ତେହେରାନ: ସାରା ଦୁନିଆ ଚାହିଁ ରହିଛି କେବେ ଥମିବ ଇସ୍ରାଏଲ-ଇରାନ ଟେନସନ। ଆମେରିକା ଓ ଇରାନ ମଧ୍ୟରେ ‘ସିଜ୍ଫାୟାର’ ବା ଶାନ୍ତି ଆଲୋଚନାକୁ ନେଇ ବଡ଼ ଖବର ଆସିବ ବୋଲି ସମସ୍ତେ ୱେଟ୍ କରିଛନ୍ତି। କିନ୍ତୁ ଏହି ଆଲୋଚନା ଟେବୁଲରେ ଏବେ ଏକ ବଡ଼ କାନ୍ଥ ହୋଇ ଛିଡ଼ା ହୋଇଛନ୍ତି ଜଣେ ରହସ୍ୟମୟ ବ୍ୟକ୍ତି। ସେ ହେଉଛନ୍ତି ମୁଜତାବା ଖାମେନେଇ। ପରଦା ପଛରେ ରହି ସେ ଏମିତି କିଛି ଗୋଟି ଚଳାଉଛନ୍ତି, ଯେଉଁଥିପାଇଁ ଶାନ୍ତି ଆଲୋଚନା ଆଗକୁ ବଢ଼ିପାରୁ ନାହିଁ।
ଇରାନର ସୁପ୍ରିମ ଲିଡର ଆୟାତୋଲ୍ଲା ଅଲି ଖାମେନେଇଙ୍କ ପୁଅ ହେଉଛନ୍ତି ଏହି ମୁଜତାବା। ରିପୋର୍ଟ ଅନୁସାରେ, ଆମେରିକା ସହ ହେବାକୁ ଥିବା ‘ସିକ୍ରେଟ୍ ଡିଲ୍’ ଏବେ ତାଙ୍କରି ପାଇଁ ଅଟକି ଯାଇଛି। ତେହେରାନର କ୍ଷମତା କରିଡରରେ ଏବେ କେବଳ ତାଙ୍କରି ନାଁକୁ ନେଇ ଚର୍ଚ୍ଚା। କୁହାଯାଉଛି କି, ଇରାନର ପରବର୍ତ୍ତୀ ସୁପ୍ରିମ ଲିଡର କିଏ ହେବ, ସେହି ରେସ୍ରେ ମୁଜତାବା ସବୁଠୁ ଆଗରେ ଅଛନ୍ତି। ଆଉ ଏହି ‘ସକ୍ସେସନ ପଲିଟିକ୍ସ’ ଯୋଗୁଁ ଆମେରିକା ସହ ସମ୍ପର୍କ ସୁଧାରିବା ଏବେ କଷ୍ଟକର ହୋଇପଡ଼ିଛି।
ୱାଶିଂଟନ ମଧ୍ୟ ଏହି ‘ମୁଜତାବା ଫ୍ୟାକ୍ଟର’କୁ ନେଇ ବେଶ୍ ଚିନ୍ତାରେ ଅଛି। ଯଦି ଇରାନରେ କ୍ଷମତା ପରିବର୍ତ୍ତନ ହୁଏ ଏବଂ ମୁଜତାବା ଗାଦିରେ ବସନ୍ତି, ତେବେ ସେ ଆମେରିକା ପ୍ରତି କେଉଁ ଆଭିମୁଖ୍ୟ ରଖିବେ, ତାକୁ ନେଇ ଚାଲିଛି କ୍ୟାଲକୁଲେସନ। ଗୋଟିଏ ପଟେ ଯୁଦ୍ଧ ଭୟ ଓ ଅନ୍ୟପଟେ ଇରାନ ଭିତରେ ଚାଲିଥିବା ପାୱାର ଗେମ୍ ଶାନ୍ତି ପ୍ରକ୍ରିୟାକୁ ଏକ ପ୍ରକାର ‘ବ୍ରେକ୍’ ଲଗାଇ ଦେଇଛି।
ସୂଚନା ଅନୁସାରେ, ମୁଜତାବା ଖାମେନେଇ ଇରାନର ମିଲିଟାରୀ ଓ ଇଣ୍ଟେଲିଜେନ୍ସ ଉପରେ ବଡ଼ ପ୍ରଭାବ ରଖନ୍ତି। ସେ ଚାହୁଁନାହାନ୍ତି କି କୌଣସି ବି ପରିସ୍ଥିତିରେ ଇରାନ ଆମେରିକା ଆଗରେ ନଇଁଯାଉ। ଏହି ଜିଦ୍ କାରଣରୁ ବାରମ୍ବାର ଆଲୋଚନା ହେଉଥିଲେ ମଧ୍ୟ କୌଣସି ରେଜଲ୍ଟ ବାହାରି ପାରୁନାହିଁ। ଇରାନର ଖରାପ ଅର୍ଥନୀତି ପାଇଁ ଶାନ୍ତି ଜରୁରୀ, କିନ୍ତୁ କ୍ଷମତା ଦଖଲର ଲଢ଼େଇ ଏବେ ସବୁକିଛି ଓଲଟପାଲଟ କରିଦେଇଛି।
ଏବେ ଦେଖିବାକୁ ବାକି ରହିଲା, ଏହି ହାଇ-ପ୍ରୋଫାଇଲ ଡ୍ରାମା କେଉଁ ମୋଡ଼ ନେଉଛି। ମୁଜତାବାଙ୍କ ପାୱାର ଆଗରେ ଶାନ୍ତି ଆଲୋଚନା ଫେଲ୍ ମାରୁଛି ନା ଆମେରିକା କୌଣସି ନୂଆ ଫର୍ମୁଲା ବାହାର କରୁଛି, ତା’ ଉପରେ ସମସ୍ତଙ୍କ ନଜର।




