ଇସଲାମାବାଦ: ପାକିସ୍ତାନ କ୍ରିକେଟରେ ପୁଣି ଏକ ବଡ଼ ଝଟକା। କେତେବେଳେ ପଡ଼ିଆ ଭିତରେ ଖରାପ ପରଫରମାନ୍ସ ତ କେତେବେଳେ ପଡ଼ିଆ ବାହାରେ ବିବାଦ, ପାକିସ୍ତାନ ଟିମ୍ ସବୁବେଳେ ଚର୍ଚ୍ଚାରେ ରହିଥାଏ। କିନ୍ତୁ ଏଥର ମାମଲାଟା ଟିକେ ଅଧିକ ଗମ୍ଭୀର। ଷ୍ଟାର ଅଲରାଉଣ୍ଡର ମହମ୍ମଦ ନୱାଜଙ୍କ କ୍ୟାରିୟର ଉପରେ ଏବେ ସଂକଟର କଳାବାଦଲ। ଡୋପିଂ ଅଭିଯୋଗରେ ଛନ୍ଦି ହୋଇ ନୱାଜ ଏବେ କ୍ରିକେଟରୁ ସମ୍ପୂର୍ଣ୍ଣ ‘ବ୍ୟାନ୍’ ହେବା ପରିସ୍ଥିତିକୁ ସାମ୍ନା କରୁଛନ୍ତି।
ଟି-20 ୱାର୍ଲ୍ଡ କପରେ ନିଜ ଖେଳରେ ସମସ୍ତଙ୍କୁ ଚକିତ କରିଥିବା ଏହି ଷ୍ଟାର ପ୍ଲେୟାରଙ୍କ ନାଁରେ ଡୋପିଂ ନିୟମ ଉଲ୍ଲଂଘନ କରିଥିବା ଅଭିଯୋଗ ଆସିଛି। ରିପୋର୍ଟ ଅନୁସାରେ, ICC ପକ୍ଷରୁ ତାଙ୍କୁ କଡ଼ା ନୋଟିସ୍ ଦିଆଯାଇଛି। ଯଦି ଏହି ଅଭିଯୋଗ ସତ ପ୍ରମାଣିତ ହୁଏ, ତେବେ ନୱାଜଙ୍କୁ ଦୀର୍ଘ ଦିନ ପାଇଁ ପଡ଼ିଆରୁ ଦୂରେଇ ରହିବାକୁ ପଡ଼ିବ। ଏପରିକି ତାଙ୍କ କ୍ରିକେଟ କ୍ୟାରିୟର ଏଇଠି ଶେଷ ହୋଇଯାଇପାରେ ବୋଲି ମଧ୍ୟ ଆଶଙ୍କା କରାଯାଉଛି।
ଏହି ପୂରା ଘଟଣା ଉପରେ ନୱାଜ ICC ଆଗରେ ନିଜର ପକ୍ଷ ରଖିଛନ୍ତି। ସେ କହିଛନ୍ତି ଯେ, ସେ ଜାଣିଶୁଣି କୌଣସି ନିୟମ ଭାଙ୍ଗି ନାହାନ୍ତି କିମ୍ବା କୌଣସି ନିଷିଦ୍ଧ ଔଷଧ ସେବନ କରିନାହାନ୍ତି। ତେବେ ICC ର ଆଣ୍ଟି-ଡୋପିଂ ୟୁନିଟ୍ ଏହି ମାମଲାର ଗଭୀର ତଦନ୍ତ କରୁଛି।
ପାକିସ୍ତାନ କ୍ରିକେଟ ବୋର୍ଡ (PCB) ପାଇଁ ଏହା ଏକ ବଡ଼ ମୁଣ୍ଡବିନ୍ଧାର କାରଣ ସାଜିଛି। ପୂର୍ବରୁ ମଧ୍ୟ ଅନେକ ପାକିସ୍ତାନୀ କ୍ରିକେଟର ଡୋପିଂ ଏବଂ ଫିକ୍ସିଂ ଭଳି ମାମଲାରେ ଫସି ନିଜର ସମ୍ମାନ ହରାଇଛନ୍ତି। ଏବେ ନୱାଜଙ୍କୁ ନେଇ କ୍ରିକେଟ ଦୁନିଆରେ ହଇଚଇ ସୃଷ୍ଟି ହୋଇଛି। ସେ ପଡ଼ିଆକୁ ଫେରୁଛନ୍ତି ନା ତାଙ୍କ ଉପରେ ବ୍ୟାନ୍ର ପାହାର ପଡ଼ୁଛି, ତାହା ICC ର ଚୂଡ଼ାନ୍ତ ରିପୋର୍ଟ ପରେ ହିଁ ସ୍ପଷ୍ଟ ହେବ।




