ୱାଶିଂଟନ/ଇସଲାମାବାଦ: ଶାନ୍ତି ପାଇଁ ପ୍ରସ୍ତୁତ ହେଉଥିଲା ମଞ୍ଚ। ସମସ୍ତେ ଚାହିଁ ରହିଥିଲେ କିଛି ଗୋଟେ ‘ପଜିଟିଭ’ ରେଜଲ୍ଟ ଆସିବ। ହେଲେ ଶେଷ ମୁହୂର୍ତ୍ତରେ ସିନେମା ଭଳି ବଦଳିଗଲା ପୁରା କାହାଣୀ। ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କ ଗୋଟିଏ ନିଷ୍ପତ୍ତି ପୁରା ଦୁନିଆର ‘ଡିପ୍ଲୋମାସି’କୁ ଓଲଟପାଲଟ କରିଦେଇଛି।
ଇସଲାମାବାଦକୁ ଆମେରିକା ପଠାଉଥିବା ନିଜର ସ୍ପେଶାଲ ‘ଏନଭୟ’ଙ୍କ ଗସ୍ତକୁ ହଠାତ ରୋକି ଦେଇଛନ୍ତି ଟ୍ରମ୍ପ। ସେ ସଫା ସଫା ଶୁଣାଇ ଦେଇଛନ୍ତି ଯେ, ପାକିସ୍ତାନକୁ ଏହି ଟ୍ରିପ୍ କରିବା କେବଳ ‘ଟାଇମ ୱେଷ୍ଟ’। ଯଦି ଇରାନ କଥାବାର୍ତ୍ତା କରିବାକୁ ସତରେ ଚାହୁଁଛି, ତେବେ ତାଙ୍କ ପ୍ରତିନିଧିମାନଙ୍କ ପାଖକୁ ଯିବା ଅପେକ୍ଷା ଇରାନ ସିଧାସଳଖ ତାଙ୍କୁ ‘କଲ’ କରୁ।
ସୂଚନା ଅନୁସାରେ, ଟ୍ରମ୍ପଙ୍କ ସ୍ପେଶାଲ ଏନଭୟ ଷ୍ଟିଭ ୱିଟକଫ ଏବଂ ତାଙ୍କ ଜ୍ୱାଇଁ ଜାରେଡ କୁଶନର ଏହି ହାଇ-ପ୍ରୋଫାଇଲ ମିଟିଂ ପାଇଁ ପାକିସ୍ତାନ ଯିବାର ଥିଲା। କିନ୍ତୁ ଇରାନର ‘ଲିଡରସିପ’ ଭିତରେ ପ୍ରବଳ ‘କନଫ୍ୟୁଜନ’ ଚାଲିଥିବା ଦର୍ଶାଇ ଟ୍ରମ୍ପ ଏହି ଗସ୍ତ ବାତିଲ କରିଛନ୍ତି। ସୋସିଆଲ ମିଡିଆରେ ପୋଷ୍ଟ କରି ଟ୍ରମ୍ପ କହିଛନ୍ତି, “ଇରାନ ଭିତରେ କିଏ କଣ କରୁଛି କେହି ଜାଣିନାହାନ୍ତି। ସେଠାରେ ଖାଲି ଗଣ୍ଡଗୋଳ ଚାଲିଛି। ଆମ ପାଖରେ ସବୁ କାର୍ଡ ଅଛି, ସେମାନଙ୍କ ପାଖରେ କିଛି ନାହିଁ।”
ଏହି ଘଟଣା ସେତିକି ବେଳେ ଘଟିଛି ଯେତେବେଳେ ଇରାନର ଫରେନ ମିନିଷ୍ଟର ଅବ୍ବାସ ଆରାଗଚି ପାକିସ୍ତାନରେ ପହଞ୍ଚି ଆଲୋଚନା ସାରି ଫେରିଛନ୍ତି। ପାକିସ୍ତାନ ଏଠାରେ ଜଣେ ‘ମିଡିଏଟର’ ବା ମଧ୍ୟସ୍ଥି ଭାବେ କାମ କରି ଦୁଇ ଦେଶକୁ ଏକାଠି କରିବାକୁ ଚେଷ୍ଟା କରୁଥିଲା। ଟ୍ରମ୍ପଙ୍କ ଏହି ନିଷ୍ପତ୍ତି ପରେ ଏବେ ପୁରା ଅଞ୍ଚଳରେ ଟେନସନ ବଢିଯାଇଛି।
ଏହି ଗସ୍ତ ବାତିଲ ହେବା ପରେ ଏବେ ‘ସିଜଫାୟାର’ ଏବଂ ଆଗାମୀ ଶାନ୍ତି ପ୍ରକ୍ରିୟା ଉପରେ ପ୍ରଶ୍ନବାଚୀ ସୃଷ୍ଟି ହୋଇଛି। ଟ୍ରମ୍ପ କହିଛନ୍ତି ଯେ ସେ ଯୁଦ୍ଧ ଚାହୁଁନାହାନ୍ତି, କିନ୍ତୁ ଇରାନକୁ କଥା ହେବାକୁ ହେଲେ ପ୍ରଥମେ ଆଗକୁ ଆସିବାକୁ ପଡିବ। ଏବେ ଦେଖିବାକୁ ବାକି ରହିଲା ଟ୍ରମ୍ପଙ୍କ ଏହି ଶକ୍ତ ଆଭିମୁଖ୍ୟ ପରେ ଇରାନ କଣ ‘ରିଆକ୍ସନ’ ଦେଉଛି।




