ଫରିଦକୋଟ: ବାହାରେ ମୁଣ୍ଡଫଟା ଖରା। ତାତି ଏମିତି ଯେ ମଣିଷ ଘରୁ ବାହାରିବାକୁ ଭୟ କରୁଛି। ଏଭଳି ସମୟରେ ଜଣେ ୫ ବର୍ଷର କୁନି ଝିଅ ଖରାରେ ଛଟପଟ ହେଉଛି। ତା’ର ଦୋଷ କ’ଣ? ସେ ଟିକେ ବେଶି ବଦମାସି କରୁଥିଲା। ଆଉ ଏଇ ସାମାନ୍ୟ କଥାରେ ନିଜ ଜେଜେବାପା ସାଜିଲେ ସୈତାନ। ଯିଏ ପୁଣି ଜଣେ ପୁଲିସ ଅଫିସର।
ପଞ୍ଜାବର ଫରିଦକୋଟ ଜିଲ୍ଲାରୁ ଏଭଳି ଏକ ସମ୍ବେଦନଶୀଳ ଘଟଣା ସାମ୍ନାକୁ ଆସିଛି। ଜଣେ ପୁଲିସ କର୍ମଚାରୀ ନିଜର ୫ ବର୍ଷର ନାତୁଣୀକୁ ଦଣ୍ଡ ଦେବାକୁ ଯାଇ ଘର ବାହାର ଗେଟ୍ରେ ବାନ୍ଧି ଦେଇଥିଲେ। ପାଖାପାଖି 40 ଡିଗ୍ରୀ ତାପମାତ୍ରାରେ ଝିଅଟି କାନ୍ଦି କାନ୍ଦି ନୟାନ୍ତ ହୋଇଯାଇଥିଲେ ମଧ୍ୟ ପୁଲିସ ବାବୁଙ୍କ ମନ ତରଳି ନଥିଲା।
ଏହି ପୂରା ଘଟଣାର ଏକ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ଦେଖିବାକୁ ମିଳୁଛି କିପରି ଝିଅଟି ଗେଟ୍ରେ ବନ୍ଧା ହୋଇ ଛିଡ଼ା ହୋଇଛି। ଏହାକୁ ନେଇ ସ୍ଥାନୀୟ ଲୋକଙ୍କ ମଧ୍ୟରେ ପ୍ରବଳ ଅସନ୍ତୋଷ ଦେଖାଦେଇଥିଲା। ଜଣେ ଆଇନର ରକ୍ଷକ କେମିତି ଏତେ ନିର୍ଦ୍ଦୟ ହୋଇପାରେ, ସେ ନେଇ ପ୍ରଶ୍ନ ଉଠିଥିଲା।
ଭିଡିଓ ଭାଇରାଲ ହେବା ପରେ ପୁଲିସ ବିଭାଗ ତୁରନ୍ତ ଆକ୍ସନ ମୋଡ୍କୁ ଆସିଛି। ସମ୍ପୃକ୍ତ ପୁଲିସ କର୍ମଚାରୀଙ୍କୁ ସଙ୍ଗେ ସଙ୍ଗେ ସସପେଣ୍ଡ କରାଯାଇଛି। ତାଙ୍କ ବିରୋଧରେ ବିଭାଗୀୟ ତଦନ୍ତ ନିର୍ଦ୍ଦେଶ ଦିଆଯାଇଛି। ପୁଲିସ ବାବୁଙ୍କ ଏହି କାଣ୍ଡ ଏବେ ସାରା ପଞ୍ଜାବରେ ଚର୍ଚ୍ଚାର ବିଷୟ ପାଲଟିଛି। ଲୋକେ କହୁଛନ୍ତି, “ଯିଏ ନିଜ ରକ୍ତର ସମ୍ପର୍କକୁ ଏମିତି କଷ୍ଟ ଦେଇପାରେ, ସେ ସାଧାରଣ ଜନତାଙ୍କୁ କିପରି ସୁରକ୍ଷା ଦେବ?”




