ହାଇଦ୍ରାବାଦ: ଆଜିକାଲି ଦିନରେ ପିଲାଙ୍କୁ ପାଠ ପଢ଼ାଇବା ମାନେ ପକେଟ୍ ପୂରା ଖାଲି। ଖାଲି ପକେଟ୍ ଖାଲି ନୁହେଁ, ପୂରା ଦେବାଲିଆ ହେବା ସଙ୍ଗେ ସମାନ। ଏବେ ସୋସିଆଲ ମିଡିଆରେ ଏକ ସ୍କୁଲର ଫି’ ଷ୍ଟ୍ରକଚର ଭାଇରାଲ ହେଉଛି, ଯାହାକୁ ଦେଖିଲେ ଆପଣଙ୍କ ମୁଣ୍ଡ ଘୂରାଇ ଦେବ। ମାତ୍ର ୫ ବର୍ଷର ଜଣେ ପିଲା ପାଇଁ ସ୍କୁଲ ଯେଉଁ ଫି’ ମାଗିଛି, ସେତିକି ଟଙ୍କାରେ ଜଣେ ଛାତ୍ର ଆରାମରେ ଇଞ୍ଜିନିୟରିଂ କିମ୍ବା MBA ପାଠ ଶେଷ କରିଦେବ।
ଘଟଣାଟି ହେଉଛି ହାଇଦ୍ରାବାଦର ଏକ ନାମୀଦାମୀ ପ୍ରାଇଭେଟ୍ ସ୍କୁଲର। ଜଣେ ପ୍ୟାରେଣ୍ଟ ସିନିୟର KG (Senior KG) ରେ ପଢୁଥିବା ନିଜ ପିଲାଙ୍କ ଫି’ ଚାର୍ଟ ଇଣ୍ଟରନେଟରେ ଶେୟାର କରିଛନ୍ତି। ଏହି ଲିଷ୍ଟ ଅନୁସାରେ, କେବଳ ବାର୍ଷିକ ଟ୍ୟୁସନ ଫି’ ହେଉଛି ୨.୨୫ ଲକ୍ଷ ଟଙ୍କା। ଏତିକିରେ କଥା ସରିନି, ଏହା ବାଦ୍ ଆଡମିଶନ ଫି’, ସିକ୍ୟୁରିଟି ଡିପୋଜିଟ୍, ବସ୍ ଫି’ ଏବଂ ବହି-ଡ୍ରେସ୍ ବାବଦକୁ ଆହୁରି ଲକ୍ଷେ ଟଙ୍କା ଉପରେ ଖର୍ଚ୍ଚ ହେଉଛି। ସବୁ ମିଶାଇଲେ ବର୍ଷକୁ ପ୍ରାୟ ୩.୭ ଲକ୍ଷ ଟଙ୍କାର ବିଲ୍ ଧରାଇ ଦେଇଛି ସ୍କୁଲ।
ଏହି ଫୋଟୋ ଭାଇରାଲ ହେବା ପରେ ୟୁଜରମାନେ ନାନା ପ୍ରକାର କମେଣ୍ଟ ଦେଉଛନ୍ତି। କେହି କେହି କହିଛନ୍ତି, “ଏବେ ପିଲାଙ୍କୁ ସ୍କୁଲରେ ଆଡମିଶନ କରିବା ପାଇଁ କିଡନୀ ବିକିବାକୁ ପଡ଼ିବ।” ଆଉ କେହି କହିଛନ୍ତି କି ଏହା ଶିକ୍ଷାନୁଷ୍ଠାନ ନୁହେଁ, ବରଂ ଏକ ବଡ଼ ବିଜନେସ୍ ସେଣ୍ଟର। ଲୋକଙ୍କ କହିବା କଥା, ଏତେ ଟଙ୍କା ଦେଇ ପିଲାଟି KG ରେ କ’ଣ ଏମିତି ପଢ଼ିବ ଯେଉଁଟା ଅନ୍ୟ ସ୍କୁଲରେ ମିଳିବ ନାହିଁ?
ପ୍ରାଇଭେଟ୍ ସ୍କୁଲମାନଙ୍କର ଏହି ମନଇଚ୍ଛା ଫି’ ବୃଦ୍ଧିକୁ ନେଇ ଏବେ ସବୁଠି ଚର୍ଚ୍ଚା ଜୋର ଧରିଛି। ମଧ୍ୟବିତ୍ତ ପରିବାର ପାଇଁ ପିଲାଙ୍କୁ ଏଭଳି ସ୍କୁଲରେ ପଢ଼ାଇବା ଏବେ ଏକ ସ୍ୱପ୍ନ ପାଲଟିଛି। ସୋସିଆଲ ମିଡିଆରେ ଏହି ଫି’ ଷ୍ଟ୍ରକଚରକୁ ନେଇ ଏବେ ତର୍କାତର୍କି ଚାଲିଥିବା ବେଳେ ଶିକ୍ଷା ବ୍ୟବସ୍ଥାରେ ସଂସ୍କାର ଆଣିବାକୁ ଦାବି ହୋଇଛି।




