କିଭ୍: ରକ୍ତ ଜୁଡୁବୁଡୁ ଯୁଦ୍ଧ ମଇଦାନ। ଚାରିଆଡ଼େ ଗୋଳା ବାରୁଦର ଗନ୍ଧ। କିନ୍ତୁ ଏବେ ଯେଉଁ ଫଟୋ ସାମ୍ନାକୁ ଆସିଛି, ତାହା ଦେଖିଲେ ଯେକୌଣସି ଶକ୍ତ ହୃଦୟର ମଣିଷ ବି ଥରିଉଠିବ। ଦେଶ ପାଇଁ ଲଢୁଥିବା ଜଣେ ଜଣେ ବୀର ଯୋଦ୍ଧା ଏବେ ଚଳନ୍ତି କଙ୍କାଳ ପାଲଟିଛନ୍ତି। ପେଟକୁ ମୁଠାଏ ଖାଇବାକୁ ମିଳୁନି କି ଶରୀରକୁ ଢାଙ୍କିବାକୁ ସଠିକ୍ ପୋଷାକ ନାହିଁ। ୟୁକ୍ରେନର ଏହି ସୈନ୍ୟଙ୍କ ଭୟାନକ ଫଟୋ ଏବେ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।
ଏହି ଘଟଣାକୁ ନେଇ ସାରା ଦୁନିଆରେ ହଇଚଇ ସୃଷ୍ଟି ହେବା ପରେ ନିଦ ଭାଙ୍ଗିଛି ୟୁକ୍ରେନ ସରକାରଙ୍କର। ସୈନ୍ୟଙ୍କ ଏଭଳି ଦୁର୍ଦ୍ଦଶା ପାଇଁ ତୁରନ୍ତ ଆକ୍ସନ ନିଆଯାଇଛି। କାମରେ ଅବହେଳା ଓ ସୈନ୍ୟଙ୍କୁ ଠିକ୍ ଭାବେ ଖାଦ୍ୟ ଯୋଗାଇବାରେ ଫେଲ ମାରିଥିବାରୁ ୨ ଜଣ ବରିଷ୍ଠ କମାଣ୍ଡରଙ୍କୁ ସେମାନଙ୍କ ପଦବୀରୁ ବିଦା କରାଯାଇଛି।
ସୂଚନା ଅନୁସାରେ, ଫ୍ରଣ୍ଟଲାଇନରେ ରୁଷ ସହିତ ଲଢୁଥିବା କିଛି ସୈନ୍ୟଙ୍କ ଫଟୋ ସାମ୍ନାକୁ ଆସିଥିଲା। ସେଥିରେ ସୈନ୍ୟମାନେ ଅତ୍ୟଧିକ ଦୁର୍ବଳ ଦେଖାଯାଉଥିଲେ। ସେମାନଙ୍କ ଶରୀରରେ କେବଳ ହାଡ ଆଉ ଚମଡ଼ା ବାକି ଅଛି। ଖାଦ୍ୟ ଅଭାବରୁ ସେମାନେ କଙ୍କାଳ ସାର ହୋଇଯାଇଥିବା ସ୍ପଷ୍ଟ ଜଣାପଡ଼ୁଛି। ଏହି ଫଟୋଗୁଡ଼ିକ ଭାଇରାଲ ହେବା ପରେ ୟୁକ୍ରେନର ମିଲିଟାରୀ ମ୍ୟାନେଜମେଣ୍ଟ ଉପରେ ପ୍ରଶ୍ନ ଉଠିଥିଲା।
ଲୋକଙ୍କ କହିବା କଥା, ଯଦି ଦେଶ ପାଇଁ ଜୀବନ ଦେଉଥିବା ସୈନ୍ୟଙ୍କୁ ଗଣ୍ଡେ ଖାଇବାକୁ ମିଳିବନି, ତେବେ ସେମାନେ ଶତ୍ରୁ ସହିତ ଲଢ଼ିବେ କେମିତି? ଯୁଦ୍ଧ ଭିତରେ ଏଭଳି ଅବହେଳାକୁ ସହ୍ୟ କରାଯିବ ନାହିଁ ବୋଲି ସରକାର କହିଛନ୍ତି। ତେଣୁ ତୁରନ୍ତ ୨ ଜଣ ଟପ୍ କମାଣ୍ଡରଙ୍କୁ ସସପେଣ୍ଡ କରି ଘଟଣାର ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ଏହି ଘଟଣା ଏବେ ସାରା ବିଶ୍ୱରେ ଚର୍ଚ୍ଚାର ବିଷୟ ପାଲଟିଛି।




