ଲଣ୍ଡନ: 2016 ମସିହାର ସେଇ ଦିନ କଥା ମନେ ପକାନ୍ତୁ। ପୂରା ଦୁନିଆ ଆଶ୍ଚର୍ଯ୍ୟ ହୋଇ ଚାହିଁଥିଲା। ଫୁଟବଲ ଇତିହାସରେ ଜଣେ ‘ଅଣ୍ଡରଡଗ୍’ ବା କାଙ୍ଗାଳ ହଠାତ ରାଜା ବନିଯାଇଥିଲା। ଇଂଲିଶ ପ୍ରିମିୟର ଲିଗ୍ ଜିତି ଲେଷ୍ଟର ସିଟି ଯେଉଁ ‘ଫେରିଟେଲ୍’ ବା ପରୀକାହାଣୀ ଲେଖିଥିଲା, ତାହା ଆଜି ଗୋଟେ ଭୟଙ୍କର ସ୍ୱପ୍ନ ପାଲଟିଯାଇଛି। କିଙ୍ଗ ପାୱାର ଷ୍ଟାଡିୟମରେ ଏବେ ଉତ୍ସବ ନାହିଁ, ଅଛି କେବଳ ଛାତିଥରା ଭୟ।
ଲେଷ୍ଟର ସିଟିର ଅବସ୍ଥା ଏବେ ପୂରା ବେହାଲ। ଗୋଟେ ସମୟରେ ବଡ଼ ବଡ଼ କ୍ଲବଙ୍କୁ ଧୂଳି ଚଟାଉଥିବା ଏହି ଟିମ୍ ଏବେ ତୃତୀୟ ଡିଭିଜନ ବା ‘ଲିଗ୍ ୱାନ’କୁ ଖସିଯିବା ଅବସ୍ଥାରେ ପହଞ୍ଚିଛି। ଖାଲି ପଡ଼ିଆରେ ଖରାପ ଖେଳ ନୁହେଁ, ବରଂ କ୍ଲବ ମୁଣ୍ଡ ଉପରେ ଏବେ ଝୁଲୁଛି ଆର୍ଥିକ ନିୟମ ଭାଙ୍ଗିବାର ବଡ଼ ଖଣ୍ଡା।
ସୂଚନା ଅନୁସାରେ, PSR ବା ‘ପ୍ରଫିଟାବିଲିଟି ଆଣ୍ଡ ସଷ୍ଟେନବିଲିଟି’ ରୁଲ୍ସ ଉଲ୍ଲଂଘନ କରିଥିବାରୁ ଲେଷ୍ଟର ଉପରେ ବଡ଼ ଧରଣର ଆକ୍ସନ ନିଆଯାଇପାରେ। ଫୁଟବଲ ଆସୋସିଏସନର କଡ଼ା ନିୟମ ଜାଲରେ ଛନ୍ଦି ହୋଇଛି କ୍ଲବ। ଯଦି ଏହି ମାମଲାରେ ପଏଣ୍ଟ କଟାଯାଏ, ତେବେ ଟିମ୍ ପାଇଁ ସର୍ଭାଇଭ୍ କରିବା କଷ୍ଟକର ହୋଇପଡ଼ିବ। ସ୍ଥିତି ଏମିତି ହୋଇଛି ଯେ, ଚାମ୍ପିୟନସିପ୍ରୁ ପ୍ରିମିୟର ଲିଗ୍କୁ ପ୍ରମୋଶନ ପାଇବା ବଦଳରେ ଦଳ ସିଧା ତୃତୀୟ ସ୍ତରର ଲିଗ୍କୁ ଖସିଯାଇପାରେ।
କ୍ଲବର ଫ୍ୟାନ୍ସମାନେ ଏବେ ଚିନ୍ତାରେ। ଯେଉଁ ଟିମ୍ ଦିନେ ଇଂଲଣ୍ଡର ସବୁଠୁ ବଡ଼ ଟ୍ରଫି ଜିତି ସମସ୍ତଙ୍କୁ ଚମକାଇ ଦେଇଥିଲା, ସେମାନେ ଏବେ ଏମିତି ଦିନ ଦେଖିବେ ବୋଲି କେହି କଳ୍ପନା କରିନଥିଲେ। ଟିମର ଆର୍ଥିକ ସ୍ଥିତି ଏବଂ ମ୍ୟାନେଜମେଣ୍ଟର ଭୁଲ୍ ନିଷ୍ପତ୍ତି ପାଇଁ ଏବେ ପୂରା କ୍ଲବର ଭବିଷ୍ୟତ ଅନ୍ଧାରକୁ ଠେଲି ହୋଇଯାଇଛି।
ଦେଖିବାକୁ ବାକି ରହିଲା, ଏହି ସଙ୍କଟରୁ ଲେଷ୍ଟର ସିଟି ବାହାରି ପାରୁଛି ନା ଏହି ପରୀକାହାଣୀର ଅନ୍ତ ଏକ କାନ୍ଦଣା ଭରା କାହାଣୀରେ ଶେଷ ହେଉଛି।




