସ୍ଥଳରେ ହିଁ ଉଭୟଙ୍କର ପ୍ରାଣବାୟୁ ଉଡ଼ିଯାଇଛି। ଖାଲି ସେତିକି ନୁହେଁ, ବାଇକ୍କୁ ଧକ୍କା ଦେବା ପରେ ପିକଅପ୍ ଗାଡ଼ିଟି ନିୟନ୍ତ୍ରଣ ହରାଇ ଅନ୍ୟ କିଛି ଗାଡ଼ିକୁ ମଧ୍ୟ ଧକ୍କା ଦେଇଥିବା ଜଣାପଡ଼ିଛି।
ଆକ୍ସିଡେଣ୍ଟ ପରେ ସ୍ଥାନୀୟ ଲୋକେ ସ୍ପଟ୍ରେ ରୁଣ୍ଡ ହୋଇଯାଇଥିଲେ। ଦୁର୍ଘଟଣା ଘଟାଇଥିବା ଗାଡ଼ିକୁ ଅଟକାଇବା ସହ ଲୋକଙ୍କ ମଧ୍ୟରେ ପ୍ରବଳ ଉତ୍ତେଜନା ଦେଖାଦେଇଥିଲା। ଖବର ପାଇ କରଞ୍ଜିଆ ପୁଲିସ୍ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚି ପରିସ୍ଥିତିକୁ କଣ୍ଟ୍ରୋଲ୍ କରିବାକୁ ଚେଷ୍ଟା କରିଛି।
ପୁଲିସ୍ ଦୁଇଟି ଯାକ ମୃତଦେହକୁ ଜବତ କରି ପୋଷ୍ଟମର୍ଟମ ପାଇଁ ପଠାଇଛି। ପିକଅପ୍ ଡ୍ରାଇଭରକୁ ଅଟକ ରଖି ପୁଲିସ୍ ଘଟଣାର ତଦନ୍ତ କରୁଛି। ଗୋଟିଏ ହସଖୁସିର ସଂସାର ଏମିତି ରାସ୍ତା ଉପରେ ଉଜୁଡ଼ି ଯିବା ଘଟଣା ସ୍ଥାନୀୟ ଲୋକଙ୍କୁ ସ୍ତବ୍ଧ କରିଦେଇଛି।




